ଆଠମଲ୍ଲିକର କଙ୍ଗାରୁ କୋର୍ଟ । ପରକୀୟା ପ୍ରୀତି ଅଭିଯୋଗରେ ଅସହାୟ ମହିଳା ଓ ଯୁବକଙ୍କୁ ରାସ୍ତାରେ ଚଲାଇଲେ ଗାଁଲୋକ, ଜବରଦସ୍ତ କରାଇଲେ ବିବାହ । ପ୍ରଶ୍ନ କିଏ ଦେଲା ଅଧିକାର?

419

କନକ ବ୍ୟୁରୋ : ପରକୀୟା ପ୍ରୀତି ଅଭିଯୋଗରେ ଗାଁ ଲୋକେ ଓ ପରିବାରଠାରୁ ନିସ୍ତୁକ ମାଡ ଖାଇଲେ ବିବାହିତା ମହିଳା ଓ ଯୁବକ । ଶେଷରେ ମନ ମାନିଲାନି । ବିବାହିତା ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ସାମାଜିକ ଦୂରତା ନିୟମକୁ ଫୁ କରିଦିଆଗଲା । ଏଭଳି ଘଟଣା ସାମ୍ନାକୁ ଆସିଛି ଆଠମଲ୍ଲିକ ଅଚଂଳରୁ । ଅନୁଗୁଳର ଏହି ଘଟଣା ସଭ୍ୟ ସମାଜ ଉପରେ ଏକ ଚାପୁଡା ମାରୁଛି । ଏକବିଂଶ ଶତାବ୍ଦୀରେ ମଣିଷ କେତେ ହିଂସ୍ର ହୋଇପାରେ ତାହା ବୟାନ କରୁଛି । ବ୍ୟକ୍ତି ସ୍ୱାଧିନତାକୁ କିଭଳି ଅପହରଣ କରି କଂଗାରୁ କୋର୍ଟରେ ନିଲାମ କରାଯାଇପାରେ ତାହାର ଉଦାହରଣ ସାଜିଛି ଏହି ଘଟଣା ।

ଅନୁଗୁଳ ଜିଲ୍ଲା ଆଠମଲିକ ବ୍ଲକର ଟାପଡୋଲ ଗାଁରୁ ଆସିଛି ଅଭାବନୀୟ ଘଟଣା । ଯେଉଁଥିରେ ଜଣେ ବିବାହିତ ମହିଳାଙ୍କ ସହ ଯୁବକଙ୍କ ସମ୍ପର୍କ ଜଣାପଡିବା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଘର ଭିତରେ ଦେଖିବା ପରେ ଅତ୍ୟାଚାରର ସବୁ ସୀମା ଟପିଯାଇଛନ୍ତି ଗ୍ରାମବାସୀ । ମହିଳାଙ୍କୁ ମାଡ ମାରିବା ସହ ଯୁବକଙ୍କୁ ବାନ୍ଧି ବାଡେଇବା ପରେ ଗାଁରେ କଙ୍ଗାରୁ କୋର୍ଟ ବସାଇ ଉଭୟଙ୍କ ଜବରଦସ୍ତ ବିବାହ କରିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଆଉ ଏହି ସମୟରେ ସେହି ମହିଳା ଓ ଯୁବକର ଅସହାୟତାକୁ ସାରା ଗାଁ ଉପଭୋଗ କରୁଥିଲା । ଯାହାକି ଏକବିଂଶ ଶତାବ୍ଦିରେ ସଭ୍ୟ ମଣିଷର ମୁଣ୍ଡକୁ ତଳକୁ କରିଦେଉଛି ।

ତେବେ ପ୍ରଶ୍ନ ଉଠୁଛି ଯଦି ପରକ୍ରିୟା ପ୍ରୀତିର ଅଭିଯୋଗ ଆସିଛି । ଏଥିପାଇଁ ପୋଲିସ ଅଛି , ପ୍ରଶାସନ ଅଛି ଆଉ ଆଇନ ବ୍ୟବସ୍ଥା ମଧ୍ୟ ରହିଛି । ପାପ, ପୁଣ୍ୟ ଆଉ ନୈତିକତାର ଆଳରେ ଶହ ଶହ ଲୋକ ଆଇନକୁ ହାତକୁ ନେଇପାରିବେ କି? ଗାଁରେ କଙ୍ଗାରୁ କୋର୍ଟ ବସାଇ ଦୁଇ ଅସହାୟଙ୍କୁ ଦଣ୍ଡ ଦେବାର କ୍ଷମତା ଲୋକଙ୍କୁ ଦେଲା କିଏ?