ପିଲା ଚୋର ଗୁଜବ ! ଆଡ଼ଭାଇଜାରୀ ଜାରି କରିବା ପରେ ମଧ୍ୟ ରାତିରେ ମାରଣାସ୍ତ୍ର ଧରି ବୁଲୁଛନ୍ତି ଲୋକ, ସୀମାନ୍ତ ଗାଁ ଗୁଡ଼ିକରେ ପୁରା ରାତିର ସ୍ଥିତି ପରଖିଲା କନକ ନ୍ୟୁଜ

32

କନକ ବ୍ୟୁରୋ : ଗାଁ ଗାଁରେ ବୁଲୁଛି ହାତ ହତିଆର । ଅଜଣା ବ୍ୟକ୍ତିଙ୍କୁ ଦେଖିଲେ ଅତର୍କିତ ଆକ୍ରମଣ । ରାତିରେ ଗାଁକୁ ଯିବା ମନା । ପିଲା ଚୋରି ଗୁଜବରେ ବନ୍ଧୁ ବାନ୍ଧବ ବି ଛାଡ ପାଉନାହାନ୍ତି । ପୁଲିସର ସଚେତନତା ଗାଁରେ ପହଂଚିନଥିବା ବେଳେ ରାତି ଅନିଦ୍ରା ହୋଇ ହତିଆର ଧରି ଗାଁରେ ଜଗି ବସୁଛନ୍ତି ଗ୍ରାମବାସୀ । ଆଉ ଏଭଳି ସ୍ଥଳେ କୋରାପୁଟକୁ ଯିବାକୁ ଡ଼ରୁଛନ୍ତି ଲୋକ ।

କୋରାପୁଟ ଜିଲ୍ଳାରେ କୋକୁଆ ଭୟ ସୃଷ୍ଟି କରିଛି ପିଲା ଚୋରି ଗୁଜବ । ପୂରା ସହର ଶୋଇଥିବା ବେଳେ ମାରଣାସ୍ତ୍ର ଧରି ଗାଁ ଗାଁରେ ପହରା ଦେଉଛନ୍ତି ଗ୍ରାମବାସୀ । ବିଶେଷ କରି ସୀମାନ୍ତବର୍ତି ଗାଁ ଗୁଡ଼ିକରେ ପିଲା ଚୋରକୁ ଧରିବା ପାଇଁ ପାଳି କରି ଜଗୁଛନ୍ତି ଗ୍ରାମବାସୀ । କେହି ଅଜଣା ବ୍ୟକ୍ତି ଗାଁକୁ ପଶିବା କ୍ଷଣି ମାଡି ଆସୁଛନ୍ତି ଗ୍ରାମବାସୀ । ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଘେରି ଯାଇଥିଲେ ଓଡିଶା-ଛତିଶଗଡ ସୀମାରେ ଥିବା ଗ୍ରାମବାସୀ ।

ପିଲା ଚୋର ଗୁଜବ ଅପଡେଟ୍ ଜାଣିବା ପାଇଁ ଜୟପୁର ଠାରୁ କୋଟପାଡ଼ର ଚାନ୍ଦିଲି ଭିତରେ ଗୋଟିଏ ରାତି ବିତାଇଛି କନକ ନ୍ୟୁଜ । ପ୍ରାୟ ୫ ଖଣ୍ଡ ଗାଁରେ ରାତିର ସ୍ଥିତି ପରଖିଛି କନକ ନ୍ୟୁଜ । ସୁଣ୍ଡିଗୁଡ଼ା, ଖୁଡ଼ିଗୁଡ଼ା, ବତାସନା, କୋଟପାଡ଼, ଚାନ୍ଦିଲି ଗ୍ରାମବାସୀଙ୍କ ହାତରେ ହତିଆର ଓ ଠେଙ୍ଗାର ଦୃଶ୍ୟ ଦର୍ଶାଉଥିଲା ଯେ, ପିଲା ଚୋରିର ଗୁଜବ କେତେ ଭୟଙ୍କର ହୋଇପାରେ ।

ବୁଧବାର ରାତି ୯ ଟାରୁ ଗୁରୁବାର ଭୋର ୪ ଭିତରେ ଜୟପୁରରୁ ବୋରିଗୁମ୍ମା ହୋଇ କୋଟପାଡ଼ ଚାନ୍ଦିଲିରେ ପହଂଚି ଥିଲେ କନକ ନ୍ୟୁଜ ଟିମ୍ । ଗାଁରେ ପୁଲିସର ଚିହ୍ନ ବର୍ଣ୍ଣ ନଥିବା ବେଳେ କୋଟପାଡ଼ରେ କିଛି ପୋଲିସ କର୍ମୀଙ୍କୁ ଦେଖିବାକୁ ମିଳିଥିଲା । ଅଭିଯାନର ଶେଷରେ ବୋରିଗୁମ୍ମାର ନୂଆ ଥାନା ଅଧିକାରୀ ଆଇପିଏସ୍ ସାଗରିକା ନାଥଙ୍କୁ ଭେଟିଥିଲେ । ତାଙ୍କ କହିବା ଅନୁଯାୟୀ, ପିଲା ଚୋରି ସମ୍ପୂର୍ଣ୍ଣ ଭାବେ ଏକ ଗୁଜବ । ଏଠାକୁ କୌଣସି ପିଲା ଚୋର ଗ୍ରୁପ ଆସିନାହାନ୍ତି । ଏପରିକି ଲୋକଙ୍କ ସୁରକ୍ଷା ପାଇଁ ପୋଲିସ ରହିଛି । ତେଣୁ ରାସ୍ତା ଉପରେ ଖଣ୍ଡା କିମ୍ବା ମାରଣାସ୍ତ୍ର ଧରି ନ ବୁଲିବାକୁ ନିବେଦନ କରିଛନ୍ତି ସାଗରିକା ନାଥ ।