ପଞ୍ଜାବରେ କଙ୍ଗନାଙ୍କୁ ବିରୋଧ , ଅଭିନେତ୍ରୀଙ୍କ ଗାଡି ଉପରକୁ କୃଷକଙ୍କ ଆକ୍ରମଣ ଅଭିଯୋଗ

78

କନକ ବ୍ୟୁରୋ : ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତ ସର୍ବଦା ନିଜର ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ ଜଣଙ୍କ କିଛିଦିନ ହେବ କ୍ରମାଗତଭାବେ କୃଷକ ଓ କୃଷକ ଆନ୍ଦୋଳନୁ ଟାର୍ଗେଟ୍ କରିଛନ୍ତି । କୃଷି ଆଇନକୁ ବିରୋଧ କରି କୃଷକମାନେ ଆନ୍ଦୋଳନ ଚଳାଇଥିବା ବେଳେ ସେମାନଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ଦେଇ କୃଷକଙ୍କ ବିରୋଧୀ ହୋଇଛନ୍ତି କଙ୍ଗନା । ଅନ୍ୟପଟେ ପଞ୍ଜାବର ସୁପରଷ୍ଟାର ଦିଲଜିତ ଦୋସାଞ୍ଝା ଓ କଙ୍ଗନାଙ୍କ ମଧ୍ୟରେ ହୋଇଥିବା ବିତର୍କକୁ ନେଇ ଦେଶରେ ଖୁବ୍ ଚର୍ଚ୍ଚା ହୋଇଥିଲା । ଏବେ କଙ୍ଗନା ପଞ୍ଜାବ ଯାଉଥିବା ବେଳେ ସେଠାରେ କୃଷକମାନେ କଙ୍ଗନାଙ୍କ ଗାଡି ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ଏନେଇ କଙ୍ଗନା ବି ଏକ ଭିଡିଓ ସେୟାର କରିଛନ୍ତି ।

ଶୁକ୍ରବାର ଦିନ କଙ୍ଗନା ରାଣାୱତ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏଥିରେ କଙ୍ଗନା ପଞ୍ଜାବରେ ଥିବା ବେଳେ ତାଙ୍କ ଗାଡିକୁ କୃଷକମାନେ ଘେରି ଯାଇଛନ୍ତି । ଭିଡିଓ ସେୟାର କରି କଙ୍ଗନା କ୍ୟାପ୍ସନରେ ଲେଖିଛନ୍ତି କି,କୌଣସି ପରିସ୍ଥିତିରେ ମୁଁ ପଞ୍ଜାବ ଭିତରକୁ ପ୍ରବେଶ କରିଛି । ହେଲେ କୃଷକମାନେ ମୋ ଗାଡିକୁ ଘେରି ଯାଇଛନ୍ତି । ଅନ୍ୟପଟେ ଭିଡିଓରେ ଦେଖିବାକୁ ମିଳିଛି କି କଙ୍ଗନା କାର ଭିତରେ ବସି କହୁଛନ୍ତି କି ମୋତେ କାର ଭିତରେ ପଶିବାକୁ ଦିଆଯାଉନାହିଁ । ମୁଁ ଜଣେ ରାଜନେତା ନୁହେଁ ତେଣୁ ମୋ ପ୍ରତି ଏଭଳି ବ୍ୟବହାର କର ନାହିଁ ।

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ ଛୋଟ ଛୋଟ କ୍ଲିପସ୍ ସେୟା କରି କହୁଛନ୍ତି କି, ଏହି ଦେଶରେ ଏଭଳି ପରିସ୍ଥିତି ଦେଖା ଦେଇଛି । ମୋ ପାଖରେ ସୁରକ୍ଷା କର୍ମୀ ନଥିଲେ ଏମାନେ ମୋ ସହିତ କିଛି କରିପାରିଥାନ୍ତେ । ଏଠାରେ ଏତେ ପୋଲିସ କର୍ମୀ ଥିବା ବେଳେ ମୋତେ ମୋ କାର ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ମୋତେ ଅସଭ୍ୟ ଭାଷାରେ ଗାଳି କରାଯାଉଛି । ମୋତେ ମାରିବାକୁ ଧମକ ଦେଉଛନ୍ତି କୃଷକମାନେ ।

କହିରଖୁ କି ଚଳଚିତ୍ର ଦୁନିଆରେ ରହି କଙ୍ଗନା ଦେଶର ରାଜନୀତି ଓ ବିଭିନ୍ନ ସମସ୍ୟା ଉପରେ ବାରମ୍ବାର ବିବାଦୀୟ ମନ୍ତବ୍ୟ ଦେବାରେ ଲାଗିଛନ୍ତି । ସେ କୃଷକ ଆନ୍ଦୋଳନ ହେଉ କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ମାମଲା । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଠାରୁ ଆରମ୍ଭ କରି କ୍ରୁଜ ଡ୍ରଗ୍ସ ମାମଲା । ସବୁଥିରେ କଙ୍ଗନାଙ୍କ ବୟାନ ଏକ ନିର୍ଦ୍ଧିଷ୍ଠ ରାଜନୈତିକ ଦଳ ସପକ୍ଷରେ ଦେଇ ବାରମ୍ବାର ଚର୍ଚ୍ଚାକୁ ଆସିବା ସହ ବିରୋଧୀଦଳଙ୍କ ଆକ୍ରୋସରେ ଶିକାର ହେଉଛନ୍ତି ।