କନ୍ଧମାଳରେ ବିଜେଡିର ମହତ ରଖିବେ କି ରାଣୀ ମା’! ଶଙ୍ଖ ଦଳ ତୁଳନାରେ ଦୁର୍ବଳ ବିରୋଧୀ, ପ୍ରତିପକ୍ଷ କ୍ୟାମ୍ପରୁ କାହାକୁ ମିଳିବ ସୁଯୋଗ?
କନକ ବ୍ୟୁରୋ : ଫୁଲବାଣୀ,ଜି.ଉଦୟଗିରି,ବାଲିଗୁଡା,ଗଂଜାମ ଜିଲ୍ଲାର ଭଂଜନଗର,ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ଏବଂ ନୟାଗଡ ଜିଲ୍ଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ ନେଇ କନ୍ଧମାଳ ଲୋକସଭା ଗଠିତ। ତେବେ ଗତ ୪ଟି ନିର୍ବାଚନରେ ବିଜେଡି ପାଇଁ ଏହା ସେଫ୍ ଜୋନ ଭାବେ ଉଭା ହୋଇଛି । ସିଧାସଳଖ ଭାବେ କହିବାକୁ ଗଲେ ଏହା ସବୁଜ ଗଡରେ ପରିଣତ ହୋଇଛି । ଏସବୁ ସତ୍ତେ୍ୱ ମଧ୍ୟ କନ୍ଧମାଳ କୁରୁକ୍ଷେତ୍ରରେ ବିଜେଡିକୁୂ ଚିତ୍ କରିବାକୁ ବିରୋଧି ନୂଆ ଷ୍ଟ୍ରାଟେଜି ନେଇ ମୈଦାନକୁ ଓହ୍ଲାଇବାକୁ ଯୋଜନା କରୁଛନ୍ତି । କନ୍ଧମାଳ ଲୋକସଭା ଆସନକୁ ନେଇ ରାଜ୍ୟର ୩ ପ୍ରମୁଖ ଦଳ ବଡ କସରତ ଆରମ୍ଭ କରିଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
୨୦୦୦ ମସିହାରେ ଓଡିଶାରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହୋଇଥିଲା। ଯେଉଁଥିରେ ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା କଂଗ୍ରସେର ହେଭିୱେଟ ନେତା ମୃତ୍ୟୁଞ୍ଜୟ ନାୟକଙ୍କୁ ହରାଇଥିଲେ। ୨୦୦୪ରେ ବିଜେଡିର ସୁଗ୍ରୀବ ସିଂ ଏହି ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।
୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଦଳର ବିଜେଡି ଟିକେଟରେ ରୁଦ୍ରମାଧବ ରାୟ କଂଗ୍ରେସର ସୁଜିତ ପାଢୀ ଓ ବିଜେପିର ଅଶୋକ ସାହୁଙ୍କୁ ହରାଇଥିଲେ। ତେବେ ଦଳବିରୋଧୀ କାମ ପାଇଁ ରୁଦ୍ରମାଧମଙ୍କୁ ଦଳରୁ ବିଦା କରି ୨୦୧୪ ନିର୍ବାଚନରେ କଂଗ୍ରେସ କ୍ୟାମ୍ପରୁ ଆସିଥିବା ହେମେନ୍ଦ୍ର ସିଂହଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି ଓ ସେ ବି ଜିତିଥିଲେ। ତାଙ୍କର ପରଲୋକ ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା, ଯେଉଁଥିରେ, ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେଡି ପ୍ରାର୍ଥୀ ହୋଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏଥର କିନ୍ତୁ ଆଶାୟୀଙ୍କ ସଂଖ୍ୟା ପୂର୍ବ ନିର୍ବାଚନ ଗୁଡିକଠାରୁ ଅଧିକ ରହିଛି। କେବଳ ସେତିକି ନୁହେଁ, ସ୍ଥାନୀୟ ନେତାଙ୍କ ପ୍ରାର୍ଥିତ୍ବ ମଧ୍ୟ ଏକ ପ୍ରସଙ୍ଗ ଭାବେ ଉଭା ହେଲାଣି।
୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ବର୍ତମାନର ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହଙ୍କ ବ୍ୟତୀତ, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ସାଂସଦ ତଥା ବର୍ତମାନର ବୀରମହାରାଜପୁରର ବିଧାୟକ ପଦ୍ମନାଭ ବେହେରା ଆଶାୟୀ ଥିବା କୁହାଯାଉଛି। ଏହା ବାଦ ସରକାରୀ ଚାକିରି ଛାଡି ରାଜନୀତି ମଇଦାନକୁ ଓହ୍ଲାଇଥିବା ୨-୩ ଜଣ ପ୍ରଶାସନିକ ଅଧିକାରୀ ବି କନ୍ଧମାଳ ସାଂସଦ ପ୍ରାର୍ଥୀ ହେବାକୁ ଅଣ୍ଟା ଭିଡିଛନ୍ତି।
ଅନ୍ୟପକ୍ଷରେ ବିଜେଡିର ବିଜୟ ଧାରାରେ ବ୍ରେକ ଲଗାଇବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ତୟାର। କଂଗ୍ରେସ ଏଥର ଜଣେ ଅଭିଜ୍ଞ ନିର୍ମଳ ଭାବମୂର୍ତ୍ତି ନେତାଙ୍କ ସନ୍ଧାନରେ ରହିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୨-୩ ଥର କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସରୁ ବରିଷ୍ଠ ନେତା ପଞ୍ଚାନନ ଦିଗାଲ, ,ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ,ରାଧାକାନ୍ତ ଦିଗାଲ, ନକୁଳ ନାୟକ, ସନ୍ତୋଷ ପଟ୍ଟନାୟକ, ମନୋଜ ଆଚାର୍ଯ୍ୟ, ପିତାମ୍ବର ସାହୁ, ସୁଜିତ ପାଢୀ ଏବଂ ବରିଷ୍ଠ ନେତା ଚନ୍ଦ୍ରଶେଖର ପରିଡା ପ୍ରମୁଖ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି।
ସେହିଭଳି ବିଜେପି ଏଥର ନୂଆ ମୁହଁ ଅନୁସନ୍ଧାନରେ ରହିଛି। ସାଂସଦ ପ୍ରାର୍ଥୀ ଭାବେ ଡା.ରବିନାରାୟଣ ନନ୍ଦ, ନେତ୍ର ମାନସେଠ୍, ତପନ କୁମାର ପାତ୍ର, କମଳାକାନ୍ତ ପାଣ୍ଡେଙ୍କ ନାଁ ର୍ଚଚ୍ଚା ହେଉଥିବା ବେଳେ ସୁକାନ୍ତ ପାଣିଗ୍ରାହୀ ଓ ଅଶୋକ ସାହୁ ମଧ୍ୟ ଦୌଡରେ ଥିବା କୁହାଯାଇଛି। ଏହା ବାଦ ରାଜ୍ୟସ୍ତରରେ କିଛି ନେତାଙ୍କୁ ଏଠାରେ ଥଇଥାନ ସ୍ବରୂପ ପ୍ରାର୍ଥୀ କରିବାକୁ ଦଳ ଚିନ୍ତା କରୁଥିବା କୁହାଯାଉଛି।
ବିଜେଡି ଏହି ଆସନରେ ଫ୍ରଣ୍ଟଫୁଟରେ ଥିବା ବେଳେ ବିଜେପି ଓ କଂଗ୍ରେସ ବ୍ୟାକଫୁଟରେ ରହିଛନ୍ତି । ତେବେ ବିଜେଡି ପାଇଁ ଗୋଷ୍ଠୀ କନ୍ଦଳ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି । ତେଣୁ କନ୍ଧମାଳ କୁରୁକ୍ଷେତ୍ରରେ କିଏ ବାଜି ମାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।