ବିବାଦ ଛାଡୁନି କଙ୍ଗନାଙ୍କ ପିଛା । ଦେଶର ସ୍ୱାଧିନତା ନେଇ ବୟାନ ପରେ ମହାତ୍ମା ଗାନ୍ଧୀଙ୍କୁ ସମାଲୋଚନା କଲେ କଙ୍ଗନା ।

138

କନକ ବ୍ୟୁରୋ: ୧୯୪୭ରେ ଦେଶ ସ୍ୱାଧିନତାକୁ ଭିକ୍ଷା ବୋଲି କହିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ପୁଣିଥରେ ବିବାଦୀୟ ବୟାନ ଦେଇଛନ୍ତି । ଏଥର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନିଶାନା ସାଧିଛନ୍ତି କଙ୍ଗନା । ମଙ୍ଗଳବାର ନିଜ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ ଉପରେ ପୋଷ୍ଟ କରି ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି । ପୁରୁଣା ପେପରର ଏକ କଟିଂ ସେୟାର କରି ମହତ୍ମା ଗାନ୍ଧୀଙ୍କୁ ଟାର୍ଗେଟ କରଛନ୍ତିି କଙ୍ଗନା । ନିଜ ଇଂଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି –

ଆପଣ ଜଣେ ଗାନ୍ଧୀ ପ୍ରଶଂସକ ହୋଇଥିବେ ନହେଲେ ନେତାଜୀଙ୍କ ସମର୍ଥକ.. ଆପଣ କେବେ ବି ଉଭୟ ହୋଇ ପାରିବେ ନାହିଁ.. ମହାନ ସ୍ୱାଧିନତା ସଂଗ୍ରାମୀ ସୁବାଷ ବୋଷ କିମ୍ବା ଭଗତ ସିଂହ, ମହାତ୍ମା ଗାନ୍ଧୀଙ୍କ ନିକଟରୁ କୌଣସି ସହାୟତା ପାଇନଥିଲେ.. ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ପାଇଁ ଦେଶକୁ ସ୍ୱାଧିନତା ମିଳିନି.. ଗୋଟିଏ ଗାଲରେ ଜାବୁଡା ବସିଲେ ଦ୍ୱିତୀୟ ଗାଲ ଦେଖାଇଦେବା ନୀତି ପାଇଁ ଭାରତ ସ୍ୱାଧିନ ହୋଇନି..”

ଗୋଟିଏ ପରେ ଆଉ ଗୋଟିଏ ବିବାଦୀୟ ବୟାନ ଦେଇ ଏବେ ରାଜନେତାଙ୍କ ଠାରୁ ଆରମ୍ଭ କରି ସହକର୍ମୀ ସଭିଁଙ୍କ ସମାଲୋଚନାର ଶୀକାର ହୋଇଛନ୍ତି କଙ୍ଗନା । ବିଭିନ୍ନ ରାଜନୈତିକ ଦଳ କଙ୍ଗନାଙ୍କୁ ପଦ୍ମଶ୍ରୀ ଫେରାଇ ଦେବାକୁ ମଧ୍ୟ ଦାବି କରିଛନ୍ତି । ଗାନ୍ଧୀଙ୍କ ଅହିଂସା ନୀତି ଉପରେ ପ୍ରଶ୍ନ ଉଠାଇଥିବା କଙ୍ଗନାଙ୍କୁ ସମାଲୋଚନା କରି ଶୀବସେନା ନେତା ସଂଜୟ ରାଉତ କହିଛନ୍ତି, ଭାରତ ସରକାର ଏବେ ବି ମହାତ୍ମା ଗାନ୍ଧୀଙ୍କ ନୀତି ପାଳନ କରୁଛନ୍ତି । ଚୀନ ଲଦାଖରେ ଅନୁପ୍ରବେଶ କରିବା ପରେ ଏବେ ଆମେ ଅରୁଣାଚଳପ୍ରଦେଶରେ ବି ଅନୁପ୍ରବେଶ କରିବାକୁ ଛାଡି ଦେଉଛୁ ବୋଲି ସମାଲୋଚନା କରିଛନ୍ତି ସଂଜୟ ରାଉତ ।

ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଏକ ଇଂଟରଭ୍ୟୁରେ ୧୯୪୭ରେ ଦେଶ ସ୍ୱାଧିନତାକୁ ଭିକ୍ଷାରେ ମିଳିଥିବା ସ୍ୱାଧିନତା ବୋଲି କହିଥିଲେ କଙ୍ଗନା । ଏହାସହ ପ୍ରକୃତ ସ୍ୱାଧିନତା ୨୦୧୪ରେ ମିଳିଛି ବୋଲି କଙ୍ଗନା କହିଥିଲେ । ଆଉ ଏପରି କହି ସେ ମୋଦୀ ସରକାର ଓ ବିଜେପିର ପ୍ରଶଂସା କରିବା ଉଦ୍ଦେଶ୍ୟରେ କହିଥିଲେ ବୋଲି ବିରୋଧି ସମାଲୋଚନା କରୁଛନ୍ତି ।