କନକ ବ୍ୟୁରୋ: ଆରମ୍ଭ ହେଲା କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ- ୨୦୨୩ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଶିଳ୍ପ, ଶକ୍ତି ଏବଂ ଏମଏସଏମଇ ମନ୍ତ୍ରୀ ପ୍ରତାପ ଦେବ ବି ସାମିଲ ହୋଇଛନ୍ତି । ସମ୍ବାଦର ସମ୍ପାଦକ ତନୟା ପଟ୍ଟନାୟକ ଉତ୍ତରୀୟ ଦେଇ ଦୁହିଁଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ରଖିଥିଲେ ।

Advertisment

ମହାମହିମ ରାଜ୍ୟପାଳ ରଘୁବର ଦାସଙ୍କ ବାବଦରେ କହିବାକୁ ଯାଇ ତାଙ୍କ ଅତୀତର ଯାତ୍ରା ଆମ ପାଇଁ ପ୍ରେରଣା ଦାୟକ ବୋଲି ସମ୍ବାଦର ସମ୍ପାଦକ ବଖାଣିଥିଲେ । କେମିତି ଜଣେ ଦିନ ମଜୁରୀଆରୁ ମୁଖ୍ୟମନ୍ତ୍ରୀ ହୋଇ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିିଥିଲେ ତାହା କହିଥିଲେ ତନୟା ପଟ୍ଟନାୟକ ।

publive-image

ଏହି ଅବସରରେ ପୂର୍ବତନ ରାଜ୍ୟପାଳ ଗଣେଶୀଲାଲଙ୍କ କଥା ମନେପକାଇଥିଲେ ସମ୍ବାଦର ସମ୍ପାଦକ । ଓଡ଼ିଶା ନିର୍ମାଣ କନକ୍ଲେଭର ଷଷ୍ଠ ସଂସ୍କରଣରେ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ କହିଥିଲେ ମୋର ଗୋଟିଏ ସ୍ୱପ୍ନ ଅଛି ଯେ, ଓଡ଼ିଶାର ଛାତ୍ରଛାତ୍ରୀ, ଯୁବପୀଢି ଓଡ଼ିଶାକୁ ନେଇ କଣ ସ୍ୱପ୍ନ ଦେଖୁଛନ୍ତି । ସମ୍ବାଦ ପରିବାର ହିଁ ରାଜ୍ୟର କୋଣ ଅନୁକୋଣକୁ ଯାଇ ଛାତ୍ରଛାତ୍ରୀଙ୍କ ମତାମତ ଏ ବାବଦରେ ସଂଗ୍ରହ କରିପାରିବ । ଏଭଳି କହି ସମ୍ବାଦ ପରିବାର ଉପରେ ସେ ଆସ୍ଥା ପ୍ରକଟ କରିଥିଲେ । ଆମେ ସେ ଆହ୍ୱାନକୁ ଗ୍ରହଣ କରିଥିଲୁ ଏବଂ ରାଜ୍ୟର ପ୍ରତି ବ୍ଲକରେ ଏକ ପରୀକ୍ଷା ମାଧ୍ୟମରେ ଓଡ଼ିଶାକୁ ନେଇ କଣ ସ୍ୱପ୍ନ ରହିଛି ସେ ବାବଦରେ ଛାତ୍ରଛାତ୍ରୀଙ୍କ ମତାମତ ସଂଗ୍ରହ କରିଥିଲୁ ।

ତେବେ ଓଡିଶା ନିର୍ମାଣର ଦାୟିତ୍ୱ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ । ଓଡିଶା ନିର୍ମାଣର ଦାୟିତ୍ୱ ଆମ ସମସ୍ତଙ୍କର । ଓଡିଶାରେ ସବୁକିଛି ଅଛି । ଜଗନ୍ନାଥ ଆମକୁ ସବୁକିଛି ଦେଇଛନ୍ତି । ଭୂଇଁ ତଳେ ସମ୍ପତ୍ତି, ଭୂଇଁ ଉପରେ ବି ସମ୍ପତ୍ତି । ତାହାଲେ ଆମେ ଯେଉଁ ସ୍ଥାନରେ ପହଞ୍ଚିବା କଥା କାହିଁକି ସେଠି ପହଞ୍ଚିନୁ ? କେଉଁଠି ଅଭାବ ରହିଛି । ଓଡିଶା ନିର୍ମାଣର ମଞ୍ଚ ଆଲୋଚନା, ସମାଲୋଚନା, ସମ୍ଭାବନାର ମଞ୍ଚ । କେଉଁଠି ପରିବର୍ତ୍ତନ ଦରକାର, ସମର୍ଥନ ଦରକାର ସେ ବିଷୟରେ ଆଲୋଚନା କରିବା ପାଇଁ ଓଡିଶା ନିର୍ମାଣ କନକ୍ଲେଭ ସୃଷ୍ଟି କରିଛି ବିରାଟ ପ୍ଲାଟଫର୍ମ ।