କଙ୍ଗନା ରାନାୱତଙ୍କୁ ସୋସିଆଲ୍ ମିଡିଆରେ ଧମକ ଦେବା ପଡିଲା ମହଙ୍ଗା : ଝାରସୁଗୁଡା ବାର କାଉନସିଲରୁ ନିଲମ୍ବିତ ହେଲେ ଆଇନଜୀବୀ ମେହେନ୍ଦି ରାଜା ; କଙ୍ଗନାଙ୍କ ପୋଷ୍ଟରେ ଦେଇଥିଲେ ଅଶାଳୀନ ମନ୍ତବ୍ୟ

ଏସପିଙ୍କ ନିକଟରେ ଅଭିଯୋଗ କଲା ବାର କାଉନସିଲ

371

କନକ ବ୍ୟୁରୋ : କଙ୍ଗନା ରାଣାୱତଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଝାରସୁଗୁଡା ବାର କାଉନସିଲରୁ ନିଲମ୍ବିତ ହେଲେ ଆଇନଜୀବୀ ମେହେନ୍ଦି ରାଜା । ସୋସିଆଲ ମିଡିଆରେ କଙ୍ଗନାଙ୍କ ଏକ ପୋଷ୍ଟରେ କମେଂଟ ଦେଇଥିଲେ ଝାରସୁଗୁଡାର ଏହି ଓକିଲ । ଯେଉଁଥିରେ ସେ କଙ୍ଗନା ରାଣାୱତଙ୍କୁ ଦୁଷ୍କର୍ମର ଧମକ ଦେଇଥିଲେ । ଏହାକୁ ନେଇ ସୋସିଆଲ ମିଡିଆରେ ତୁମ୍ବିତୋଫାନ ଲାଗି ରହିଥିବା ବେଳେ ମେହେନ୍ଦି ରାଜାଙ୍କୁ ନିଲମ୍ବନ କରିଛି ଝାରସୁଗୁଡା ବାର କାଉନସିଲ ।

ଏହାସହ ଏହି ଆଇନଜୀବୀଙ୍କୁ ଝାରସୁଗୁଡା ବାର କାଉନସିଲ ତରଫରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେପଟେ ଝାରସୁଗୁଡାରେ ଆଇନଜୀବୀମାନଙ୍କର ଏକ ପ୍ରତିନିଧି ଦଳ ଏସପିଙ୍କୁ ଭେଟିଛନ୍ତି । ଏହା ସହ କଙ୍ଗନାଙ୍କୁ ସୋସିଆଲ ମିଡିଆରେ ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ଆଇନଜୀବୀ ମେହେନ୍ଦି ରାଜାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦୁର୍ଗା ପୂଜାର ଅଭିନନ୍ଦନ ସମ୍ପର୍କୀତ ଏକ ଟ୍ୱିଟ କରିଥିଲେ କଙ୍ଗନା ରାଣାୱତ ।

ତେବେ ଏଥିରେ ମହାରାଷ୍ଟ୍ର ସରକାରଙ୍କୁ ବି ସମାଲୋଚନା କରାଯାଇଥିଲା । ଆଉ ଏହି ପୋଷ୍ଟ ଉପରେ ଅଶ୍ଳୀଳ ପ୍ରତିକ୍ରିୟା ରଖିଥିଲେ ମେହେନ୍ଦି ରାଜା । ଏହାପରେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ସମାଲୋଚନା କରାଯାଇଥିଲା । ପୂର୍ବରୁ ମଧ୍ୟ ସେ କଙ୍ଗନା ଓ ଗୌତମ ଗାମ୍ଭୀରଙ୍କ ପୋଷ୍ଟ ଉପରେ ଆପତିଜନକ ପ୍ରତିକ୍ରିୟା ରଖିଥିବା ନଜିର ରହିଛି ।