ବିବାଦ ବଢିବା ପରେ ସାମ୍ନାକୁ ଆସିଲେ କଙ୍ଗନା, ଦେଇଥିବା ବୟାନକୁ ନେଇ କହିଲେ ଏମିତି କଥା

988

କନକ ବ୍ୟୁରୋ : ଦେଶକୁ ମିଳିଥିବା ସ୍ୱାଧୀନତା ଓ ସ୍ୱାଧୀନତା ସଂଗ୍ରମୀଙ୍କ ବାବଦରେ ବିବାଦୀୟ ବୟାନ ଦେଇଥିବା କଙ୍ଗନାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏନେଇ କେବଳ ବିରୋଧୀ ନୁହଁନ୍ତି ବିଜେପି ସରକାରଙ୍କ କିଛି ବରିଷ୍ଠ ନେତା ବି କଙ୍ଗନାଙ୍କୁ ବିରୋଧ କରିବା ଆରମ୍ଭ କରିଦେଇଛନ୍ତି । କଙ୍ଗନାଙ୍କୁ ଗିରଫ ଓ ସରକାର ପ୍ରଦାନ କରିଥିବା ପଦ୍ମ ପୁରସ୍କାର ଫେରାଇ ନେବାକୁ ସାରା ଦେଶରୁ ସ୍ୱର ଉଠୁଥିବା ବେଳେ ଏବେ ନିଜର ବୟାନକୁ ନେଇ ମୁହଁ ଖୋଲିଛନ୍ତି କଙ୍ଗନା ରାଣାୱତ ।

କଙ୍ଗନା କହିଛନ୍ତି କି ସେ ତାଙ୍କ ବୟାନରେ ସହିଦ ମାନଙ୍କ ପ୍ରତି ଅସମ୍ମାନ ହେବା ଭଳି କୌଣସି କଥା କହି ନାହାଁନ୍ତି । ଏନେଇ ଯଦି କେହି ପ୍ରମାଣ ଦେଇପାରିବେ ତେବେ ସେ ପଦ୍ମଶ୍ରୀ ପୁରସ୍କାର ଫେରାଇଦେବେ ବୋଲି କହିଛନ୍ତି ।

କହିରଖୁ କି ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଏକ ଟେଲିଭିଜନକୁ ସାକ୍ଷାତକାର ଦେଇ କଙ୍ଗନା କହିଥିଲେ କି ଦେଶକୁ ୧୯୪୭ ନୁହେଁ ବରଂ ୨୦୧୪ ରେ ସ୍ୱାଧୀନତା ମିଳିଲା । ଏହାସହ ୧୯୪୭ ରେ ମିଳିଥିବା ସ୍ୱାଧୀନତା ସଂଗ୍ରାମ ବଳରେ ନୁହେଁ ବରଂ ଭିକ୍ଷା ମାଗିବା ବଳରେ ମଳିଥିଲା ବୋଲି ଏକ ବିବାଦୀୟ ବୟାନ ଦେଇଥିଲେ ।

ଏଭଳି ବୟାନ ପ୍ରଚାରିତ ହେବା ପରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ କଙ୍ଗନାଙ୍କୁ ସମାଲୋଚନା କରିବା ସହ ତାଙ୍କୁ ଗିରଫ୍ କରାଯାଉ ଓ ତାଙ୍କୁ ମଳିଥିବା ପଦ୍ମଶ୍ରୀ ପୁରସ୍କାର ଫେରାଇ ଅଣାଯାଉ ବୋଲି ଦାବି କରିଥିଲେ । ବିରୋଧୀମାନେ କେବଳ କଙ୍ଗନାଙ୍କୁ ନୁହେଁ ଏନେଇ ବିଜେପିକୁ ବି ଟାର୍ଗେଟ କରିଥିଲେ । କିଛି ବିରୋଧୀ ନେତା କହିଥିଲେ କି ଏହା କଙ୍ଗନାଙ୍କ ଭାଷା ନୁହେଁ ବରଂ ବିଜେପି ଓ ଆରଏସଏସର ପ୍ରାୟୋଜିତ ଭାଷା ଓ ଏଭଳି କରି ସଂଘ ପରିବାର ନିଜର ଆଦର୍ଶକୁ ଦେଶବାସୀଙ୍କ ଉପରେ ଲଦି ଦେବାକୁ ଯୋଜନା କରୁଛି ।

ଆପଣା ମନ୍ତବ୍ୟ ସପକ୍ଷରେ ଯୁକ୍ତି ଉପସ୍ଥାପନ କରି କଙ୍ଗନା ଭାରତୀୟ ସ୍ବାଧୀନତା ସଂଗ୍ରାମ ସଂକ୍ରାନ୍ତରେ ବର୍ଣ୍ଣନା ଥିବା ଏକ ପୁସ୍ତକର ଫଟୋ ସେୟାର୍‌ କରିଛନ୍ତି । ସେ ଲେଖିଛନ୍ତି, ସ୍ବାଧୀନତା ପାଇଁ ୧୮୫୭ର ପ୍ରଥମ ସମ୍ମିଳିତ ସଂଗ୍ରାମ ସହ ସୁଭାଷ ଚନ୍ଦ୍ର ବୋଷ, ରାଣୀ ଲକ୍ଷ୍ମୀବାଈ ଏବଂ ବୀର ସବରକରଙ୍କ ପରି ମହାନ୍‌ ନେତାଙ୍କ ତ୍ୟାଗ କଥା ସେ ସାକ୍ଷାତ୍‌କାରରେ ଅତି ପ୍ରାଞ୍ଜଳ ଭାବେ ବର୍ଣ୍ଣିତ । ୧୮୫୭ କଥା ମୁଁ ଜାଣେ, କିନ୍ତୁ ୧୯୪୭ରେ କେଉଁ ଯୁଦ୍ଧ ହୋଇଥିଲା ସେ ବିଷୟରେ ମୁଁ ସଚେତନ ନୁହେଁ । ଯଦି ମତେ କେହି ଏ ବିଷୟରେ ସଚେତନ କରାଇ ପାରିବେ ମୁଁ ପଦ୍ମଶ୍ରୀ ଫେରାଇ କ୍ଷମା ମାଗିବି । ଦୟାକରି ଏଥିପାଇଁ ମତେ ସାହାଯ୍ୟ କରନ୍ତୁ ।

ଏହା ପରେ କଙ୍ଗନା ଆହୁରି କହିଛନ୍ତି ଯେ, ରାଣୀ ଲକ୍ଷ୍ମୀବାଈଙ୍କ ଉପରେ ଆଧାରିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ମୁଁ ୧୮୫୭ରେ ହୋଇଥିବା ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବିଷୟରେ ବ୍ୟାପକ ଗବେଷଣା କରିଥିଲି । ସେ ଆହୁରି ମଧ୍ୟ କହିଛନ୍ତି, ଜାତୀୟତାବାଦର ଉତ୍ଥାନ ହେବା ସହ ଦକ୍ଷିଣପନ୍ଥୀର ଉତ୍ଥାନ ହେଲା କିନ୍ତୁ, ହଠାତ୍‌ ତା’ର ଅବସାନ ଘଟିଲା କାହିଁକି ? ଗାନ୍ଧୀ କାହିଁକି ଭଗତ୍‌ ସିଂହଙ୍କୁ ମରିବାକୁ ଛାଡ଼ିଦେଲେ, ନେତା ବୋଷ୍‌ କାହିଁକି ନିହତ ହେଲେ ଏବଂ ଗାନ୍ଧୀ କଦାପି ତାଙ୍କୁ ସମର୍ଥନ କଲେ ନାହିଁ କାହିଁକି? ଦେଶ ବିଭାଜନ ରେଖା କାହିଁକି ଶ୍ବେତାଙ୍ଗ ଟାଣିଲେ? ସ୍ବାଧୀନତା ପାଳିବା ଛାଡ଼ି ଭାରତୀୟମାନେ ପରସ୍ପରକୁ ହତ୍ୟା କଲେ କାହିଁକି? ଏମିତି କେତେକ ପ୍ରଶ୍ନର ଉତ୍ତର ପାଇବାରେ ଦୟାପୂର୍ବକ ମତେ ସହଯୋଗ କରିବେ କି? ଦେଇଥିବା ମନ୍ତବ୍ୟ ପାଇଁ ଯେକୌଣସି ପରିଣାମର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ।