ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ । ତାଣ୍ଡବ ୱେବସିରିଜକୁ ନେଇ ଆଣିଥିଲେ ଅଭିଯୋଗ

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

614

କନକ ବ୍ୟୁରୋ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ୍ ରହିବା କଥା ସମସ୍ତଙ୍କୁ ଜଣା । ବିଭିନ୍ନ ସମୟରେ ତାଙ୍କ ବିଭିନ୍ନ ଟ୍ୱିଟକୁ ନେଇ ମଧ୍ୟ ଝଡ ସୃଷ୍ଟି ହୋଇଥାଏ । ହେଲେ ବୁଧବାର ତାଙ୍କ ନିଜର ଟ୍ୱିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ବନ୍ଦ ହୋଇଯିବା ଘଟଣା ଏବେ ସବୁଠି ଚର୍ଚ୍ଚା ସୃଷ୍ଟି କରିଛି । ଏନେଇ କଙ୍ଗନା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ଟ୍ୱିଟରର ସିଇଓ ଜ୍ୟାକଙ୍କୁ ଟ୍ୟାଗ୍ କରି କଙ୍ଗନା ଲେଖିଛନ୍ତି, ନିଜକୁ ଉଦାରବାଦୀ କହୁଥିବା ଲୋକମାନେ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିବା ପାଇଁ ଜ୍ୟାକଙ୍କ ପାଖରେ କାନ୍ଦିବାକୁ ଲାଗିଛନ୍ତି । ଫଳରେ ତାଙ୍କ ଆକାଉଣ୍ଟ ବୁଧବାର କିଛି ସମୟ ପାଇଁ ବନ୍ଦ ହୋଇଥିଲା । ସେହି ଲୋକମାନେ କଙ୍ଗନାଙ୍କୁ ଧମକ ଦେଉଥିବା କଥା ମଧ୍ୟ ସେ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏହାସହ ଫିଲ୍ମ ଜରିଆରେ ସେ ତାଙ୍କର ଦେଶଭକ୍ତ ଚରିତ୍ର ଆଗକୁ ଆଣିବେ ବୋଲି ଲେଖିଛନ୍ତି । କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ପୁଣିଥରେ ସାଧାରଣ ଭାବେ ଚାଲିବା ପରେ ସେ ଏହି ଟ୍ୱିଟ୍ କରି ତାଙ୍କ ବିରୋଧୀମାନଙ୍କୁ ଟାର୍ଗେଟ କରିଛନ୍ତି ।

ବିଭିନ୍ନ ଘଟଣାକୁ ନେଇ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ କିଛି ନା କିଛିି ଟ୍ୱିଟ୍ କରିଥାନ୍ତି । ଏହାକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥାଏ । କିଛି ଦିନ ତଳେ କଙ୍ଗନା ତାଣ୍ଡବ ୱେବସିରିଜକୁ ନେଇ ନିଜର ଅସନ୍ତୋଷ ଜାହିର କରିଥିଲେ । ଏଥିରେ ଥିବା କିଛି ଦୃଶ୍ୟକୁ ନେଇ ସେ ଆପତ୍ତି ଉଠାଇଥିଲେ । ନିର୍ଦ୍ଦେଶକ ଜାଣିଶୁଣି ଏହି ସିରିଜରେ ଭଗବାନ ଶିବଙ୍କୁ ଭିନ୍ନ ଧରଣରେ ଚିତ୍ରିତ କରିଛନ୍ତି ବୋଲି ସେ କହିଥିଲେ । ଯାହାକୁ ନେଇ ବିବାଦ ଠିଆ ହୋଇଥିଲା ।