ଠକି ଦେବନି ତ ସରକାରୀ ବିହନ? କନ୍ଧମାଳରେ ଧାନ ବଦଳରେ ଶହଶହ ହେକ୍ଟର ଜମିରେ ଆଳୁ ଚାଷ କରିଛନ୍ତି ଚାଷୀ

143

କନକ ବ୍ୟୁରୋ: ଏ ବର୍ଷ ବର୍ଷା ଅଭାବରୁ ସରକାର ଆଳୁ ଚାଷକୁ ପ୍ରୋତ୍ସାହନ ଦେଇଛନ୍ତି । କନ୍ଧମାଳ ଜିଲ୍ଲାରେ ଧାନ ବଦଳରେ ଆଳୁ ଚାଷ କରିବାକୁ ଚାଷୀଙ୍କୁ ଉତ୍ସାହିତ କରିଛନ୍ତି । ଫୁଲବାଣୀ ଜିଲ୍ଲାରେ ଚାଷୀ ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କିନ୍ତୁ ଉଦ୍ୟାନ ବିଭାଗ ପକ୍ଷରୁ ସବ୍ସିଡରେ ଦିଆଯାଇଥିବା ଆଳୁ ବିହନ ଗୁଡିକ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି ।

ବର୍ଷାର ଲୁଚକାଳି ଖେଳ ଯୋଗୁଁ କନ୍ଧମାଳ ଜିଲ୍ଲାରେ ମାତ୍ର ୨୨ ପ୍ରତିଶତ ଜମିରେ ଧାନ ଚାଷ ହୋଇଥିବା ବେଳେ ବାକି ଜମିରେ ଆଳୁ ଚାଷ ହୋଇଛି । ଢିପ ଜମିରେ ଧାନ ବଦଳରେ ଆଳୁ ଚାଷ କରିବାକୁ ସରକାର ପ୍ରୋତ୍ସାହିତ କରିଛନ୍ତି । ସରକାରଙ୍କ ଠାରୁ ଆଳୁ ବିହନ ନେଇ ଚାଷୀ ପ୍ରଥମ ଥର ପାଇଁ ଖରିଫ ଋତୁରେ ଆଳୁ ଚାଷ କରିଛନ୍ତି । କିନ୍ତୁ ପ୍ରଶାସନ ଦେଇଥିବା ନିମ୍ନମାନର ବିହନ ଯୋଗୁଁ ଗଛ ବଡ ହୋଇଥିଲେ ମଧ୍ୟ ଆଳୁ ଫଳି ନାହିଁ ।

ଚାଷୀ, ୧୫୦୦ ଟଙ୍କା ଦେଇ ବିହନ କିଣିବା ସହ ଅନ୍ୟାନ ଖର୍ଚ୍ଚରେ ୨୫୦ ହେକ୍ଟର ଜମିରେ ଆଳୁ ଚାଷ କରିଛନ୍ତି । ୧ ହଜାର ୭୪୪ ଜଣ ଆଳୁଚାଷ କରିଛନ୍ତି । ବର୍ତମାନ ଆଳୁ ଗଛରେ ଫଳ ଧରିନଥିବାରୁ ଚାଷୀ ହତାଷ ହୋଇଛନ୍ତି । ଏପଟେ ଉଦ୍ୟାନ ବିଭାଗ କହିଛି, ଆଳୁ ଫଳିବାକୁ ୧୦୦ ଦିନ ଲାଗେ । ଥଣ୍ଡା ପଡିଲେ ଗଛରେ ଆଳୁ ଧରିବ । ତେଣୁ ଚାଷୀ ବ୍ୟସ୍ତ ନହେବାକୁ ଉଦ୍ୟାନ ବିଭାଗ ଅଧିକାରୀ ପରାମର୍ଶ ଦେଇଛନ୍ତି । ଆଳୁ ଫଳିଲେ ତ ଭଲ କଥା । ଯଦି ଆଳୁ ନଫଳେ ତେବେ ଚାଷୀମାନଙ୍କୁ ଉଚିତ କ୍ଷତିପୂରଣ ଦେବାର ଆବଶ୍ୟକତା ରହିଛି ।