କନକ ବ୍ୟୁରୋ : ଶ୍ରୀଲଙ୍କା ବିପକ୍ଷରେ ବିଜୟ ପରେ ନ୍ୟୁଜିଲାଣ୍ଡର ସେମିଫାଇନାଲ ଖେଳିବା ଆଶା ଅଧିକ ବଢିଛି । ପାକିସ୍ତାନ ଯଦି ୨୮୭ରୁ ଅଧିକ ରନ୍ ବ୍ୟବଧାନରେ ବିଜୟୀ ନ ହୁଏ ତେବେ ସେମିଫାଇନାଲରେ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡ । ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ଥିବା ବେଳେ ଚତୁର୍ଥ ସ୍ଥାନରେ ଥିବା ଦଳ ସହ ଖେଳିବ ସେମିଫାଇନାଲ ମୁକାବିଲା । ଯଦି ଏମିତି ହୁଏ ତେବେ ଲଗାତାର ଦ୍ୱିତୀୟ ଥର ପାଇଁ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏହାପୂର୍ବରୁ ୨୦୧୯ ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ । କିନ୍ତୁ ଭାରତର ଫାଇନାଲ ଖେଳିବା ଆଶାକୁ ଧୂଳିସାତ କରିଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଚଳିତଥର ଭାରତରେ ଖେଳାଯାଉଛି ବିଶ୍ୱକପ ଏବଂ ଭାରତ ଏବେ ପର୍ଯ୍ୟନ୍ତ ଅପରାଜେୟ ରହିଛି । ରୋହିତ ବାହିନୀ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଶ୍ରୀଲଙ୍କା ବିପକ୍ଷରେ ବିଜୟ ପରେ ବଡ ବୟାନ ରଖିଛନ୍ତି କିୱି ଦଳର ଅଧିନାୟକ କେନ୍ ୱିଲିୟମସନ ।

Advertisment

ୱିଲିୟମସନ କହିଛନ୍ତି, ସେମିଫାଇନାଲରେ ଭାରତ ବିପକ୍ଷରେ ଖେଳିବା ଆମ ପାଇଁ ବଡ ଚ୍ୟାଲେଞ୍ଜ । କାରଣ ଘରୋଇ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ । କିନ୍ତୁ ଏହି ଚ୍ୟାଲେଞ୍ଜ ପାଇଁ ଆମେ ପୂରା ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ୱିଲିୟମସନ । ଏଭଳି କହି ଟିମ୍ ଇଣ୍ଡିଆକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି କିୱି ଦଳର ଅଧିନାୟକ । କେବଳ ୱିଲିୟମସନ ନୁହଁନ୍ତି ବରଂ ଦଳର ଷ୍ଟାର ବୋଲର ଟ୍ରେଣ୍ଟ ବୋଲ୍ଟ ମଧ୍ୟ କହିଛନ୍ତି, ଭାରତ ଏବେ ପଜିଟିଭ ଖେଳ ଖେଳୁଛି । ବ୍ୟାଟର ମାନେ ମଧ୍ୟ ଦମଦାର ଫର୍ମରେ ରହିବା ସହ ବଡ ବଡ ସଟ୍ ଖେଳୁଛନ୍ତି । କିନ୍ତୁ ବଡ ସଟ୍ ଖେଳିବା ଦ୍ୱାରା ହିଁ ବୋଲରଙ୍କୁ ୱିକେଟ ନେବାକୁ ସୁଯୋଗ ମିଳିଥାଏ । ଭାରତ ବିପକ୍ଷ ମ୍ୟାଚ୍ ବେଶ ରୋମାଞ୍ଚକର ହେବ । କାରଣ ଭାରତୀୟ ଦର୍ଶକଙ୍କ ସାମ୍ନାରେ ଟିମ୍ ଇଣ୍ଡିଆ ସହ ମୁକାବିଲା କରିବା ଛୋଟ କଥା ନୁହେଁ । ଲିଗ୍ ପର୍ଯର୍୍ୟାୟରେ ଭାରତ ଠାରୁ ପରାଜିତ ହୋଇଛି ନ୍ୟୁଜିଲାଣ୍ଡ । କିନ୍ତୁ ମୁଁ ଅତୀତର ଫଳାଫଳକୁ ନେଇ ଚିନ୍ତିତ ନୁହେଁ । ଯେହେତୁ ଭାରତ ବିପକ୍ଷରେ ପୂର୍ବରୁ ଖେଳିଛି ତେଣୁ ଏହି ଅନୁଭବ ବେଶ କାମ ଦେବ ବୋଲି କହିଛନ୍ତି ବୋଲ୍ଡ । ୨୦୧୯ ସେମିଫାଇନାଲ ମୁକାବିଲାରେ ଭାରତକୁ ଅଡୁଆରେ ପକାଇଥିଲେ ବୋଲ୍ଟ । କିନ୍ତୁ ୨୦୨୩ ସେମିଫାଇନାଲ ମୁକାବିଲା ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ । କାରଣ ଟିମ୍ ଇଣ୍ଡିଆର ଉଭୟ ବ୍ୟାଟର ଓ ବୋଲର ଦମଦାର ଫର୍ମରେ ରହିଛନ୍ତି ।

ଚଳିତ ବିଶ୍ୱକପରେ ଭାରତ ଏବେ ପର୍ଯ୍ୟନ୍ତ ୮ଟିରୁ ୮ଟି ମ୍ୟାଚରେ ବିଜୟୀ ହୋଇ ଅପରାଜେୟ ରହିଛି । ରବିବାର ନେଦରଲାଣ୍ଡସ ବିପକ୍ଷରେ ଶେଷ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ତେଣୁ ସେମିଫାଇନାଲ ମୁକାବିଲା ପୂର୍ବରୁ ନେଦରଲାଣ୍ଡସ ବିପକ୍ଷରେ ବିଜୟୀ ହୋଇ ମନୋବଳ ଦୃଢ କରିବାକୁ ଚାହିଁବ ରୋହିତ ବାହିନୀ ।