କଙ୍ଗନା ବନାମ ମହାରାଷ୍ଟ୍ର ସରକାର: ଟ୍ୱିଟରରେ ସେୟାର କଲେ ବାଲା ସାହେବଙ୍କ ଭିଡିଓ; କଂଗ୍ରେସ ସଭାପତି ସୋନିଆଙ୍କୁ ହସ୍ତକ୍ଷେପ କରିବାକୁ କଲେ ଟ୍ୱିଟ

ସେପଟେ ଡ୍ରଗ୍ସ ଲିଙ୍କ ମାମଲାରେ ତଦନ୍ତ କରିବାକୁ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ

354

କନକ ବ୍ୟୁରୋ: କଙ୍ଗନା ବନାମ ମହାରାଷ୍ଟ୍ର ସରକାର । କଥା କଟାକଟିରୁ ବିବାଦ ଆରମ୍ଭ ହେବା ପରେ କଙ୍ଗନାଙ୍କ ଅଫିସରରେ ବୁଲଡୋଜର ଚାଲିବା ଯାଏଁ କଥା ଗଲା । ଏହାପରେ ଚାରି ବର୍ଷ ତଳର ଏକ ଭିଡିଓକୁ ଆଧାର କରି କଙ୍ଗନାଙ୍କ ବିରୋଧରେ ଆସିଥିବା ଡ୍ରଗ୍ସ ଲିଙ୍କ ଅଭିଯୋଗରେ ତଦନ୍ତ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ସେପଟେ ଟ୍ୱିଟରରେ ବାଲା ସାହେବଙ୍କ ଭିଡିଓ ସେୟାର କରିବା ସହ ସେ ତାଙ୍କର ଆଦର୍ଶ ଥିଲେ ବୋଲି ଲେଖିଛନ୍ତି କଙ୍ଗନା । ଏହାସହ କଂଗ୍ରେସ ସଭାପତି ସୋନିଆଙ୍କୁ ହସ୍ତକ୍ଷେପ କରିବାକୁ କରିଛନ୍ତି ଟ୍ୱିଟ ।

ଶିବସେନା ସହ କଙ୍ଗନାଙ୍କ ବିବାଦରେ ଗୋଟିଏ ପରେ ଗୋଟିଏ ନୂଆ ଫର୍ଦ୍ଦ ଯୋଡି ହେବାରେ ଲାଗିଛି । କଥା କଟାକଟିରୁ ବିବାଦ ଆରମ୍ଭ ହେବା ପରେ କଙ୍ଗନାଙ୍କ ଅଫିସରରେ ବୁଲଡୋଜର ଚାଲିବା ଯାଏଁ କଥା ଗଲା । ଏହାପରେ ଚାରି ବର୍ଷ ତଳର ଏକ ଭିଡିଓକୁ ଆଧାର କରି କଙ୍ଗନାଙ୍କ ବିରୋଧରେ ଆସିଥିବା ଡ୍ରଗ୍ସ ଲିଙ୍କ ଅଭିଯୋଗରେ ତଦନ୍ତ କରିବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ବିଧାନସଭାରେ ଏହି ପ୍ରସଙ୍ଗ ଉଠିବା ପରେ ୨୦୧୬ର ସେହି ସାକ୍ଷାତକାର ପୁଣି ଏବେ ଚର୍ଚ୍ଚାକୁ ଆସିଛି । ଯେଉଁଥିରେ କଙ୍ଗନାଙ୍କ ବନ୍ଧୁ ଅଧ୍ୟୟନ ସୁମନ କହିଛନ୍ତି ଯେ କଙ୍ଗନା କୋକିନ ନେଉଥିବା ସେ ଶୁଣିଛନ୍ତି ଏପରିକି ସେ ତାଙ୍କୁ ମଧ୍ୟ କୋକିନ ନେବା ପାଇଁ ବାଧ୍ୟ କରୁଥିଲେ ।

କଙ୍ଗନା ଓ ଶିବସେନା ନେତାଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହେବା ପରେ କଙ୍ଗନାଙ୍କ ଅଫିସରେ ବେଆଇନ ନିର୍ମାଣ ହୋଇଥିବା ଦର୍ଶାଇ ବୁଲଡୋଜର ଚଳାଇଥିଲା ବିଏମସି । ତେବେ ଏଥିରେ ଶିବସେନାର  କୌଣସି ସମ୍ପୃକ୍ତି ନାହିଁ ବରଂ ଏହା ଆଇନ ମୁତାବକ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଶିବସେନା ନେତା କହିଛନ୍ତି । ଅପରପକ୍ଷରେ ଏହାକୁ ସମାଲୋଚନା କରିଛି ବିଜେପି ।

କଙ୍ଗନା ଓ ଶିବସେନା ବିବାଦ ବଢୁଥିବା ବେଳେ ଏ ନେଇ ଟ୍ୱିଟର ଯୁଦ୍ଧ ଜାରି ରହିଛି । ଆଜି ଟ୍ୱିଟରରେ ବାଲା ସାହେବଙ୍କ ଏକ ଭିଡିଓ ସେୟାର କରିଛନ୍ତି କଙ୍ଗନା । ଏଥିରେ ସେ ଲେଖିଛନ୍ତି, ବାଲା ସାହେବ ତାଙ୍କର ଆଦର୍ଶ ଥିଲେ । ସେ ଡରୁଥିଲେ ଶିବସେନା ଦିନେ ମେଂଟ କରି କଂଗ୍ରେସ ହୋଇଯିବ । ତେବେ ଆଜିର ଦିନରେ ସେ କଣ ଭାବୁଥିବେ ବୋଲି ପ୍ରଶ୍ନ କରିଛନ୍ତି  କଙ୍ଗନା । ସୋନିଆ ଗାନ୍ଧିଙ୍କୁ ବି ସମାଲୋଚନା କରିଛନ୍ତି ବଲିଉଡ କ୍ୱିନ । କଙ୍ଗନା କହିଛନ୍ତି, ମହାରଷ୍ଟ୍ର ସରକାର ତାଙ୍କ ସହ ଯେଉଁଭଳି ଭାବେ ବ୍ୟବହାର କରୁଛନ୍ତି ସେଥିରେ ସୋନିଆ ଦୁଃଖିତ ନୁହନ୍ତି କି? ନିଜର ଦଳୀୟ କର୍ମକର୍ତାଙ୍କୁ ସମ୍ବିଧାନର ପଦମର୍ଯ୍ୟାଦା ରଖିବା ପାଇଁ ସେ କଣ କହିପାରିବେନି କି ବୋଲି ପ୍ରଶ୍ନ କରିଛନ୍ତି କଙ୍ଗନା । ମୁମ୍ବାଇରେ କଙ୍ଗନାଙ୍କ  ଅଫିସ ଭଙ୍ଗାଯିବା ପରେ ଉଦ୍ଧବଙ୍କୁ ମଧ୍ୟ ସମାଲୋଚନା କରିଥିଲେ କଙ୍ଗନା ।