କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅଧିନାୟକ ପଦ ଛାଡିଲେ କେନ୍ ୱିଲିୟମସନ୍ । ଦଳ ଗ୍ରୁପ ଷ୍ଟେଜରୁ ବିଦା ହେବା ପରେ ଏଭଳି କଠୋର ନିଷ୍ପତି ନେଇଛନ୍ତି କେନ୍ । ଏହାସହ ୨୦୨୪-୨୫ ସିଜିନ୍ ପାଇଁ ସେଂଟ୍ରାଲ କଂଟ୍ରାକ୍ଟରୁ ନିଜ ନାଁ ଫେରାଇ ନେଇଛନ୍ତି । ଯାହାକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି କିୱି କ୍ରିକେଟ୍ ବୋର୍ଡ ଏବଂ ସାଥୀ ଖେଳାଳୀ । ଦଳର ଜଣେ ଅଭିଜ୍ଞ ଖେଳାଳୀଙ୍କ ଏହି ନିଷ୍ପତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅନ୍ୟପଟେ ଦଳରେ ରହିବା ସହ ବୋର୍ଡ ଓ ଚନୟକର୍ତା ଯାହା ନିଷ୍ପତି ନେବେ ତାହାକୁ ଗ୍ରହଣ କରିବି ବୋଲି କହିଛନ୍ତି ୱିଲିୟମସନ୍ ।
ସେପଟେ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ତରଫରୁ ଦିଆଯାଇଥିବା ବୟାନ ମୁତାବିକ, କେନ୍ ୱିଲିୟମସନ୍ ଗ୍ରୀଷ୍ମ ଋତୁରେ ବିଦେଶୀ ଲିଗ୍ ଖେଳିବାକୁ ଯୋଜନା କରିଛନ୍ତି । ଯେଉଁଥି ପାଇଁ ସେ ନ୍ୟୁଜିଲାଣ୍ଡ ପାଇଁ ଖେଳି ପାରିବେ ନାହିଁ । କେନ୍ ୱିଲିୟମସନ୍ ସେଥି ପାଇଁ ସେଂଟ୍ରାଲ କଂଟ୍ରାକ୍ଟରୁ ନିଜ ନାଁକୁ ଫେରାଇ ନେଇଥିବା କୁହାଯାଉଛି । ୱିଲିୟମସନ୍ ଏଯାଏଁ ୧୦୦ଟି ଟେଷ୍ଟ ଖେଳିସାରିଛନ୍ତି । ଯେଉଁଥିରେ ସେ ୮୭୪୩ ରନ୍ ସଂଗ୍ରହ କରିଛନ୍ତି । ସେହପରି ୧୬୫ ଦିନିକିଆ ମ୍ୟାଚ୍ ଖେଳି ୬୮୧୦ ରନ ତା’ଙ୍କ ନାଁରେ ରହିଛି । ଏହାସହ ୯୩ଟି ଟି-୨୦ ମ୍ୟାଚ୍ ଖେଳି ୨୫୭୫ ରନ୍ ସଂଗ୍ରହ କରିଛନ୍ତି ।
ଚଳିତ ଟି-୨୦ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଟିମର ପ୍ରଦର୍ଶନ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିଲା । କୌଣସି ଆଇସିସି ଇଭେଂଟରେ ଏହା ନ୍ୟୁଜିଲାଣ୍ଡର ସବୁଠାରୁ ଖରାପ ପ୍ରଦର୍ଶନ ବୋଲି କୁହାଯାଉଛି । ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଚାପରେ ଥିବାରୁ ୱିଲିୟମସନ୍ ଦଳର ନେତୃତ୍ୱ ନେବାରୁ ଓହରି ଯାଇଛନ୍ତି ।