ମୋ ଗାଁରେ ରହିବେ ନାହିଁ କେହି ନିରକ୍ଷର । କନ୍ଧମାଳ ଜିଲ୍ଲା ଆଦିବାସୀ ଅଂଚଳର ଶିକ୍ଷିତ ଯୁବକ ରାଜେଶ ବଗର୍ତୀ ନିଆରା ଉଦ୍ୟମ

106

କନକ ବ୍ୟୁରୋ: କୋଭିଡ ସମୟରେ ଗାଁରେ ବୁଲି ବୁଲି ପିଲାଙ୍କ ପାଠ ପଢାଉଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ଏମଫିଲ୍ ଛାତ୍ର । ଘରକୁ ଘର ଯାଇ ପିଲାଙ୍କୁ ସେମାନଙ୍କ ପିଣ୍ଡାରେ ବସାଇ ଦୁଇ ଓଳି ପାଠ ପଢାଇ ଚର୍ଚ୍ଚାକୁ ଆସିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକର ରାଜେଶ ବଗର୍ତୀ । ଆଉ ଏହା ପଛରେ ଗୋଟିଏ ଲକ୍ଷ୍ୟ ଗାଁର କୌଣସି ପିଲା ନିରକ୍ଷର ରହିବେ ନାହିଁ । ସହରୀ ପିଲାଙ୍କ ସହ ସମକକ୍ଷ ହୋଇ ପାରିବେ ତାଙ୍କ ଗାଁର ଛାତ୍ରଛାତ୍ରୀ ।

ନିଜ ଗାଁ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ପଣ କରିଛନ୍ତି ଜଣେ ଶିକ୍ଷିତ ଯୁବକ । ଗାଁରେ ବୁଲି ପିଲାଙ୍କୁ ଏକାଠି କରି ପାଠ ପଢାଉଛନ୍ତି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଗଟାପଡା ଗାଁର ରାଜେସ ବଗର୍ତୀ । ସକାଳ ୮ ଟା ୧୦ ଓ ସନ୍ଧ୍ୟା ୬ ଟା ୯ଟା ପର୍ଯ୍ୟନ୍ତ ଗାଁର ପିଲାଙ୍କୁ ଡାକି ବିନା ଖର୍ଚ୍ଚରେ ପାଠ ପଢାଉଛନ୍ତି ଏହି ଉଚ୍ଚଶିକ୍ଷତ ଯୁବକ । କଟକ ରେଭେନସା ବିଶ୍ୱବିଦ୍ୟାଳୟରେ ଇତିହାସ ଏମ୍ ଫିଲ୍ କରୁଛନ୍ତି ରାଜେସ । ସେଥିରୁ ଯାହା କଲର୍ସିପ ମିଳୁଛି ତାକୁ ପିଲାଙ୍କ ପାଠ ପଢାରେ ଖର୍ଚ୍ଚ କରୁଛନ୍ତି । ଏସବୁ ପଛରେ ଗୋଟିଏ ଉଦେଶ୍ୟ, ଗାଁର ଗୋଟିଏ ପିଲା ନୀରକ୍ଷର ରହିବେ ନାହିଁ ।

କରୋନା ଯୋଗୁଁ ସ୍କୁଲ ଗୁଡିକ ବନ୍ଦ ରହିଛି । ଆଦିବାସୀ ବହୁଳ ଅଂଚଳରେ ଅନେକ ସମୟରେ ପିଲାମାନେ ଏଣେତେଣେ ବୁଲୁଛନ୍ତି । ସେମାନଙ୍କୁ ଡାକି ଗୋଟିଏ ସ୍ଥାନରେ ବସାଇ ପାଠ ପଢାଉଛନ୍ତି ରାଜେଶ । କେବଳ ଶିକ୍ଷା କ୍ଷେତ୍ରରେ କାହିିଁକି, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ପାନୀୟ ଜଳ କ୍ଷେତ୍ରରେ କିପରି ଉନ୍ନତି ହୋଇପାରିବ ସେଥିପାଇଁ ଚେଷ୍ଟା କରୁଛନ୍ତି ରାଜେସ । ତାଙ୍କର ଏହି କାମ ପାଇଁ ପରିବାର ଓ ଗ୍ରମବାସୀ ବେଶ ଖୁସିଥିବା ବେଳେ ପ୍ରଶଂସା କରନ୍ତି ।

ଆଗକୁ ସୁଯୋଗ ମିଳିଲେ ରାଜେଶ ଗାଁ କୁ ଗାଁ ଯାଇ ପିଲାଙ୍କୁ ପାଠ ପଢାଇବେ ବୋଲି କହିଛନ୍ତି । ରାଜେସଙ୍କ ପରି ଅନ୍ୟ ଶିକ୍ଷିତ ଯୁବକମାନେ ଯଦି ପାଠ ପଢାଇବା ପାଇଁ ଆଗକୁ ଆସନ୍ତେ ତାହେଲେ ନିଶ୍ଚିତ ଭାବେ କନ୍ଧମାଳ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ଆଗକୁ ବଢି ପାରନ୍ତା ।