କଙ୍ଗନା ବନାମ ଶିବସେନା ବିବାଦ । ବମ୍ବେ ହାଇକୋର୍ଟରେ ଆସନ୍ତା ୨୨ରେ ହେବ ପରବର୍ତୀ ଶୁଣାଣୀ : କଙ୍ଗନା କହିଲେ, ବିଏମସି ବିରୋଧରେ ନେବେ ଆଇନଗତ ପଦକ୍ଷେପ

228

କନକ ବ୍ୟୁରୋ : ଘନଉଛି କଙ୍ଗନା ବନାମ ଶିବସେନା ବିବାଦ । କଥା କଟାକଟିରୁ ବିବାଦ ଆରମ୍ଭ ହେବା ପରେ କଙ୍ଗନାଙ୍କ ଅଫିସରେ ବେଆଇନ ନିର୍ମାଣ ହୋଇଥିବା ଦର୍ଶାଇ ବିଏମସିର ବୁଲଡୋଜର ଚାଲିବା ପରେ ହାଇକୋର୍ଟରେ ଏହାର ଶୁଣାଣି ଚାଲିଛି । ତେବେ ଏହି ମାମଲାରେ ବମ୍ବେ ହାଇକୋର୍ଟରେ ଆସନ୍ତା ୨୨ରେ ପରବର୍ତୀ ଶୁଣାଣୀ କରିବେ । ସେପେଟ କଙ୍ଗନା କହିଛନ୍ତି ବିଏମସି ବିରୋଧରେ ନେବେ ଆଇନଗତ ପଦକ୍ଷେପ । ଅପରପକ୍ଷରେ ଉଦ୍ଧବ ଠାକରେଙ୍କ ବିରୋଧରେ ମନ୍ତବ୍ୟ ନେଇ କଙ୍ଗନାଙ୍କ ବିରୋଧରେ ବିକ୍ରୋଲି ଥାନାରେ ଏତଲା ଦାୟର ହୋଇଛି ।

ଭାରି କଡା ଅଭିନେତ୍ରୀ କଙ୍ଗନାଙ୍କ ଅନ୍ଦାଜ୍ । ମହାରାଷ୍ଟ୍ର ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଓଗାଳୁଛନ୍ତି ବିଷ । କାରଣ ବିଏମସି ଯାହା କରିଛି, ତାକୁ ନେଇ କେବଳ କଙ୍ଗନା ଅସନ୍ତୁଷ୍ଟ ନୁହନ୍ତି, ବମ୍ବେ ହାଇକୋର୍ଟ ମଧ୍ୟ ନାରାଜ ।

ବିଏମସିକୁ ପଚାରିଲେ ବମ୍ବେ ହାଇକୋର୍ଟ
– କାର୍ଯ୍ୟାନୁଷ୍ଠାନ ପାଇଁ ଏତେ ତରବର କାହିଁକି?
– ଘର ମାଲିକଙ୍କ ଅନୁପସ୍ଥିତିରେ କାହିଁକି ଭଙ୍ଗାଗଲା?
– ନୋଟିସର ଉତ୍ତର ପାଇଁ ବିଏମସି ଅପେକ୍ଷା କଲାନି କାହିଁକି?

କଙ୍ଗନାଙ୍କ କାର୍ଯ୍ୟାଳୟରେ ବ୍ୟାପର ଭଙ୍ଗାରୁଜା କରିଛି ବିଏମସି । ମହାରାଷ୍ଟ୍ର ସରକାରଙ୍କ ଇସାରାରେ ପରିଚାଳିତ ମ୍ୟୁନିସିପାଲିଟି ଚଳାଇଛି ବୁଲଡୋଜର ଓ ହାତୁଡି । ବଆଇନ ଜବରଦଖଲ କହି ମନମାନି କରିଛି ବିଏମସି । ଆଉ ସେଥିପାଇଁ କଙ୍ଗନା ଏହାକୁ ପ୍ରତିଶୋଧ ପରାୟଣ ହୋଇ ନିଆଯାଇଥିବା ପଦକ୍ଷେପ ବୋଲି ଅଭିଯୋଗ କରିଛନ୍ତି । ଏପରିକି କାଶ୍ମୀରି ପଣ୍ଡିତଙ୍କ ସହ ଏହି ପ୍ରସଙ୍ଗକୁ ଯୋଡି ନୂଆ ମୋଡ ଦେବାକୁ ପ୍ରୟାସ ବି କରିଛନ୍ତି ।

ମୁମ୍ବାଇର ପାଲିହିଲରେ ଥିବା କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମ କାର୍ଯ୍ୟାଳୟରେ ଯେତେବେଳେ ବିଏମସିର ବୁଲଡୋଜର ଚାଲୁଥିଲା, ସେତେବେଳେ ସେ ମୁମ୍ବାଇରେ ନଥିଲେ । ମୁମ୍ବାଇ ଆସିବା ପାଇଁ ବାହାରି ସାରିଥିଲେ କଙ୍ଗନା ରନାୱତ ଏବଂ ତାଙ୍କୁ ପ୍ରତି ମିନିଟରେ ଘଟୁଥିବା ପ୍ରତ୍ୟେକ ଘଟଣାର ଖବର ଥିଲା । ସେଥିପାଇଁ ରାସ୍ତାରେ ରହି ମହାରାଷ୍ଟ୍ର ସରକାରଙ୍କ ଉପରେ ପାଲଟା ଆକ୍ରମଣ କରୁଥିଲେ । କଙ୍ଗନା ଟ୍ୱିଟ କଲେ-
କଙ୍ଗନା ବନାମ ଶିବସେନା

‘ମଣିକର୍ଣ୍ଣିକା ଫିଲ୍ମର ପ୍ରଥମ ଫିଲ୍ମ ଅଯୋଧ୍ୟାର ଘୋଷଣା ହେଲା । ଏହା ମୋ ପାଇଁ କେବଳ ଏକ ଘର ନୁହେଁ ମନ୍ଦିର । ଆଜି ଏଠାକୁ ‘ବାବର’ ଆସିଛି । ଆଜି ପୁଣି ଇତିହାସର ପୁନରାବୃତ୍ତି ହେବ, ରାମ ମନ୍ଦିର ପୁଣି ଭାଙ୍ଗିବ । କିନ୍ତୁ ମନେ ରଖ ‘ବାବର’ ମନ୍ଦିର ପୁଣି ତିଆରି ହେବ । ଏହି ମନ୍ଦିର ପୁଣି ତିଆରି ହେବ । ଜୟ ଶ୍ରୀ ରାମ, ଜୟ ଶ୍ରୀ ରାମ, ଜୟ ଶ୍ରୀ ରାମ ।’

ବିଏମସିର ଭଙ୍ଗାରୁଜା ଆରମ୍ଭ ହେବା ଆଗରୁ ମଧ୍ୟ କଙ୍ଗନା ଏକ ଟ୍ୱିଟ କରିଥିଲେ ।  ‘ମହାରାଷ୍ଟ୍ର ସରକାର ଏବଂ ତାଙ୍କ ଗୁଣ୍ଡା ମୋ ଅଫିସରେ ଅଛନ୍ତି । ଭଙ୍ଗାରୁଜା ଆରମ୍ଭ ହେବାକୁ ଯାଉଛି । କିନ୍ତୁ ମୋର ଆତ୍ମବିଶ୍ୱାସ ଆହୁରି ବଢିବ ।’ ମହାରାଷ୍ଟ୍ରର ମେଂଟ ସରକାରରେ ସାମିଲ ଏନସିପି ମୁଖ୍ୟ, କଙ୍ଗନାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଦାୟିତ୍ୱହୀନ କହି ସମାଲୋଚନା କରିଥିଲେ । ହେଲେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିବା ପରେ ବଦଳିଗଲା ତାଙ୍କ ସ୍ୱର । ଅନୁମାନ କରାଯାଉଥିଲା ଉଦ୍ଧବ ଠାକରେଙ୍କୁ ଭେଟି କଙ୍ଗନା ପ୍ରସଙ୍ଗରେ ଆଲୋଚନା କରିବେ ଏନସିପି ମୁଖ୍ୟ ଶରଦ ପାୱାର । ହେଲେ କୁହାଯାଉଛି ଏହାକୁ ବିଏମସିର ମାମଲା କହି ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଦିଆଗଲା ।