ଜୀବିକା ପାଇଁ ଜଙ୍ଗଲ ଛାଡି ସହର ଆସିଥିଲା ଜଙ୍ଗଲୀ ମଣିଷ । ୬୦ ବର୍ଷ ପରେ ବି ନାହିଁ ନିଜସ୍ୱ ଜମି, ନିଆଳି ପ୍ରାଚୀ ନଦୀକୂଳରେ ଦୟନୀୟ ଜୀବନ ବିତାଉଛନ୍ତି ୪୦ କନ୍ଧ ପରିବାର ।

141

କନକ ବ୍ୟୁରୋ : ଜଙ୍ଗଲି ମଣିଷ ଦିନେ ସ୍ୱପ୍ନ ଦେଖିଥିଲା ସହରି ଜୀବନକୁ ନେଇ ବଂଚିବା ପାଇଁ । ଆଉ ଜଙ୍ଗଲ ଛାଡି ଧାଇଁ ଆସିଥିଲା ସହରକୁ । ଭାବିଥିଲା ବଦଳି ଯିବ ସେମାନଙ୍କ ସହ ସେମାନଙ୍କ ପିଲାଙ୍କର ଭବିଷ୍ୟତ । ଏବେ କିନ୍ତୁ ସ୍ୱପ୍ନ ଓ ବାସ୍ତବତା ଭିତରେ ରାଜନୀତିକ ଫେର ଫନ୍ଧା ଅଡୁଆ ସୂତା ଭଳି ଛନ୍ଧି ହୋଇ ପଡିଛି ଜଙ୍ଗଲି ମଣିଷଙ୍କ ଜୀବନ ଓ ଜୀବିକା । ଅନ୍ଧାର ଭିତରକୁ ଠେଲି ହୋଇଯାଉଛି ପିଲାଙ୍କ ଭବିଷ୍ୟତ । ସରକାରୀ ସାହାର୍ଯ୍ୟ ଏଠି ସାତସପନ ପାଲଟିଛି । ଏମାନଙ୍କୁ କେବଳ ହିଁ ଭଗବାନ ଭରଷା ।

ଜଙ୍ଗଲକୁ ଫେରିବ କି ଜଙ୍ଗଲି ମଣିଷ ! ୬୦ ବର୍ଷ ପରେ ବି ନାହିଁ ନିଜସ୍ୱ ଜମି । ଜଙ୍ଗଲ ଛାଡ଼ି ସହରକୁ ଚାଲି ଆସିଥିବା ଆଦିମ ଅଧିବାସୀଙ୍କୁ ମିଳୁନି ସରକାରୀ ସହାୟତା । ଦୀର୍ଘ ୬୦ ବର୍ଷ ଧରି କଟକ ଜିଲ୍ଲା ନିଆଳି ପୂର୍ବଖଣ୍ଡ ପ୍ରାଚୀ ନଦୀ ପଠାରେ ବସତି ସ୍ଥାପନ କରିଥିଲେ ମଧ୍ୟ ଏମାନଙ୍କ ପାଖରେ ନିଜସ୍ୱ ଜମି ଖଣ୍ଡିଏ ନାହିଁ । ଏମାନେ ସମସ୍ତେ ସୁଜନାଗଡ ତିନିକୋଶିଆ ଜଙ୍ଗଲର ମୂଳ ଅଧିବାସୀ । ଜଙ୍ଗଲରୁ ଶିକାର କରି ଜୀବିକା ନିର୍ବାହ କରୁଥିଲେ । ଖାଦ୍ୟ ଅଭାବରୁ ତିନିକୋଶିଆ ଜଙ୍ଗଲ ଛାଡି ପ୍ରଥମେ କଟକରେ ପହଞ୍ଚି ଦିନ ମଜୁରିଆ ଭାବେ କାମ କରୁଥିଲେ । ପରବର୍ତ୍ତୀ ସମୟରେ ନିଆଳିକୁ ଚାଲିଆସି ସେଠାରେ ୬୦ ବର୍ଷ ହେବ ବସତି ସ୍ଥାପନ କରି ରହିଆସୁଛନ୍ତି ।

ପ୍ରାୟ ୪୦ଟି କନ୍ଧ ଜନଜାତିର ପରିବାର ଝୁମ୍ପୁଡି ଓ ପଲିଥିନ ତଳେ ବସବାସ କରନ୍ତି । ଦିନ ମଜୁରିଆ ଭାବେ କାମ କରି ଜୀବିକା ନିର୍ବାହ କରି ଏମାନେ ନିଜର ପରିବାର ପ୍ରତିପୋଷଣ କରିଥାଆନ୍ତି । ଜମି ଖଣ୍ଡିଏ ନଥିବାରୁ ଏମାନେ ସମସ୍ତେ ଭୁମିହୀନ । ଏମାନଙ୍କ ଠାରୁ ଭୋଟ ହାତେଇବା ପାଇଁ ମିଳିଛି କେବଳ ଭୋଟର ଆଇକାର୍ଡ ଓ ଆଧାର କାର୍ଡ଼ । ସରକାରୀ ସାହାଯ୍ୟ କହିଲେ ହାତ ଗଣତି କିଛି ପରିବାରକୁ ମିଳିଛି ବିଦ୍ୟୁତ ଓ ରାସନ କାର୍ଡ଼ । ଅନ୍ୟ ପରିବାର ମଧ୍ୟ ଏଥିରୁ ବଂଚିତ । ଗାଁକୁ ରାସ୍ତା ଖଣ୍ଡିଏ ନଥିବା ବେଳେ ମୌଳିକ ସମସ୍ୟାରୁ ବଂଚିତ ଏହି ଆଦିବାସୀ ଜନଜାତି । ରୋଜଗାର କରିବା ଆଶାରେ ଜଙ୍ଗଲରୁ ଚାଲି ଆସିଥିବା ମଣିଷ, ସରକାରୀ ଉଦାସୀନତା ପାଇଁ ପୁଣି ଫେରିବେ କି ଜଙ୍ଗଲକୁ । ଏହାକୁ ନେଇ ଉଠିଛି ପ୍ରଶ୍ନ ।