ପ୍ରତ୍ୟାହର ହେଲା କୃଷି ଆଇନ । କଙ୍ଗନା କହିଲେ, ଦୁଃଖଦାୟକ, ଲଜ୍ଜାଜନକ ଓ ବିଲକୁଲ ଗ୍ରହଣୀୟ ନୁହେଁ । 

731

କନକ ବ୍ୟୁରୋ : ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିବା ପରେ ଚାଷୀ ସଙ୍ଗଠନରେ ଖୁସିରେ ଝୁମି ଉଠିଛନ୍ତି । ବିରୋଧୀ ମଧ୍ୟ ଚାଷୀଙ୍କ ସହ ଉତ୍ସବ ପାଳିଛନ୍ତି । ଚୀଷୀଙ୍କ ଆନ୍ଦୋଳନର ଜୟ ହୋଇଛି ବୋଲି ବିରୋଧୀ କହୁଛନ୍ତି । ଆଉ ଏସବୁ ଭିତରେ ବଲିଉଡ ଅଭିନେତ୍ରୀ ତଥା ଗତ କିଛି ଦିନ ହେବ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କଙ୍ଗନା ରଣାୱତ ପୁଣିଥରେ ତୁଣ୍ଡ ଖୋଲି ଚର୍ଚ୍ଚାକୁ ଆସିଛନ୍ତି । ମୋଦୀଙ୍କ  ଏଭଳି ନିଷ୍ପତ୍ତି ରେ କଙ୍ଗନା ନିରାଶ ବ୍ୟକ୍ତ କରିଛନ୍ତି । ଏହାସହ ଭାରତକୁ ପରୋକ୍ଷରେ ଏକ ଜିହାଦୀ ରାଷ୍ଟ୍ର କହିବାକୁ ମଧ୍ୟ ପଛାଇ ନାହାନ୍ତି ।

ବିବାଦୀୟ ବୟାନ ପାଇଁ ଟ୍ୱିଟରରୁ ବିଦା ହୋଇଥିବା କଙ୍ଗନା ଇନଷ୍ଟାଗ୍ରାମରେ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ନେଇ ନିରାଶ ବ୍ୟକ୍ତ କରିଛନ୍ତି । ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରିବା ସହ କଙ୍ଗନା ଲେଖିଛନ୍ତି, ଏହା ବେଶ ଦୁଃଖଦାୟକ, ଲଜ୍ଜାଜନକ ଓ ବିଲକୁଲ ଗ୍ରହଣୀୟ ନୁହେଁ ।ଯଦି ସଂସଦକୁ ନିର୍ବାଚିତ ସରକାରଙ୍କ ବଦଳରେ ଲୋକ ରାସ୍ତା ଉପରେ ଆଇନ ତିଆରି କରିବେ ତେବେ ଏହା ଏକ ଜିହାଦୀ ଦେଶ । ସେହିମାନଙ୍କୁ ଶୁଭେଚ୍ଛା ଯେଉଁମାନେ ଏଭଳି ଚାହୁଁଥିଲେ । ଆଉ କଙ୍ଗନାଙ୍କ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ପୁଣିଥରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ଏହାପୂର୍ବରୁ ୨୦୧୪ ପରେ ଭାରତକୁ ପ୍ରକୃତ ସ୍ୱାଧୀନତା ମିଳିଛି ବୋଲି କହି ବିବାଦ ସୃଷ୍ଟି କରିଛନ୍ତି କଙ୍ଗନା । ଆଉ ଏବେ କଙ୍ଗନାଙ୍କ ଏଭଳି ଏକ ବୟାନକୁ ନେଇ ଚାଷୀ ସଙ୍ଗଠନ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

କୃଷି ଆଇନକୁ ନେଇ ଦୀର୍ଘ ଦିନ ହେବ ଆନ୍ଦୋଳନ ଜାରି ରହିବା ପରେ ଆଜି ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।ଦେଶବାସୀଙ୍କୁ ସମ୍ବୋଧନ କରିବା ସହ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ କରିଛନ୍ତି ମୋଦୀ । ଏହାସହ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଯିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ସଂସଦ ଅଧିବେଶନରେ ଆଇନ ପ୍ରତ୍ୟାହାର ନେଇ ସାମ୍ବିଧାନିକ ପ୍ରକ୍ରିୟା ଶେଷ କରାଯିବ । ମୋଦି କହିଛନ୍ତି, କୃଷିରେ ସୁଧାର ଆଣିବା ପାଇଁ ସରକାର ତିନିଟି ନୂଆ ଆଇନ ଆଣିଥିଲେ । ଏହା ଦ୍ୱାରା କ୍ଷୁଦ୍ର ଚାଷୀଙ୍କୁ ଅଧିକ ଶକ୍ତି ମିଳିଥାନ୍ତା ।

ନୂଆ ଆଇନ ପାଇଁ ଦୀର୍ଘ ବର୍ଷ ଧରି କୃଷକ, ବିଶେଷଜ୍ଞ, ଅର୍ଥଶାସ୍ତ୍ରୀ ଦାବି ହୋଇ ଆସୁଥିଲା । ଯେତେବେଳେ ନୂଆ ଆଇନ ଆସିଥିଲା ସଂସଦରେ ଚର୍ଚ୍ଚା ହୋଇଥିଲା । ଦେଶର କୃଷକ ଓ କୃଷକ ସଂଗଠନ ଏହାକୁ ସ୍ୱାଗତ କରିଥିଲେ । ହେଲେ ନୂଆ ଆଇନ ନେଇ ଗୋଟିଏ କୃଷକ ଗୋଷ୍ଠୀ ବିରୋଧ କରୁଥିଲେ ।ସରକାର କୃଷି ଆଇନରେ ପରିବର୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ଏହା ସତ୍ୱେ ସେମାନଙ୍କୁ ବୁଝାଯାଇ ପାରିନଥିଲା ନାହିଁ । ତେଣୁ କୃଷକଙ୍କ ସ୍ୱାର୍ଥ ପାଇଁ ତିନି ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯାଇଥିବା ମୋଦି ଘୋଷଣା କରିଛନ୍ତି ।