କନକ ନ୍ୟୁଜର ବଡ ପ୍ରଭାବ । ଖବର ପ୍ରସାରଣ ପରେ ରାତାରାତି ଭୁବନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ସେସୁ ।

540

କନକ ବ୍ୟୁରୋ : କନକ ନ୍ୟୁଜ ପ୍ରଭାବ । ଖବର ପ୍ରସାରଣ ପରେ ପୁନଃ ବିଦ୍ୟୁତ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଲା ସେସୁ । ଏନେଇ ସୂଚନା ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ସେ କହିଛନ୍ତି, ଘଟଣା ଦୁର୍ଭାଗ୍ୟଜନକ, ଲୋକଙ୍କୁ ହଇରାଣ କରିବା ସେସୁର ଉଦ୍ଦେଶ୍ୟ ନୁହେଁ । ବିଲ୍ ପୈଠ ପାଇଁ ସମୟ ଦିଆଯିବ, ଅନ୍ଧାରରେ ରହିବାକୁ ଦିଆଯିବନି । ତେବେ ରାତାରାତି ଭୁବନ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ପାଇଁ ଏସଡିଓ ଏବଂ ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛି ସେସୁ ।

ପିଇବା ପାଣି କିଭଳି ଲମ୍ବା ଲାଇନ୍ ଲାଗିଥିଲା, ସେନେଇ ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ । ହାଣ୍ଡି, ମାଠିଆ ଧରି ଧାଡି ଲଗାଇଥିଲେ ମହିଳା । ୪ ଦିନ ହେଲା ଏଭଳି ସ୍ଥିତି ଲାଗି ରହିଥିଲା । ଗାଁ ମୁଣ୍ଡ ନଳକୂପ ଆଗରେ ଜମିଥିଲା ପିଇବା ପାଣି ପାଇଁ ଭିଡ । ଆଉ ଏହି ଅଦିନିଆ ଭିଡ ପଛରେ ରହିଥିଲା ସେସୁର ବିଜୁଳି କାଟ୍ ଅଭିଯାନର ସାଇଡ୍ ଇଫେକ୍ଟ ।

ଢେଙ୍କାନାଳ ଜିଲ୍ଲା ଭୁବନର କୀର୍ତନପୁର । ଗାଁରେ ୨୦୧୪ରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ପିଇବା ପାଣି ଯୋଗାଇ ଦିଆଯାଉଛି । ତେବେ ଚାରି ଦିନ ତଳେ ବିଜୁଳି କାଟି ଦେଇଛି ସେସୁ । କାରଣ, ବିଜୁଳି ବିଲ୍ ବାବଦରେ ୨୦ ହଜାରରୁ ଅଧିକ ଟଙ୍କା ବକେୟା ରହିଛି । ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବା ପରେ ପାନୀୟ ଯୋଗାଣ ପ୍ରକଳ୍ପ ଏକପ୍ରକାର ଅଚଳ ହୋଇପଡିଛି । ଏବଂ ଗ୍ରାମବାସୀ ବାଧ୍ୟ ହୋଇଛନ୍ତି ପୁରୁଣା ନଳକୂପର ପାଣି ପିଇବାକୁ ।

ଗାଁରେ ରହୁଛନ୍ତି ପ୍ରାୟ ୫ ଶହ ପରିବାର । ୬ ବର୍ଷ ହେଲା ଷ୍ଟାଣ୍ଡପୋଷ୍ଟରେ ପିଇବା ପାଣି ମିଳୁଥିଲା । ଫଳରେ କୂଅ ପରିତ୍ୟକ୍ତ ହୋଇ ପଡିଛି ଏବଂ ନଳକୂପରୁ ବାହାରୁଛି ମଇଳା ପାଣି । ଏଭଳି ସ୍ଥିତିରେ ଲୋକେ ବାଧ୍ୟହୋଇ ମଇଳା ପାଣି ପିଉଛନ୍ତି ।