ଟ୍ୟୁସନରୁ ଟିଫିନ୍ ବକ୍ସ, ବନ୍ଧାଥାଏ ବନ୍ଧୁତାର ସୂତା । ସାଙ୍ଗଥିଲେ ସାଥିରେ ଆମେ ଶକ୍ତିମାନ୍, ତା’ବିନା ସବୁ ଶୁନଶାନ୍ । ସାଙ୍ଗରେ ତୋ ବନ୍ଧୁତା ବଖାଣିଲେ, ଗୋଟିଏ ଦିନ ବି କମ୍ ପଡ଼ିବ ତୋ ଭଳି ସାଙ୍ଗ ଥିଲେ କୃଷ୍ଣ-ସୁଦାମାଙ୍କ ଯୋଡ଼ି ବି ମନେ ପଡ଼ିବ ।

986

କନକ ବ୍ୟୁରୋ : ସାଙ୍ଗ ! ଛାତି ତଳେ ସାଇତା ଏକ ଛବିଳ ସ୍ମୃତି । ସାଙ୍ଗ ଗୋଟେ ସରୁନଥିବା ସମ୍ପର୍କର ନାଁ, ନିସ୍ୱାର୍ଥପର ଭଲପାଇବାର ନିର୍ଭୁଲ ଠିକଣା । ସାଙ୍ଗ ସମ୍ପର୍କ ସରେନି, ସାଙ୍ଗ ଶବ୍ଦ ମରେନି । ଆମେ ଦେହ ହେଲେ ସାଙ୍ଗ ଆମ ଛାଇ, ଆମ ଶରୀରରେ ବହୁଥିବା ନିଶ୍ୱାସର ନଈ । ବିପଦ ଆସିଲେ ଅନ୍ତରରୁ ଆପେ ଆପେ ବାହାରିଆସେ ବନ୍ଧୁର ନାଁ । ବନ୍ଧୁ, ବିଧାତାର ବୋଧେ ବିଚିତ୍ର ସୃଷ୍ଟି, ଯିଏ ସାରା ଜୀବନ ଆମ ସହ ଥାଏ । ସ୍କୁଲରୁ ଶ୍ମଶାନ, ଜୀବନର ଶେଷ ଯାତ୍ରା ଯାଏଁ, ସାଥୀ ହୋଇଥାଏ ସାଙ୍ଗ ।

ପରିବାର ପରେ ଜୀବନର ପ୍ରଥମ ସୁଖ ଦୁଃଖର ସାଥୀ ହୋଇଥାଏ ସାଙ୍ଗ । ଗାଁ ମାଟିର ଧୂଳିଖେଳ ହେଉ, କି ପୋଖରି ତୁଠର ଗାଧୁଆ ବେଳ, ସବୁଥିରେ ସାଙ୍ଗ ନଥିଲେ ଖେଳିଯାଏ ଖାଁ ଖାଁର ନୀରବତା । ସ୍କୁଲରୁ ଟିଉସନ୍, କ୍ରିକେଟ ପଡିଆରୁ ମେଲଣ ପଡିଆ, ମାଟି କାଦୁଅ ଖେଳରେ ସାଙ୍ଗ ହୋଇଥାଏ ସାଥୀ । ଆଉ ବର୍ଷା ଦିନେ ତ ସାଙ୍ଗ ସହ ମଜା କରିବାର ସ୍ମୃତି ଟିକେ ଅଲଗା । କାହିଁକି ନା କାଗଜର ଡଙ୍ଗାକୁ ଜୀବନ୍ୟାସ ଦେଇ ବନ୍ଧୁତ୍ୱର ବର୍ଷାରେ ଭସାଇବା ଏକ ନୂଆ ଭରସା ଦେଇଥାଏ ।

ସାଙ୍ଗ ତୁ କ’ଣ କରୁଛୁ, ଚାଲ ବୁଲିବା, ଚାଲୁନୁ ଟିକେ ଖେଳିବା… ନିଦରୁ ଉଠିବା ଆଉ ଶୋଇବା ଯାଏଁ ଏମିତି ଅନେକ କିଛି ସ୍ନେହଭରା ଶବ୍ଦ ଏବେ ବି ମନେ ପଡେ । ସ୍କୁଲ ପାଠ ହେଉ କି ଟିଉସନର ହୋମ ୱାର୍କ, ସବୁଥିରେ ଆଗ ହାତ ବଢାଇଥାଏ ସାଙ୍ଗ । ଆଉ ଏମିତି ବି ସାଙ୍ଗ ଥାଆନ୍ତି, ଯେଉଁମାନେ ଆମ ଆଖିରେ କେବେବି ଲୁହ ଦେଖାପାରନ୍ତିନି । ପେଟର ଭୋକକୁ ଜାଣି ଟିଫିନ୍ ବକ୍ସରୁ ବିସ୍କୁଟଟିଏ ହେଉ ପଛେ, ତୋର ଫାଳେକୁ ମୋର ଫାଳେ କହି ସ୍ନେହରେ ଖୁଆଇଦିଏ ସାଙ୍ଗ । ଆଉ ସେ ସ୍ନେହଭରା ସୁଆଦିଆ ବିସ୍କୁଟ ବି ପେଟ ପୂରା କରିଦିଏ ।

ବୟସ ବଢିବା ସଙ୍ଗେ ସଙ୍ଗେ ବନ୍ଧୁତ୍ୱର ବାସ୍ନା ଆଜିର ଦିନରେ ଫିକା ପଡି ପଡି ଯାଉଛି । ବନ୍ଧୁତ୍ୱ ବଂଚିଛି ସତ, ହେଲେ କଉ ସାଙ୍ଗ ବିଦେଶରେ ରହୁଛି ତ କିଏ ବର୍ଡରରେ ଲଢୁଛି । ବ୍ୟସ୍ତ ବହୁଳତାର ଜୀବନ ଭିତରେ ସାଙ୍ଗ କଥା ଯେତେବେଳେ ବି ମନେ ପଡେ, ହୃଦୟ ହାଟରେ ସାଙ୍ଗ ନାଁ ଶୁଣାଯାଏ । ଆଉ ଆବିଳତାର ଲହୁରେ ଆଖି ଜକେଇଆସେ । ସତରେ ସାଙ୍ଗ ଶବ୍ଦଟା ସତେଯେମିତି ସମ୍ପର୍କର ଶାଶ୍ୱତ ସୂତାଖିଅ । ନା ତାର ଆରମ୍ଭ ଅଛି ନା ତାର ଶେଷ ।

ତେବେ ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ । ସେହି ସାଙ୍ଗକୁ ମନେ ପକାଇବାର ଦିନଟିଏ । ବନ୍ଧୁକୁ ନେଇ ଆପଣଙ୍କ ମନ ଭିତରେ ଥିବା ଏମିତି ଅନେକ ଅକୁହା କାହାଣୀକୁ ନେଇ କନଜ ନ୍ୟୁଜ ପରିବାର ପକ୍ଷରୁ ଆପଣଙ୍କୁ ବନ୍ଧୁତ୍ୱ ଦିବସର ଶୁଭେଚ୍ଛା । ବଜାୟ ରହୁ ଆପଣଙ୍କ ବନ୍ଧୁତା । ହାପି ଫ୍ରେଣ୍ଡସିପ୍ ଡେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.