କନକ ବ୍ୟୁରୋ : କନ୍ଧମାଳ ଘୁ.ଉଦୟଗିରି ବ୍ଳକ ପାଙ୍ଗାନାଜୁ ଗାଁର ସଫଳ ମହିଳା ପ୍ରେମଶୀଳା । ହୋଟେଲରେ ଫୋପଡ଼ା ହେଉଥିବା ବଳକା ଖାଦ୍ୟକୁ ସଂଗ୍ରହ କରି ସେ ଘୁଷୁରି ମାନଙ୍କୁ ଖାଇବାକୁ ଦିଅନ୍ତି । ଗୋଟିଏ ଘୁଷୁରିରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏବେ ୫୦ ଘୁଷୁରିରେ ପହଂଚିଲାଣି । ଏହି ଘୁଷୁରି ବିକ୍ରି କରି ସେ ୨ରୁ ୩ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିସାରିଲେଣି । ଅନ୍ୟ ଉପରେ ନିର୍ଭର ନକରି ନିଜସ୍ୱ ଉଦ୍ୟମରେ ସେ ଘୁଷୁରି ଚାଷ କରୁଛନ୍ତି । ତାଙ୍କୁ ଦେଖି ଅନ୍ୟମାନେ ମଧ୍ୟ ଏଭଳି କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Advertisment

ପ୍ରେମଶୀଳାଙ୍କ ସ୍ୱାମୀ କୁହନ୍ତି ଘୁଷୁରି ମାନଙ୍କର ବହୁତ ଯତ୍ନ କରନ୍ତି ପ୍ରେମଶୀଳା । ତାଙ୍କ ବୁ ବୁ ଡାକରେ ଘୁଷୁରି ମାନେ ଦୌଡ଼ି ଆସନ୍ତି । ନିଜ ପରିବାରର ସଦସ୍ୟ ଭଳି ସେ ଘୁଷୁରି ମାନଙ୍କ ଯତ୍ନ ନିଅନ୍ତି । ପ୍ରତିଦିନ ହୋଟେଲର ବଳକା ଖାଦ୍ୟକୁ ବକେଟରେ ଅଟୋ ଯୋଗେ ନିଜ ଗାଁକୁ ନେଇ ଘୁଷୁରିକୁ ଖାଇବାକୁ ଦିଅନ୍ତି । ନିଜେ ଆତ୍ମନିର୍ଭର ହେବା ସହ ସହରର ସ୍ୱଚ୍ଛତା ରକ୍ଷା କ୍ଷେତ୍ରରେ ସେ ଚିନ୍ତା କରନ୍ତି ।

ଗୋଟିଏ ଗୋଟିଏ ଘୁଷୁରି ୧୦ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୁଏ । ପ୍ରେମଶୀଳାଙ୍କ ପାଠପଢ଼ା କହିଲେ ମାତ୍ର ମାଇନର୍ ପାସ୍, ହେଲେ ନିଜସ୍ୱ ବୁଦ୍ଧି ବଳରେ ଘୁଷୁରି ଚାଷ କରି ଆଜି ସେ ଜଣେ ସ୍ୱାବଲମ୍ବୀ ମହିଳା ହୋଇପାରିଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।