ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସିଖବର । ଟି-୨୦ ସିରିଜରୁ ଓହରିଲେ ୱିଲିୟମସନ, ମୈଦାନରେ ମୁହାଁମୁହିଁ ହେବେ ଦୁଇ ନୂଆ ଅଧିନାୟକ ।

293

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ପରାଜୟକୁ ଭୁଲି ମୈଦାନକୁ ଓହ୍ଲାଇବ ଭାରତ । ତେବେ ଏହି ସିରିଜରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ନୂଆ ଅଧିନାୟକଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇବ । ପୂର୍ବରୁ ଟି-୨୦ ଅଧିନାୟକ ପଦ କୋହଲି ଛାଡିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ରୋହିତ ଶର୍ମା ଟିମ ଇଣ୍ଡିଆର ମଙ୍ଗ ସମ୍ଭାଳିବେ । ଅନ୍ୟପଟେ ଭାରତ ପାଇଁ ଆଉ ଏକ ଖୁସି ଖବର ହେଉଛି ଯେ, ନ୍ୟୁଜିଲାଣ୍ଡର ନିୟମିତ ଅଧିନାୟକ କେନ୍ ୱିଲିୟମସନ ଟି-୨୦ ସିରିଜରୁ ବିଶ୍ରାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ଭାରତ ପାଇଁ ସିରିଜ ବିଜୟର ସୁଯୋଗ ସୃଷ୍ଟି କରିବ । କାରଣ ଭାରତ ବିପକ୍ଷରେ ଲଗାତାର ଦମଦାର ପ୍ରଦର୍ଶନ କରି ଆସୁଥିଲେ ୱିଲୟମସନ । ତେବେ ଏହି ସିରିଜରୁ ୱିଲିୟମସନ ବିଶ୍ରାମ ନେଇଥିବା ବେଳେ ଟିମ୍ ସାଉଦିଙ୍କୁ ଦଳର ନୂଆ ଅଧିନାୟକ କରାଯାଇଛି ।

୧୭ ନଭେମ୍ବରରୁ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ । ଏହାପରେ ୨୫ ନଭେମ୍ବରରୁ ଟେଷ୍ଟ ସିରିଜ ଖେଳାଯିବ । ତେଣୁ ଏହି ଟେଷ୍ଟ ସିରିଜ ପୂର୍ବରୁ ନିଜକୁ ଫିଟ୍ ରଖିବା ପାଇଁ ୱିଲିୟମସନ ଟି-୨୦ ସିରିଜରୁ ଓହରିଛନ୍ତି । ଯେହେତୁ ଏହି ଟେଷ୍ଟର ଫଳାଫଳ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ପଏଣ୍ଟ ଟେବୁଲ ଉପରେ ପ୍ରଭାବ ପକାଇବ ତେଣୁ ଟେଷ୍ଟ ସିରିଜକୁ ଗୁରୁତ୍ୱ ଦେଉଛନ୍ତି ଉଭୟ ଦଳ । ଭାରତର ଅଧିକାଂଶ ଖେଳାଳୀ ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା ବେଳେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି । ତେବେ ରୋହିତ ଶର୍ମା ଟି-୨୦ ସିରିଜ ଖେଳିବାକୁ ନିଷ୍ପତ୍ତି ନେଇଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ ବିଶ୍ରାମ ନେଇଛନ୍ତି ।

ଉଭୟ ଟି-୨୦ ଓ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଇ ପୁରୁଣା ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ ଟିମ୍ ଇଣ୍ଡିଆ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ପରାଜୟ ଓ ଟି-୨୦ ବିଶ୍ୱକପରେ ସୁପର-୧୨ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ଠାରୁ ମାତ୍ ଖାଇଛି ଟିମ୍ ଇଣ୍ଡିଆ । ତେଣୁ ଏହି ସିରିଜ ବିଜୟ ସହ ପୂର୍ବ ପରାଜୟର କିଛି ମାତ୍ରାରେ ଭରଣା କରିବାକୁ ଚାହିଁବ ଭାରତ ।