ଚୁପ ରହୁନାହାଁନ୍ତି କଙ୍ଗନା । ଆଉ ଏକ ବିବାଦୀୟ ମନ୍ତବ୍ୟକୁ ନେଇ ମାମଲା ଦାଏର କଲା ଶିଖ୍ ସଙ୍ଗଠନ

274

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପାଇବା ପରଠୁ କଙ୍ଗନାଙ୍କ ପାଟିରେ ବାଟୁଳି ବାଜୁନି । କେତେବେଳେ କ’ଣ କହୁଛନ୍ତି ଠିକଣା ନାହିଁ । ନିକଟରେ ଦେଶର ସ୍ୱାଧୀନତା ଉପରେ ଓ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଫଶିଥିବାବେଳେ ଏବେ ପୁଣି ନୂଆ କୃଷି ଆଇନ ଓ ଶିଖ ମାନଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇ ଶିଖ ମାନଙ୍କ ଅସନ୍ତୋଷର କାରଣ ହୋଇଛନ୍ତି । ଫଳରେ ତାଙ୍କ ନାଁରେ ଆଉ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ଶିଖ୍ ସଙ୍ଗଠନ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିନେବା ପରେ ତୁରନ୍ତ ଏହା ଉପରେ ଟିପ୍ପଣୀ ରଖିଥିଲେ କଙ୍ଗନା ଆଉ ନିଜ ପୋଷ୍ଟରେ ଲେଖିଥିଲେ,’ଯଦି ରାସ୍ତାରେ ବସିଥିବା ଲୋକେ ଆଇନ୍ ତିଆରି କରନ୍ତି ଆଉ ତାଙ୍କ ଆଗରେ ସରକାର ମୁଣ୍ଡ ନୁଆଁଇବେ ତେବେ ଏହା ଏକ ଜିହାଦୀ ରାଷ୍ଟ୍ର ବୋଲି କୁହାଯିବ । ଏହାକୁ ପସନ୍ଦ କରୁଥିବା ଲୋକଙ୍କୁ ଅଭିନନ୍ଦନ’ ।

କେବଳ ଏତିକି ନୁହେଁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ସମଗ୍ର ଶିଖ୍ ସମ୍ପ୍ରଦାୟକୁ ଖଲିସ୍ତାନୀ ଆତଙ୍କବାଦୀ କହିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧୀ ସେମାନଙ୍କୁ କିପରି ମଶା ଭଳି ଜୋତାରେ ଦଳିଦେଇଥିଲେ ‘ ବୋଲି ଦର୍ଶାଇଛନ୍ତି କଙ୍ଗନା । ଏହାକୁ ନେଇ ତାତି ଉଠିଛି ଶିଖ ସମ୍ପ୍ରଦାୟ । କଙ୍ଗଣା ନିଜର ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ବାଚାଳଙ୍କ ଭଳି କଣ ନାହିଁ କ’ଣ କହିଯାଉଛନ୍ତି । ଅଯଥାରେ କୃଷି ଆନ୍ଦୋଳନକୁ ‘ ଖଲିସ୍ତାନୀ ଆନ୍ଦୋଳନ’ ବୋଲି କହି ବିପଦକୁ ଡାକୁଛନ୍ତି । ଏହାଦ୍ୱାରା ସମାଜରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ତେଣୁ ତୁରନ୍ତ କଙ୍ଗନାଙ୍କୁ ପାଗଳଖାନା ପଠାଯାଉ ନଚେତ୍ ଜେଲକୁ ପଠାଯାଉ ବୋଲି ‘ଦିଲ୍ଲୀ ଶିଖ୍‌ ଗୁରଦ୍ବାର ପରିଚାଳନା କମିଟି’ର ଅଧ୍ୟକ୍ଷ ତଥା ଅକାଳୀ ଦଳ ନେତା ମନଜୀନ୍ଦର୍‌ ସିଂହ ସିରସା କହିଛନ୍ତି । ଏହା ସହ ସେ କଙ୍ଗନାଙ୍କ ବିରୋଧରେ ମାମଲା ଦାଏର ମଧ୍ୟ କରିଛନ୍ତି ।

ପୂର୍ବରୁ ନିଜ ବିବାଦୀୟ ମନ୍ତବ୍ୟକୁ ନେଇ କଙ୍ଗନା ଯେତେବେଳେ ମହାରାଷ୍ଟ୍ରରେ ଶିବସେନାର କ୍ରୋଧର ଶିକାର ହୋଇଥିଲେ ସେତେବେଳେ ତାଙ୍କୁ ଘଣ୍ଟ ଘୋଡାଇଥିଲା ବିଜେପି । ଏପରିକି ନିକଟରେ ସେ ସ୍ୱାଧିନତାକୁ ନେଇ ଯେଉଁ କଟୁ ମନ୍ତବ୍ୟ ଦେଲେ ସେ ବାବଦରେ ମଧ୍ୟ ବିଜେପି କିଛି ନକହି ଚୁପ୍ ରହି ବିରୋଧରେ ତାଙ୍କୁ ବଞ୍ଚାଇଥିଲେ । ବରୁଣ ଗାନ୍ଧୀଙ୍କୁ ଛାଡିଦେଲେ ଆଉ କୌଣସି ବିଜେପି ନେତା ତାଙ୍କ ବିରୋଧରେ ମୁହଁ ଖୋଲିନଥିଲେ । ହେଲେ ବାରମ୍ବାର କଙ୍ଗନାଙ୍କ ଏପରି ବାଚାଳାମୀକୁ ଏବେ ବିଜେପି ମଧ୍ୟ ଅସମର୍ଥ ମନେହେଉଛି ।