ନବରଙ୍ଗପୁରରେ ପ୍ରେମ ବିବାହକୁ ସ୍ୱୀକୃତି ଦେଲା କଙ୍ଗାରୁ କୋର୍ଟ: ଜାତିପ୍ରଥାକୁୁ ଭୁଲି ଘରୁ ଫେରାର ହୋଇ ପ୍ରେମ ବିବାହ କରିଥିଲେ ରାଇଘର ଖାଡେଙ୍ଗା ଗାଁର ପ୍ରେମୀଯୁଗଳ

152

କନକ ବ୍ୟୁରୋ: ପ୍ରେମକୁ ସୀକୃତି ଦେଲା କଙ୍ଗାରୁ କୋର୍ଟ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାନିଲା କଙ୍ଗାରୁ କୋର୍ଟ । ଶେଷରେ ପ୍ରେମ ବାଟରେ କଂଟା ସାଜି ଥିବା ଜାତିପ୍ରଥାକୁ ଭୁଲି ପ୍ରେମ ବିବାହକୁ ସ୍ୱିକୃତି ଦେଲେ ଗାଁ ଲୋକ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡ଼େଗାଁ ପଂଚାୟତ ଖାଡ଼େଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଖାଡ଼େଙ୍ଗା ଗାଁର ଲୁକୁ କଲାରଙ୍କ ପୁଅ ପ୍ରତାପ କଲାର ସେହି ଗାଁର ମଇନୁ ଗଣ୍ଡଙ୍କ ଝିଅ ଫଗୁଣି ଗଣ୍ଡକୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ଜାତି ଓ ପରିବାର ଲୋକ ଦୁଇ ଜଣଙ୍କ ପ୍ରେମକୁ ସ୍ୱିକୃତି ଦେଇନଥିଲେ ।

ଶେଷରେ ଦୁହେଁ ଘରୁ ଫେରାର ହୋଇ ଯାଇଥିଲେ । ଛତିଶଗଡ଼ ରାଜ୍ୟର କୋଣ୍ଡା ଗାଁର ନୋଟେରୀ ନିକଟରେ ବିବାହର ସତ୍ୟପାଠ ପରେ ଏକ ଶିବ ମନ୍ଦିରରେ ବିବାହ କରିଥିଲେ । କିଛି ଦିନ ପରେ ଘରକୁ ଫେରିଥିଲେ ହେଲେ ଗାଁ ଲୋକ ତାଙ୍କୁ ଘରେ ପୁରାଇ ଦେଇନଥିଲେ । ହାଟ ଭରଣ୍ଡି ଗଣ୍ଡ ସମାଜର କଙ୍ଗାରୁ କୋର୍ଟ ପକ୍ଷରୁ ୫୦ହଜାର ଟଙ୍କାର ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିଲେ । ୩୨ଟଙ୍କା କଙ୍ଗାରୁ କୋର୍ଟରେ ଦେବା ପରେ ବାକି ଟଙ୍କା ପାଇଁ ପୋଡ଼ଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ ଏ ସମ୍ପର୍କରେ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ମାନିଛି କଂଙ୍ଗାରୁ କୋର୍ଟ । ନିଷ୍ପତିରୁ ହଟି ପ୍ରେମିଯୁଗଳଙ୍କୁ ମିଶିବାର ସୁଯୋଗ ଦେଇଛି ।