ଓଲଟା ଲଟକି ସାଧନା କରୁଥିଲେ, ଝୁଣା ନିଆଁର ଝାସରେ…

73

ଦିବ୍ୟାଙ୍ଗ ଯୁବକକୁ ସୁସ୍ଥ ହେବା ପାଇଁ ଏମିତି ଏକ ଅନ୍ଧ ବିଶ୍ୱାସ ପନ୍ଥାକୁ ଆପଣାଛି ଯାହା ଫଳରେ ସେ ଗୁରୁତର ଆହତ ହୋଇଛି। ଏହି ଯୁବକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ଭଗମୁଣ୍ଡାସାହିର ଭବାନୀଶଙ୍କର ନନ୍ଦ (୩୦)ବର୍ଷ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭବାନୀ ଜନ୍ମରୁ ଦିବ୍ୟାଙ୍ଗ। ଭବାନୀ ଭଲ ହେବା ଲକ୍ଷ୍ୟ ନେଇ ତାର ମା’ ଗାଁ ମୁଣ୍ଡରେ ଥିବା ମହାମୟୀ ମନ୍ଦିରକୁ ନିୟମିତ ଯିବା ଆସିବା କରିଥାନ୍ତି। ମନ୍ଦିରକୁ ଯାଉଥିବା ଅନ୍ୟ ଜଣ ମହିଳାଙ୍କୁ ଭବାନୀକୁ ଝୁଣା ଝାସ ଦେଲେ ସେ ଭଲ ହୋଇଯିବ ବୋଲି ଠାକୁରାଣୀ କାଳେ ସ୍ୱପ୍ନାଦେଶରେ କହିଥିଲେ ବୋଲି କହିଥିଲା। ଏହା ଜାଣିବା ପରେ ଭବାନୀକୁ ନେଇ ଗତ ଶନିବାର ଦିନ ତାର ମା’ ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଭବାନୀକୁ ଗୋଡ ଉପରକୁ ଓ ମୁଣ୍ଡ ତଳକୁ କରି ନିଆଁ ଝୁଣା ଝାସ ଦିଆଯାଇଥିଲା। ୩ରୁ ୪ଥର ଝାସ ଦେବା ପରେ ଭବାନୀର ଶରୀରର ୨୦ରୁ ୩୦ ପ୍ରତିଶତ ପୋଡ଼ି ଯାଇଥିଲା। ସେ ଚିତ୍କାର କରିବାରୁ ତାଙ୍କୁ ଝାସ ଆଉ ଦିଆଯାଇ ନଥିଲା। ନିଆଁ ଝାସରେ ଭବନୀର ଅବସ୍ଥାର ଗୁରୁତର ଥିଲେ ମଧ୍ୟ ତାକୁ ସେହିଦିନଠୁ ମନ୍ଦିରରରେ ରଖାଯାଇ ଦେଶୀ ଚିକିତ୍ସା କରାଯାଇଥିଲା। ଘଟଣା ଯେଭଳି ବହାରକୁ ପ୍ରଘଟ ନହୁଏ ସେଥି ପ୍ରତି ନଜର ରଖାଯାଇଥିଲା ହେଲେ ପୁଅ ଭବାନୀର ଦେହ ଅଧିକରୁ ଅଧିକ ଗୁରୁତର ହେବାରୁ ତାକୁ ଡାକ୍ତରଖାନା ଆଣିବାକୁ ମା’ ଜିଦ ଧରିବାରୁ ଘଟଣା ପଦାକୁ ଆସିଥିଲା। ଆଜି ସକାଳେ ଭବାନୀକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାର ଅବସ୍ଥା ଗୁରୁତର ରହିଛି ହେଲେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି। ଏହି ଘଟଣାରେ ନିଜ ପକ୍ଷରୁ ବାଲିଗୁଡା ପୁଲିସ ଏକ ମାମଲା ରୁଜୁ କରି ମନ୍ଦିରର ମନୁ ନାୟକ ସହ ୨ଜଣ ପୂଜକଙ୍କୁ ଗିରଫ କରିଛି।