କନକ ନ୍ୟୁଜ ମହାପ୍ରଭାବ । ଅସୁସ୍ଥ ପବିତ୍ରଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ, ସହାୟତାର ହାତ ବଢାଇଲେ ବିଧାୟକ ।

223

କନକ ବ୍ୟୁରୋ : ମାର୍ଶାଘାଇର ଅସୁସ୍ଥ ପବିତ୍ରଙ୍କ ଚିକିତ୍ସା ପାଇଁ ଆଗେଇ ଆସିଲା କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ । ଘରୁ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ ପଠାଇଛନ୍ତି ଉପଜିଲ୍ଲାପାଳ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଲ ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

ଲୋକଙ୍କ ସମସ୍ୟା ଆପଣଙ୍କ ପାଖରେ ପହଞ୍ଚାଇବା ସହ ପ୍ରଶାସନକୁ ଜବାବ ଦେହୀ କରିବା ପାଇଁ ଆମେ ପରିବେଷଣ କରୁ ଖବର । ସରକାରୀ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିଟିଏ ପାଖରେ କିଭଳି ପ୍ରଶାସନିକ କଳ ପହଞ୍ଚି ପାରିବ ସେଥିପାଇଁ ଆମେ ନିରନ୍ତର ପ୍ରୟାସ କରିଥାଉ । ଏମିତି ଏକ ପ୍ରୟାସ ଆମର ସଫଳ ହୋଇଛି ଯେତେବେଳେ ମାର୍ଶାଘାଇ ଆଠବାଟିଆ ଗାଁର ଅସହାୟ ପବିତ୍ର ବେହେରାଙ୍କ ପାଖରେ ପହଂଚିଛି ଜିଲ୍ଲା ପ୍ରଶାସନ । ଆଉ କୁନି ପୁଅ ପ୍ରଥମେଶର ଦୁଃଖ ବୁଝି ବାପା ପବିତ୍ରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ ମେଡିକାଲକୁ ନେଇଛି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ।

ବାପା-ପବିତ୍ର, ମାଆ ସ୍ତ୍ରୀ ଚମ୍ପାବତୀ ଓ ବଡଭାଇ ପ୍ରଦ୍ୟୁମ୍ନ ରୋଗଶଯ୍ୟାରେ ପଡିଥିବା ବେଳେ କୁନି ପୁଅ ପ୍ରଥମେଶ କାନ୍ଧରେ ପୁରା ପରିବାରର ଦାୟିତ୍ୱ । ୯ ବର୍ଷର ପ୍ରଥମେଶ ପାଠପଢାକୁ ପଛ କରି କିଭଳି ପରିବାର ପାଇଁ ଶ୍ରବଣ କୁମାର ସାଜିଛି ସେନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଆଉ ଏହି ଖବର ପ୍ରସାରଣ ପରେ ସହାୟତାର ହାତ ବଢାଇଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ । ପ୍ରଥମେ ପବିତ୍ରଙ୍କୁ ଚିକିତ୍ସା ପାଇଁ କଟକ ନିଆଯାଥିବା ବେଳେ ପରେ ଚମ୍ପାବତୀଙ୍କୁ ମଧ୍ୟ ଚିକିତ୍ସା ଯୋଗାଇ ଦିଆଯିବ । ଏହାସହ ବିଭିନ୍ନ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉପଜିଲ୍ଲାପାଳ ।

ପବିତ୍ରଙ୍କୁ ଜିଲ୍ଲା ପ୍ରଶାସନ ଡାକ୍ତରଖାନାକୁ ନେବା ବେଳର ଦୃଶ୍ୟ ବି ଥିଲା ବେଶ ହୃଦୟ ସ୍ପର୍ଶୀ । ବାପାଙ୍କ ସୁସ୍ଥତାକୁ ଅପେକ୍ଷା କରିଥିବା କୁନି ପୁଅ ପ୍ରଥମେଶ ଦିବ୍ୟାଙ୍ଗ ବଡ ଭାଇକୁ କୋଳେ ବାପାଙ୍କୁ ଦେଖାଉଥାଏ । ଯାହାକୁ ଦେଖି ଉପସ୍ଥିତ ଲୋକଙ୍କ ଆଖି ଓଦା ହୋଇଯାଇଥିଲା । ।