ସଂସଦରେ କାଟ ଖାଇଛି ମୋଦିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ । ଆଉ ଏହାସହ ବଜେପିକୁ ମିଳିଛି ବଡ ବିଜୟ । ଦୀର୍ଘ ୧୨ ଘଣ୍ଟାର ଆଲୋଚନା ପରେ ରାତି ୧୧.୩୦ରେ ଅନାସ୍ଥା ପ୍ରସ୍ତାବ ଉପରେ ଯେଉଁ ଫଳାଫଳ ଆସିଥିଲା ତାହା ବିଜେପି ଶିବିରକୁ ଉତ୍ସାହିତ କରିଥିଲା । ମୋଦି ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ ଜଣ ସଦସ୍ୟ ଭୋଟ ଦେଇଥିବା ବେଳେ ବିପକ୍ଷରେ ଭୋଟ ଦେଇଥିଲେ ୩୨୫ ଜଣ ସଦସ୍ୟ । କିନ୍ତୁ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିବା ବେଳେ ଗୃହ ଭିତରେ ଯେଉଁ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା ତାହା ୧୫୦ କୋଟିରୁ ଉଦ୍ଧ୍ୱର୍ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିରୋଧୀ ଦଳର ସାଂସଦ ଭାବେ ରାହୁଲ ପ୍ରଥମେ ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲି ନଥିଲେ । କିନ୍ତୁ ମୋଦି ସରକାରଙ୍କ ଉପରେ ବର୍ଷିବା ପରେ ସଂସଦ ପରିସରରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଆଲିଙ୍ଗନ କରିବା ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଏପରିକି ସଂସଦ ପରିସରରେ ରାହୁଲଙ୍କ ଏଭଳି ଆଚରଣକୁ ବିଜେପି ସାଂସଦ ମାନେ ଡ୍ରାମା ବୋଲି କହିଥିଲେ । କିନ୍ତୁ କଂଗ୍ରେସ ପକ୍ଷରୁ ରାହୁଲଙ୍କ ଏଭଳି ପ୍ରୟାସକୁ ଜୋରଦାର ସମର୍ଥନ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଆଲିଙ୍ଗନ ନେଇ ବିଜେପି- କଂଗ୍ରେସ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ପ୍ରଶ୍ନ ଉଠୁଛି ବାସ୍ତବରେ ଏହାଦ୍ୱାରା କାହାର ଭାବମୂର୍ତ୍ତି ଉପରକୁ ଉଠିବ ଏବଂ କାହାର ଭାବମୂର୍ତ୍ତି ଉପରେ ଲୋକ ପ୍ରଶ୍ନ ଉଠାଇବେ ।

Advertisment

publive-imageଆଉ ଏଭଳି ଅସମାହିତ ପ୍ରଶ୍ନ ଉତ୍ତର ଜାଣିବା ପାଇଁ ଗତକାଲି କନକ ନ୍ୟୁଜ ଡିଜିଟାଲ ପକ୍ଷରୁ ସୋସିଆଲ ମିଡିଆରେ ଏକ ଅନଲାଇନ ପୋଲ ଆରମ୍ଭ କରାଯାଇଥିଲା । ଯେଉଁଥିରେ ସଂସଦ ପରିସରରେ ନରେନ୍ଦ୍ର ମୋଦିଙ୍କୁ ରାହୁଲ ଗାନ୍ଧୀଙ୍କ ଆଲିଙ୍ଗନ ପରେ ଏହା କାହାର ଭାବମୂର୍ତ୍ତି ବଢାଇବାରେ ସହାୟକ ହେବ ବୋଲି ପ୍ରଶ୍ନ ପଚରାଯାଇଥିଲା । ଗୋଟିଏ ପଟେ ଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଉ ଏହି ପୋଲିଂରେ ୪୯୦୦ରୁ ଉଦ୍ଧ୍ୱର୍ ଫେସବୁକ ୟୁଜର୍ସ ଭାଗ ନେଇ ନିଜର ମତ ଦେଇଥିଲେ । ସଂସଦରେ ଦୁଇ ନେତା ଯେଉଁଭଳି ପରସ୍ପର ବିରୋଧରେ ବର୍ଷିଥିଲେ ଠିକ୍ ସେହିଭଳି ଏହି ପୋଲିଂରେ ମଧ୍ୟ ମୋଦି ଓ ରାହୁଲଙ୍କ ସମର୍ଥକଙ୍କ ମଧ୍ୟରେ କଥା କଟାକଟି ଦେଖିବାକୁ ମିଳିଥିଲା । ଆଉ ଅନଲାଇନ ପୋଲିଂ ଶେଷରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ବିଜେପି କର୍ମୀଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ ।

publive-imageସଂସଦରେ ମୋଦିଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ କାଟ ଖାଇବା ଭଳି ଅନଲାଇନ ଭୋଟିଂରେ ମଧ୍ୟ ମାତ୍ ଖାଇଥିଲେ ରାହୁଲ ଗାନ୍ଧି । ୪୯୦୦ ୟୁଜର୍ସଙ୍କ ମଧ୍ୟରୁ ୫୪ ପ୍ରତିଶତ ଲୋକ ମୋଦିଙ୍କ ସପକ୍ଷରେ ଭୋଟ କରିଥିବା ବେଳେ ୪୬ ପ୍ରତିଶତ ଲୋକ ରାହୁଲଙ୍କ ସପକ୍ଷରେ ଭୋଟ କରିଥିଲେ । ଅଥାର୍ତ ସଂସଦରେ ରାହୁଲଙ୍କ ଆଲିଙ୍ଗନ ମୋଦିଙ୍କ ଭାବମୂର୍ତ୍ତି ବଢାଇବ ବୋଲି ଲୋକମାନେ ମତ ଦେଇଥିଲେ । କିନ୍ତୁ ଉଭୟ ହେଭିୱେଟ ନେତାଙ୍କ ଭୋଟହାରରେ ଏତେ ଅଧିକ ବ୍ୟବଧାନ ମଧ୍ୟ ରହିନଥିଲା । ଯାହା ଦର୍ଶାଉଥିଲା ଏହି ଯାଦୁ କି ଝପି ରାହୁଲଙ୍କ ଭାବମୂର୍ତ୍ତିକୁ ୨୦୧୯ ନିର୍ବାଚନ ବେଳକୁ ନିଶ୍ଚିତ ଭାବେ ବୃଦ୍ଧି କରିବ । ତେବେ ରାହୁଲଙ୍କ ଭାବମୂର୍ତ୍ତି ବଢୁ ବା ନ ବଢୁ କିନ୍ତୁ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରିବାକୁ ଭୁଲି ନାହାନ୍ତି ୟୁଜର୍ସ । ଏପରିକି ଏହି ଅନଲାଇନ ପୋଲରେ ଜଣେ ୟୁଜର୍ସ ରାହୁଲଙ୍କୁ କଂସ ଏବଂ ମୋଦିଙ୍କୁ ଜଗନ୍ନାଥ ସହ ତୁଳନା କରିଛନ୍ତି । ଧନୁଯାତ୍ରା ପରେ ଯେଉଁଭଳି କଂସ ଚରିତ୍ରରେ ଅଭିନୟ କରୁଥିବା ବ୍ୟକ୍ତି ଜଗନ୍ନାଥଙ୍କ ଶରଣାପନ୍ନ ହୋଇ କ୍ଷମା ପ୍ରାର୍ଥନା କରିଥାନ୍ତି ଠିକ୍ ସେହିଭଳି ରାହୁଲ ଗାନ୍ଧି ମିଛ ଭାଷଣ ଦେବା ପରେ ମୋଦିଙ୍କ ପାଖକୁ ଯାଇ ନିଜ କୃତକର୍ମର ଭୁଲ ମାଗୁଥିଲେ ବୋଲି ଟ୍ରୋଲ କରିଛନ୍ତି ୟୁଜର୍ସ । ସେହିଭଳି କିଛି ୟୁଜର୍ସଙ୍କ ରାହୁଲଙ୍କ ସମର୍ଥନରେ ବାହାରି ତାଙ୍କ ଆଚରଣକୁ ଠିକ କହିବା ସହ ସେ ହିଁ ଆଗାମୀ ଦିନରେ ଭାରତର ପ୍ରଧାନମନ୍ତ୍ରୀ ହେବେ ଏକଥା ସୂଚାଇ ଦେଇଛନ୍ତି । ତେବେ ସେ ଯାହା ହେଉ ନା କାହିଁକି ରାହୁଲଙ୍କ ଆଲିଙ୍ଗନ ବାସ୍ତବରେ କାହା ଭାବମୂର୍ତ୍ତି ବଢାଇବ ତାହା ଆଗାମୀ ଦିନରେ ଜଣାପଡିବ ।