ଓଏଏସ୍ ପରୀକ୍ଷାରେ ଟପ୍ପର ୧୦ ଜଣଙ୍କ ମଧ୍ୟରୁ ଷଷ୍ଠ ସ୍ଥାନରେ କିରଣ୍ ମହାନ୍ତି

ପ୍ରଶାସନିକ ଅଧିକାରୀ ହେବାକୁ ତୃତୀୟ ଶ୍ରେଣୀରୁ ସେ ଦେଖିଥିଲେ ସ୍ୱପ୍ନ

300

କନକ ବ୍ୟୁରୋ : ଓଡିିଶା ପ୍ରଶାସନିକ ସେବାରେ ଟପ୍ପର ୧୦ଜଣଙ୍କ ମଧ୍ୟରୁ ଷଷ୍ଠ ସ୍ଥାନର ରହିଛନ୍ତି କନ୍ଧମାଳ ଜିଲ୍ଲା ମାଷ୍ଟରପଡାର କିରଣ କୁମାର ମହାନ୍ତି । ପ୍ରଶାସନିକ ଅଧିକାରୀ ହେବାକୁ ତୃତୀୟ ଶ୍ରେଣୀରେ ପଢିବା ଦିନରୁ ହିଁ ସ୍ୱପ୍ନ ଦେଖିଥିଲେ । ଆଗକୁ ସେ ଆଇଏସସ୍ ହେବାର ଲକ୍ଷ୍ୟ ରଖିଛନ୍ତି । ପ୍ରଶାସନିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ସବୁ ଦିନ ଧୈର୍ଯ୍ୟର ପରୀକ୍ଷା ଦେବାକୁ ହୁଏ । ତେଣୁ ବିଚଳିତ ନହୋଇ ଉଦ୍ୟମ ଜାରି ରଖିଲେ ସଫଳତାର ରାସ୍ତା ଫିଟିଯାଏ ବୋଲି କିରଣ କହିଛନ୍ତି । ଅରବିନ୍ଦ ପୂର୍ଣାଙ୍ଗ କେନ୍ଦ୍ରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ପାଠପଢାରେ ଖୁବ୍ ମେଧାବୀ କିରଣ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଜିଲ୍ଲା ଓ ରାଜ୍ୟସ୍ତରରେ ଶତାଧିକ ପୁରସ୍କାର ପାଇଛନ୍ତି । ସ୍ୱର୍ଣ୍ଣ ପଦକ ମଧ୍ୟ ପାଇଛନ୍ତି । ମାଟ୍ରିକରେ ୯୩.୬୭ ପ୍ରତିଶତ ରଖି ଜିଲ୍ଲାରେ ଟପ୍ପର ହେବା ସହ ଅମୁଲ୍ ବିଦ୍ୟାଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । ପରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ କରିଥିଲେ । ପରେ ଉତ୍କଳ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗଯୋଗ ସ୍ନାତକୋତ୍ତର ବିଭାଗରେ ସର୍ବୋଚ୍ଚ ନମ୍ବର ରଖି ସ୍ୱର୍ଣ ପଦକ ହାସଲ କରିଥିଲେ । କନ୍ଧମାଳର ଭବାନି ପ୍ରସନ୍ ମହାନ୍ତି ଓ ମାଆ ବନାନୀ ମହାନ୍ତିଙ୍କ ପୁଅ କିରଣଙ୍କ ଏହି ସଫଳତା ପାଇଁ ଚାରି ଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପରିବାର ପୁଅର ସଫଳତାକୁ ନେଇ ଗର୍ବ ଅନୁଭବ କରୁଛନ୍ତି ।