କନକ ବ୍ୟୁରୋ: ମୌସୁମୀ ପ୍ରଭାବରେ ଦେଶର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗିଛି । ବର୍ଷାପାଣି ଜମି ରାସ୍ତାଘାଟ ନଦୀର ଭ୍ରମ ସୃଷ୍ଟି କରୁଛି । ଗୁଜୁରାଟରେ ବନ୍ୟା ଯୋଗୁଁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଘରୁ ବାହାରକୁ ବାହାରିବା ମୁସ୍କିଲ ହେଉଥିବା ବେଳେ କିଛି ଲୋକ ପେଟ ପୋଷିବାକୁ ସଂଘର୍ଷ ଜାରି ରଖିଛନ୍ତି । ଅହମ୍ମଦାବାଦରେ ଜଣେ ବ୍ୟକ୍ତିଙ୍କ ଏଭଳି କିଛି ସଂଘର୍ଷ ଦେଖିବାକୁ ମିଳିଛି । ଯାହାକୁ ଦେଖି ଭାବବିହ୍ୱଳ ହୋଇ ପଡିଛନ୍ତି ଲୋକେ ।

ବର୍ଷା ଯୋଗୁଁ କେହି ଘରୁ ବାହାରକୁ ବାହାରି ପାରୁନାହାନ୍ତି ।  ଘରେ ବସି ଖାଇବା ଅର୍ଡର କରୁଛନ୍ତି ଅନେକ ଲୋକେ । ପରିବାରର ଦାୟିତ୍ୱ ଥିବାରୁ ଅଣ୍ଟାଏ ଅଣ୍ଟାଏ ପାଣିରେ ବି ଲୋକଙ୍କୁ ସେମାନଙ୍କ ମନ ପସନ୍ଦର ଖାଧ୍ୟ ଦେଇ ଆସୁଛନ୍ତି ଫୁଡ ଡେଲିଭେରୀ ବଏ ।  ଏଭଳି ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅହମ୍ମଦାବାଦରେ ଜଣେ ଜୋମାଟୋ ଫୁଡ ଡେଲିଭେରୀ ମ୍ୟାନ ଅଣ୍ଟାଏ ପାଣିରେ ବି ଚାଲିଚାଲି ଫୁଡ ଡେଲିଭେରୀ କରିବାକୁ ଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବ୍ୟକ୍ତି ଜଣଙ୍କ ଆଖପାଖରେ ଥିବା କାର ଓ ବସଗୁଡ଼ିକ ଅଧା ବୁଡି ରହିଥିବା ବି ଦେଖିବାକୁ ମିଳିଛି । ହେଲେ କଷ୍ଟେମଷ୍ଟେ ସେହି ବ୍ୟକ୍ତି ଜଣକ ଫୁଡ ଡେଲିଭେରୀ କରିବାକୁ ଆଗେଇ ଚାଲିଥିବା ଦେଖିବାକୁ ମିଳିଛି ।

ଏକ ବିଲ୍ଡିଂ ଆଡ଼କୁ ବ୍ୟକ୍ତି ଜଣକ ଆଗେଇ ଚାଲୁଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଙ୍କ ୧୬ ସେକେଣ୍ଡର କ୍ଲିପ ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଭିଡିଓ ଦେଖି ଇମୋସନାଲ ହୋଇଥିବା ବେଳେ ଫୁଡ ଡେଲିଭେରୀ ମ୍ୟାନଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି । ନିଜ କାମ ପ୍ରତି ସମ୍ପୃକ୍ତ ବ୍ୟକ୍ତିଙ୍କ ସମର୍ପଣ ଭାବ ଦେଖି ତାଙ୍କୁ ପୁରସ୍କୃତ କରିବେ ବୋଲି ସେ କହିଛନ୍ତି । ଜୋମାଟୋ ପକ୍ଷରୁ ଡେଲେଭେରୀ ବଏଙ୍କୁ ଚିହ୍ନଟ କରିବାକୁ ଅର୍ଡର ଆଇଡି ମଧ୍ୟ ମାଗିଛି, ଯାହାଫଳରେ ତାଙ୍କୁ ପୁରସ୍କାର ଦିଆଯାଇ ପାରିବ ।

ବିକୁଞ୍ଜ ଶାହ ନାମକ ଜଣେ ୟୁଜର ଏହି ଭିଡିଓଟିକୁ ସେୟାର କରିଥିବା ବେଳେ ନୀତୁ ନାମକ ଜଣେ ୟୁଜର ତାଙ୍କୁ ସମ୍ମାନିତ କରିବାକୁ ଅପିଲ କରିଥିଲେ । ସେପଟେ କିଛି ୟୁଜର୍ ଏଭଳି ସ୍ଥିତିରେ ବି ଫୁଡ୍ ଅର୍ଡର କରିଥିବା କଷ୍ଟମରଙ୍କୁ ସମାଲୋଚନା କରିଛନ୍ତି । ଜଳମଗ୍ନ ଅଞ୍ଚଳରେ ଜୋମାଟୋ ଫୁଡ ଡେଲିଭେରୀ ବନ୍ଦ କରିବାକୁ ବି ଅପିଲ ହୋଇଛି ।

ଗତ ସପ୍ତାହରୁ ପ୍ରବଳ ବର୍ଷା ଯୋଗୁଁ ଗୁଜୁରାଟର ସୌରାଷ୍ଟ୍ର କଚ୍ଛ ଓ ଅହମ୍ମଦାବାଦର ଅଧିକାଂଶ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି । ପ୍ରବଳ ବର୍ଷା ଯୋଗୁଁ ଗତ ଗୁରୁବାର ସୁଦ୍ଧା ଗୁଜୁରାଟରେ ୩୨ ଲୋକଙ୍କ ଜୀବନ ଯାଇଛି । ୩୨ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୧୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି ।

ତେବେ ଏଭଳି କଠିନ ସମୟରେ ବି ଦାୟିତ୍ୱର ବୋଝ ନେଇ ଅନ୍ୟମାନଙ୍କ ପାଇଁ ଖଟୁଛନ୍ତି ଅନେକ ବ୍ୟକ୍ତି । ଯାହାର ଏକ ଉଦାହରଣ ଅହମ୍ମଦାବାଦରେ ବି ଦେଖିବାକୁ ମିଳିଛି ।