କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବୁରାତଲା ପଞ୍ଚାୟତର କମଳାଖତ ନୂଆସାହିରେ ପିଲା ସ୍କୁଲ ତାର ବାନ୍ଧି ନଦୀ ଅତିକ୍ରମ କରିବା ଘଟଣା ପରେ ଚେତିଛି ପ୍ରଶାସନ । ଘଟଣା ପ୍ରସାରଣ ପରେ ପାତ୍ରପୁର ବିଡିଓ, ତହସିଲଦାର, ଜରଡା ଥାନା ଅଧିକାରୀ, ବୁରାତଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ବୁରାତଲା ବିଦ୍ୟାପୀଠର ପ୍ରଧାନଶିକ୍ଷକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେମାନେ ପିଲାମାନଙ୍କୁ ଏହି ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

Advertisment

କେବଳ ପାଠପଢ଼ା ନୁହେଁ, ଉପରମୁଣ୍ଡରେ ଥିବା ଗ୍ରାମ ଗୁଡ଼ିକ ବାହ୍ୟ ଜଗତରୁ ବିଛିନ୍ନ ହେଉଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ଥିତି ସମ୍ପର୍କରେ ଅବଗତ କରାଯିବ ବୋଲି ସ୍ଥାନୀୟ ବିଡିଓ କହିଛନ୍ତି । ଗତ ଶୁକ୍ରବାର ସ୍କୁଲ ଫେରିବା ସମୟରେ ମହେନ୍ଦ୍ରତନୟା ନଦୀର ଜାମୁଗଣ୍ଡ ଶାଖାରେ ବନ୍ୟାଜଳ ପ୍ରବେଶ କରିଥିଲା । ଯେଉଁ କାରଣରୁ ସ୍କୁଲ ପିଲାମାନେ ତାର ବାନ୍ଧି ନଦୀ ଅତିକ୍ରମ କରିଥିଲେ ।

ଶାଖାରେ ସେତୁଟିଏ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ଆଗରେ ବାରମ୍ବାର ଦାବି କରିଆସୁଥିଲେ ବି ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି । ଜାମୁଗଣ୍ଡ ଶାଖା ଉପରେ ୧୫ରୁ ଅଧିକ ଗାଁ ଲୋକେ ନିର୍ଭର କରନ୍ତି ।