ଆଗାମୀ ରଥଯାତ୍ରା ଦେଖିବାକୁ ପୁରୀ ଆସିବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏନେଇ ନିଜେ ଟ୍ୱିଟ୍ ଯୋଗେ ସୂଚନା ଦେଲେ କଙ୍ଗନା । କହିଲେ ରଥଯାତ୍ରାରେ ଦେଖିବି ମହାପ୍ରଭୂଙ୍କ ରୂପ

176

କନକ ବ୍ୟୁରୋ : ଦୀର୍ଘ ୮ ମାସ ପରେ ଏବେ ପୁରୀ ଶ୍ରୀମନ୍ଦିର ଖୋଲା ଯାଇଛି । ମହାପ୍ରଭୂଙ୍କୁ ଦେଖିବାକୁ ଏବେ ବ୍ୟାକୁଳ ଭକ୍ତ । ହେଲେ ସରକାରଙ୍କ କିଛି କଟକଣା ଯୋଗୁ ଏବେ ମହାପ୍ରଭୂଙ୍କ ଦର୍ଶନ କରିବାରୁ ବଞ୍ଚିତ ହେଉଛନ୍ତି ଅନେକ ଭକ୍ତ । ଏହାରି ମଧ୍ୟରେ ଆସନ୍ତା ରଥଯାତ୍ରାରେ ପୁରୀ ଆସି ମହାପ୍ରଭୂଙ୍କୁ ଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ୍ । ଏନେଇ ନିଜେ କଙ୍ଗନା ମଙ୍ଗଳବାର ଦିନ ଟ୍ୱିଟ କରି ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କି, ‘କିଛି ବର୍ଷ ତଳେ ମୁଁ ମୋ ମା’ଙ୍କ ସହ କାଶୀ ବିଶ୍ୱନାଥ ଯାଇ ଦର୍ଶନ କରିଥିଲି, ସେଠାରେ ମୁଁ ୭ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ଅର୍ଜ୍ଜନ କରିଛି । ଏବେ ନୂଆବର୍ଷରେ କେଦାରନାଥ ଯାଇ ସେଠାରେ ଥିବା ୮ ଟି ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବାକୁ ଚାହୁଁଛି । ଏଥିସହ ଓଡିଶାର ପୁରୀ ଜଗନ୍ନାଥ ଧାମକୁ ଆସନ୍ତା ରଥଯାତ୍ରାରେ ଆସିବାକୁ ଇଚ୍ଛା କରିଛି’ ବୋଲି ସେ କହିଛନ୍ତି ।

ସୂଚନା ଥାଉକି ବର୍ତ୍ତମାନ ବଙ୍ଗନା ରାଣାୱତ ମନାଲିରେ ନିଜ ପରିବାର ସହ ଛୁଟି କଟାଉଛନ୍ତି । ଗତ ସପ୍ତାହରେ ସେ ତାଙ୍କର ସିନେତାମ ଥଲାଇଭିର ସୁଟିଂ ଶେଷ କରିଛନ୍ତି । ଅନ୍ୟପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ନେଇ ସେ କିଛି ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ମହାରାଷ୍ଟ୍ର ସରକାର ଓ କଙ୍ଗନାଙ୍କ ଭିତରେ ଦେଖିବାକୁ ମିଳିଥିଲା ବାକ୍ ବିତଣ୍ଡା ।