କନ୍ଧମାଳର ନେତା କିଡନାପ କାହାଣୀ। ନିଜକୁ ନିଜେ ଅପହରଣ କରି ଗିରଫ ହେଲେ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ

107

କନକ ବ୍ୟୁରୋ: ନିଜେ ନିଜେ ଅପହରଣ ନାଟକ ରଚି ବନ୍ଧା ହୋଇଛନ୍ତି ବ୍ଲକ ଉପାଧ୍ୟକ୍ଷ । ତାଙ୍କ ସହ ତାଙ୍କର ୫ ଜଣ ସହଯୋଗୀ ବି ଗିରଫ ହୋଇଛନ୍ତି । ଏହାସହ ୩ଟି ଗାଡି ଜବତ କରିଛି ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ । ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଏବଂ ସହେଯାଗୀ ବିରଂଚି ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଅଜିତ ରଣା, ତ୍ରିଲୋଚନ ଝାଙ୍କର ଏବଂ ଯୁକ୍ତେଶ୍ୱର ରଣାଙ୍କୁ ଗିରଫ କରିଛି ଫିରିଙ୍ଗିଆ ଥାନା ପୁଲିସ । ଫୁଲବାଣୀ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ସାମ୍ବାଦିକ ସମ୍ବଳନୀରେ ଏହି ସୂଚନା ଦେଇଛନ୍ତି ।
ଏସଡିପିଓ କହିଛନ୍ତି, ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଗତ ୨ ତାରିଖ ରାତିରେ ଜାଜେସପଙ୍ଗା ଘାଟିରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସହଯୋଗୀ ବିରଂଚି ମଲ୍ଲିକ ଏବଂ ବସନ୍ତ ମଲ୍ଲିକ ଫିରିଙ୍ଗିଆ ଥାନାରେ ଲିଖିତ ଏତଲା ଦେଇଥିଲେ । ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଜାଜେସପଙ୍ଗାରେ ଆୟୋଜିତ ଏକ ଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଯାଇଥିବା ବେଳେ ଜାଜେସପଙ୍ଗା ଘାଟି ରାସ୍ତାରେ କାରକୁ ରଖି ପୂର୍ବ ଯୋଜନା ଅନୁସାରେ ଅନ୍ୟ ଜଣକ ବାଇକରେ ପ୍ରଥମେ କଣ୍ଟାମାଳକୁ ଯାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ, ଆଉ ଜଣଙ୍କ ବାଇକରେ ବସି ବାଲିଗୁଡାର ସୁଡ୍ରା ଗାଁକୁ ଯାଇଥିଲେ । ସେଠାରେ ଗତକାଲି ରାତିରେ ରହିଥିଲେ । ଆଜି ସକାଳୁ ତାଙ୍କୁ ସୁଡ୍ରା ବଜାରରେ ଠାବ କରାଯାଇଥିଲା । ତେବେ ସେହି ଅଂଚଳ ମାଓପ୍ରବଣ ଅଂଚଳ ହୋଇଥିବାରୁ କାଳେ ତାଙ୍କୁ ମାଓବାଦୀ ଅପହରଣ କରି ନେଇଥିବେ ସେନେଇ ସମସ୍ତଙ୍କ ସନ୍ଦେହ ହୋଇଥିଲା । କିନ୍ତୁ ଫିରିଙ୍ଗିଆ ପୋଲିସ ଅଜିତଙ୍କୁ ବାଲିଗୁଡାର ସୁଡ୍ରା ବଜାରରୁ ଫିରିଙ୍ଗିଆ ଥାନାକୁ ଆଣି ପଚରାଉଚରା କରିବା ପରେ ଏକ ସାଙ୍ଘାତିକ କାରନାମା ଜଣାପଡିଛି । ଉପାଧ୍ୟକ୍ଷ ଅଜିତ ନିଜେ ସ୍ୱୀକର କରିଛନ୍ତି, ଯେ ସେ ଓ ତାଙ୍କ ସହଯୋଗୀ ଅପହରଣର ନାଟକ ରଚିଥିଲେ । ତାଙ୍କ ପ୍ରତି ଲୋକଙ୍କ କେତେ ସମର୍ଥନ ରହିଛି ତାହା ଜଣିବା ପାଇଁ ସେ ଚାହିିଁଥିଲେ । ତେଣୁ ଏଭଳି ନାଟକ କରିଥିଲେ ବୋଲି ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ କହିଛନ୍ତି । ତେବେ ଏଭଳି ନାଟକ କରି ସରକାରୀ କର୍ମଚାରୀଙ୍କୁ ଅଯଥାରେ ହଇରାଣ କରିବା, ମାଓବାଦୀ ଅପହରଣ କରିଥିବା ଭଳି କଥାକୁ ମିଡିଆରେ ପ୍ରଚାର କରି ଲୋକଙ୍କୁ ବିଭ୍ରାନ୍ତି କରିବା ମାମଲାରେ ଉପାଧ୍ୟକ୍ଷଙ୍କ ସମେତ ଅନ୍ୟ ସମସ୍ତ ସହଯୋଗୀଙ୍କୁ ଗିରଫ କରାଯାଇଛି । ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବା ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।