କନକ ବ୍ୟୁରୋ: ବଲିଉଡର ଦବଙ୍ଗ ଗାର୍ଲ କଙ୍ଗନା ରାନାୱତ୍ ଖୁବ ଶିଘ୍ର ଟେଲି କୁଇନ୍ ଏକତା କପୁରଙ୍କ ରିଆଲିଟି ଶୋ ‘ଲକଅପ୍’ର ଉପସ୍ଥାପିକା ସାଜିବେ । ଏହା କଙ୍ଗନାଙ୍କ ଡିଜିଟାଲ ଡେବ୍ୟୁ ହେବ । ‘ବିଗବସ୍’ ଶୋ’କୁ ଅଭିନେତା ସଲମାନ୍ ଖାନ୍ ଯେପରି ହୋଷ୍ଟ କରୁଛନ୍ତି କଙ୍ଗନା ମଧ୍ୟ ସେପରି କରିବେ । ସଲମାନଙ୍କ ଭଳି କଙ୍ଗନା ସପ୍ତାହର ଶେଷରେ ଦେଖାଦେବେ । ଏକତାଙ୍କ ଏହି ଶୋ’ ପାଇଁ କଙ୍ଗନା ବେଶ୍ ମୋଟା ଅଙ୍କର ପ୍ରାପ୍ୟ ନେବେ ବୋଲି କୁହାଯାଉଛି ।
ତେବେ ଏହି ଶୋ’ର ପ୍ରସଙ୍ଗ ବିବାଦରେ ରହିଛି । ଶୋ’ ପ୍ରସ୍ତୁତକାରୀମାନେ ଜାଣିଛନ୍ତି ଯେ, ଏହି ଶୋ’ ଲୋକଙ୍କ ମଧ୍ୟରେ ବେଶ୍ ଆଲୋଡନ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଛି । ଖାସ୍ ଏଥିପାଇଁ ଶୋ’ ହୋଷ୍ଟ ଭାବେ ଏକତାଙ୍କ ପ୍ରଥମ ପସନ୍ଦ ସାଜିଛନ୍ତି କଙ୍ଗନା ରାନାୱତ । ଯଦି ଏହି ସିଜିନ୍ ହିଟ୍ ହୁଏ ତେବେ ପରବର୍ତ୍ତୀ ସିଜିନରେ ମଧ୍ୟ କଙ୍ଗନାଙ୍କୁ ହିଁ ହୋଷ୍ଟ ଭାବେ ନିଆଯିବ । ‘ଲକଅପ୍’ ଦିନରାତି ଅବିରତ ଭାବେ ପ୍ରସାରଣ କରାଯିବ । କଙ୍ଗନା ଏଥିରେ କେବଳ ଶନିବାର ରବିବାର ହିଁ ଦେଖାଦେବେ । ୨୨ଟି ଏପିସୋଡ ପାଇଁ କଙ୍ଗନା ୨୫ କୋଟି ଟଙ୍କା ନେବେ ବୋଲି ଜଣାପଡିଛି ।
ଯେଉଁମାନଙ୍କର ବ୍ୟକ୍ତିଗତ ଜୀବନରେ ବିବାଦ ଦେଖାଯାଉଛି ସେମାନେ ଏହି ଶୋ’ରେ ଭାଗ ନେବେ । ଏଯାଏଁ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ, ଲେଖକ ଚେତନ ଭଗତ୍ , ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ ସପନା ଭବନାନି, ଟିଭି ଅଭିନେତା କୁଶାଲ ଟଣ୍ଡନଙ୍କୁ ଶୋ’ ପାଇଁ ଯୋଗାଯୋଗ କରାଯାଉଛି । ଏହି ଶୋ’ର ୧୬ଜଣ ସେଲିବ୍ରିଟିଙ୍କୁ ‘ଲକଅପ୍’ରେ ରଖାଯିବ । ଶୋ’ର ସେଟ୍ ମୁମ୍ବାଇ ସ୍ଥିତ ଫିଲ୍ମ ସିଟିରେ ପ୍ରସ୍ତୁତ କରାଯାଇଛି । ଏହାର ପ୍ରଥମ ଏପିସୋଡି ଫେବ୍ରୁଆରୀ ୨୭ ତାରିଖରେ ପ୍ରସାରଣ କରାଯିବ ।