କନକ ବ୍ୟୁରୋ : ଗୋଟିଏ ପରେ ଗୋଟିଏ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇପଡୁଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ । ଇନଷ୍ଟାଗ୍ରାମରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କୁ ଏପରି କିଛି ପୋଷ୍ଟ କରିଛନ୍ତି ଯାହାକୁ ନେଇ ପୁଣି ବିବାଦ ବଢିଛି । ତାଙ୍କ ବିରୋଧରେ ତାତିଛି କଂଗ୍ରେସ ଆଉ ରାଜସ୍ଥାନ ଜୟପୁରରେ ତାଙ୍କ ବିରୋଧରେ ଦାଏର ହୋଇଛି ମାମଲା ।

Advertisment

ଦେଶର ସ୍ୱାଧୀନତା ଉପରେ କଟୁ ମନ୍ତବ୍ୟ ଦେଇ ବିବାଦକୁ ଆସିବା ପରେ ଏବେ ପୁଣି ତାଙ୍କର ଚିନ୍ତାଧାରା ବିଗିଡିବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏକ ଦୀର୍ଘ ମେସେଜ୍ କରିଛନ୍ତି କଙ୍ଗନା । ସାଇଟରେ ଏକ ଖବରକାଗଜର କଟିଙ୍ଗ ପେଷ୍ଟ କରିବା ସହ ଲେଖିଛନ୍ତି ଯେ, ‘ଆପଣ ଗାନ୍ଧୀଙ୍କ ପ୍ରଶଂସକ ହୋଇଥିବେ ନୋଚେତ୍ ନେତାଜୀଙ୍କ ସମର୍ଥକ ହୋଇଥିବେ । ହେଲେ ଦୁଇ ଜଣଙ୍କୁ ଏକାସାଙ୍ଗରେ କେବେବି ସମର୍ଥନ କରିପାରିବେ ନାହିଁ । ମହାତ୍ମା କ୍ଷମତାର ଆଶାୟୀ ଥିଲେ । ସେ ଭାରି ଚାଲାକ ଥିଲେ ।’ ଏପରି ମନ୍ତବ୍ୟରେ କଂଗ୍ରେସ ନେତା କଙ୍ଗନାଙ୍କୁ କଡା ସମାଲୋଚନା କରିଛନ୍ତି ।ଏହାସହ ତାଙ୍କ ବିରୋଧରେ ଦାଏର ହୋଇଛି ମାମଲା ।ଏହା ପୂର୍ବରୁ ସ୍ୱାଧୀନତା ଆମକୁ ଭିକ ରୂପେ ମିଳିଛି ବୋଲି କହିବା ପରେ ଏବେ ମହାତ୍ମାଙ୍କୁ ନେଇ ତାଙ୍କ ମନ୍ତବ୍ୟ ପୁଣି ତାଙ୍କ ଅଡୁଆ ବଢାଇଛି ।

ମହାତ୍ମା ଗାନ୍ଧୀଙ୍କୁ ନେଇ ଆଉ କ’ଣ ଲେଖିଥିଲେ କଙ୍ଗନା?
ପ୍ରଥମେ ଲେଖିଲେ, ''ଯେଉଁମାନେ ସ୍ୱାଧୀନତା ପାଇଁ ଲଢିଥିଲେ ସେମାନଙ୍କୁ ସେମାନଙ୍କ ମାଲିକମାନଙ୍କ ହାତରେ ଟେକିଦେଲେ । ସେମାନଙ୍କର ଅତ୍ୟାଚାରୀଙ୍କ ସହ ଲଢିବାର ସାହସ ନଥିଲା। ଏମାନେ କ୍ଷମତାର ଭୋକିଲା ଏବଂ ଚାଲାକ ଲୋକ ଥିଲେ । ସେମାନେ ହିଁ ଆମକୁ ଶିଖାଇଥିଲେ ଯେ ଯଦି କେହି ଆପଣଙ୍କୁ ଗୋଟିଏ ଗାଲରେ ଚାପୁଡ଼ା ମାରିବେ, ତାଙ୍କୁ ଆଉ ଗୋଟେ ଗାଲ ଦେଖାଇଦିଅ । ଏହିପରି ଆପଣ ସ୍ୱାଧୀନତା ପାଇବେ । ଏହି ଉପାୟରେ ପାଇଥିବା ସ୍ୱାଧୀନତା ସ୍ୱାଧୀନତା ନୁହେଁ ବରଂ ଭିକ । ତେଣୁ ତୁମର ହିରୋକୁ ବୁଦ୍ଧିମତାର ସହ ବାଛ''

ତାଙ୍କର ଦ୍ୱିତୀୟ ପୋଷ୍ଟରେ କଙ୍ଗନା ରାଣାୱତ ଲୋକଙ୍କୁ ଇତିହାସ ବିଷୟରେ ଜାଣିବାକୁ ଅନୁରୋଧ କରିବା ସହ ଲେଖିଲେ ଯେ, “ଗାନ୍ଧୀଜୀ ଚାହୁଁଥିଲେ ଯେ ଭଗତ ସିଂଙ୍କୁ ଫାଶୀ ଦିଆଯାଉ। "ଗାନ୍ଧୀଜୀ , ଭଗତ ସିଂ ଏବଂ ନେତାଜୀଙ୍କୁ କେବେ ସମର୍ଥନ କରିନାହାଁନ୍ତି। ଅନେକ ପ୍ରମାଣ ଅଛି ଯାହା ପ୍ରମାଣ କରୁଛି ଯେ ଗାନ୍ଧୀଜୀ ଭଗତ ସିଂଙ୍କୁ ଫାଶୀ ଦେବାକୁ ଚାହୁଁଥିଲେ। ତେଣୁ ଅପଣଙ୍କୁ ଅତି ଦୃଢତାର ସହ ଏହି ଦୁହିଁଙ୍କ ମଧ୍ୟରୁ ଜଣଙ୍କୁ ନିଜର ହିରୋ ଭାବେ ବାଛିବାକୁ ପଡିବ । ଲୋକଙ୍କୁ ନିଜ ଇତିହାସ ଓ ନିଜ ହିରୋଙ୍କ ବିଷୟରେ ଜାଣିବା ନିହାତୀ ଜରୁରୀ । ନୋଚେତ୍ ଏହା ଅତି ଦାୟିତ୍ୱହୀନତା ବୋଲି କୁହାଯିବ ନିଶ୍ଚୟ ।”

ବାରମ୍ବାର ବିବାଦୀୟ ମତ ଦେଇ ସମାଲୋଚନା ଓ ଆକ୍ରୋଶର ଶିକାର ହେବା ପରେ ବି ଟ୍ୱିଟ କରିବାରୁ ପଛଘଂଚା ଦେଉନାହାଁନ୍ତି କଙ୍ଗନା । ଦେଶର ମହାନାୟକଙ୍କୁୁ ନେଇ ଏପରି ମନ୍ତବ୍ୟ ଅନ୍ୟ କୌଣସି ରାଷ୍ଟ୍ରରେ ଦେଇଥାନ୍ତେ ଏପର୍ଯ୍ୟନ୍ତ ତାଙ୍କୁ ବି ପୁରା ଇତିହାସ ଜଣାପଡିଯାଇଥାନ୍ତା । ହେଲେ ଭାରତ ପରି ଦେଶରେ ଏଯାଏଁ ବି ସେ ତିଷ୍ଠି ରହିଛନ୍ତି । ଏହା କେବଳ ଗାନ୍ଧୀଜୀଙ୍କ ପାଇଁ ସମ୍ଭବ ହୋଇଛି । ଗୋଟିଏ ଗାଲକୁ ମାରିଲେ ଆଉ ଗୋଟିଏ ଗାଲ ଦେଖାଦେବାର ଗାନ୍ଧୀଙ୍କ ଫର୍ମୁଲା ଯୋଗୁଁ କଙ୍ଗନା ବର୍ତ୍ତି ଯାଉଛନ୍ତି ବୋଲି କିଛି କଂଗ୍ରେସ ନେତା କଟାକ୍ଷ କରିଛନ୍ତି ।