ସ୍ୱାଧୀନତାକୁ ନେଇ କଙ୍ଗନାଙ୍କ ବିବାଦୀୟ ବୟାନ ପରେ ପ୍ରତିକ୍ରିୟା ରଖିଲେ ବରୁଣ ଗାନ୍ଧୀ, କହିଲେ ଏଭଳି କଥା

263

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣିଥରେ ବିବାଦ ଘେରକୁ ଆସିଛନ୍ତି । ସ୍ୱାଧୀନତାକୁ ନେଇ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ ପରେ ବିଜେପି ସାଂସଦ ବରୁଣ ଗାନ୍ଧୀ କଙ୍ଗନାକୁ ଟାର୍ଗେଟ୍ କରିଛନ୍ତି । ବରୁଣ କଙ୍ଗନାଙ୍କ ଉପରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଦେଇଥିବା ବୟାନ ସେମାନଙ୍କ ପାଇଁ ଅପମାନ କହିବା ସହ ଏଭଳି ଚିନ୍ତା ଜଣେ ପାଗଳ କିମ୍ବା ଦେଶଦ୍ରୋହୀ କରିପାରେ ବୋଲି କହିଛନ୍ତି ।

ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି କି “କେବେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ତପସ୍ୟାକୁ ଅପମାନ, କେବେ ତାଙ୍କ ହତ୍ୟାକାରୀକୁ ସମ୍ମାନ ଓ ଏବେ ସହିଦ ମଙ୍ଗଲ ପାଣ୍ଡେଙ୍କ ଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ,ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁବାଷ ଚନ୍ଦ୍ର ବୋସ ଓ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗକୁ ତିରସ୍କାର, ଏଭଳି ଚିନ୍ତାଧାରାକୁ ପାଗଳ କୁହାଯିବ ନା ଦେଶଦ୍ରୋହୀ”

କେବଳ ବରୁଣ ଗାନ୍ଧୀ ନୁହଁନ୍ତି କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅକାଳୀଦଳର ବରିଷ୍ଠ ନେତା ମନଜିନ୍ଦର ସିଂ ସୀରସା ବି ଏକ ଟ୍ୱିଟ କରି କହିଛନ୍ତି କି “ମଣିକର୍ଣ୍ଣିକା ଭଳି ସିନେମାରେ ଅଭିନୟ କରିଥିବା ଜଣେ ଅଭିନେତ୍ରୀ ସ୍ୱାଧୀନତାକୁ ଭିକ୍ଷାବୋଲି କହିବା ଏକ ଲଜ୍ଜାଜନକ ଘଟଣା, ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନରୁ ମିଳିଥିବା ସ୍ୱାଧୀନତାକୁ ଭିକ୍ଷା ବୋଲି କହିବା କଙ୍ଗନାଙ୍କ ମାନସିକ ଦୁର୍ବଳତା ଅଟେ”

କହିରଖୁ କି ଏକ ସାକ୍ଷାତକାରରେ କଙ୍ଗନା ରାଣାୱତ ଦେଶକୁ ମିିଳିଥିବା ସ୍ୱାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି “ଭିକ୍ଷାରେ ମିଳିଥିବା ସ୍ୱାଧୀନତାକୁ ସ୍ୱାଧୀନତା କୁହାଯାଇ ନପାରେ ? ସାବରକର, ଲକ୍ଷ୍ମୀବାଇ, ନେତାଜୀ ସୁବାଷ ବୋଷ ଭଳି ସ୍ୱାଧୀନତା ସଂଗ୍ରାମୀ ମାନେ ଜାଣିଥିଲେ କି ସ୍ୱାଧୀନତା ପାଇଁ ରକ୍ତ ଝରିବ କିନ୍ତୁ ହିନ୍ଦୁସ୍ଥାନୀ-ହିନ୍ଦୁସ୍ଥାନୀଙ୍କ ରକ୍ତରେ ହୋଲି ନଖେଳୁ । ହେଲେ ଆମକୁ ୧୯୪୭ ରେ ଯେଉଁ ସ୍ୱାଧୀନତା ମିିଳିଥିଲା ତାହା ଭିକ୍ଷାରେ ମିଳିଥିଲା ଓ ଦେଶକୁ ୨୦୧୪ ରେ ପ୍ରକୃତ ସ୍ୱାଧୀନତା ମିଳିଛି ”