କନକ ନ୍ୟୁଜ ପ୍ରଭାବ, ସ୍ମିତାଲିଙ୍କୁ ମିଳିଲା ସାର୍ଟିଫିକେଟ୍ । ସ୍କୁଲ ଲିଭିଂ ସାର୍ଟିଫିକେଟ୍ ହଜିଯିବା ପରେ ନାମ ଲେଖାରୁ ହୋଇଥିଲେ ବଂଚିତ

ଖବର ପ୍ରସାରଣ ପରେ ସାର୍ଟିଫିକେଟ୍ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷାମନ୍ତ୍ରୀ

190

କନକ ବ୍ୟୁରୋ: କନକ ନ୍ୟୁଜ ପ୍ରଭାବ । ଶେଷରେ  ସ୍ମିତାଲିଙ୍କୁ ମିଳିଲା ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ । ଭୁବନେଶ୍ୱର ସହିଦନଗର ଉଚ୍ଚବିଦ୍ୟାଳୟ ପକ୍ଷରୁ ସ୍ମିତାଲିଙ୍କୁ ଏହି ସାର୍ଟିଫିକେଟ ଆଜି ମିଳିଛି । ସ୍ମିତାଲିଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜିବା କାରଣରୁ ସେ ତିନି ବର୍ଷ ହେଲା ପାଠପଢ଼ାରୁ ବଂଚିତ ହୋଇଥିଲେ । ସୋମବାର ରମାଦେବୀ କଲେଜରେ ଆଡମିଶନ କରିବାକୁ ଯାଇ ବିଫଳ ହେବା ପରେ ଏହି ଖବର କନକ ନ୍ୟୁଜ ସାମନାକୁ ଆସିଥିଲା । ଯାହା ଜଣାପଡିଥିଲା ଝିଅଟିର ସାର୍ଟିଫିକେଟଟି ହଜିଯିବା ପରେ ତିନି ବର୍ଷ ହେଲା ଡୁପ୍ଲିକେଟ୍ ସାଟିଫିକେଟ ପାଇଁ ପଢ଼ୁଥିବା ସ୍କୁଲକୁ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ତାଙ୍କୁ ଦେଇ ନଥିଲେ ପ୍ରଧାନଶିକ୍ଷକ ।

ସ୍କୁଲ ଲିଭିଙ୍ଗ ଥରେ ହଜିଲେ ଏହାକୁ ପୁଣି ଥରେ ଦେବା ପାଇଁ କୌଣସି ନିୟମ ନଥିବା କହି ଏଡାଇ ଯାଇଥିଲେ ଉଚ୍ଚ କର୍ତୁପକ୍ଷ । ଶେଷରେ ସ୍ମିତାଲି କାନ୍ଦି କାନ୍ଦି କହିଥିଲେ କଣ ସାଟିଫିକେଟ ହଜିଗଲା ବୋଲି ସେ ଆଉ ପାଠପଢ଼ି ପାରିବେନି । ଏପରିକି ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ସହ ତାଙ୍କ କଥା ଶୁଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ଖବର ପ୍ରସାରଣ ପରେ ସାର୍ଟିଫିକେଟ ଦେବାକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ ଗଣଶିକ୍ଷା ମନ୍ତ୍ରୀ । ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଗଲେ ଆଉ ଛାତ୍ର ଛାତ୍ରୀଙ୍କୁ ହଇରାଣ ହେବକୁ ପଡିବନି । ସତ୍ୟପାଠ ଦାଖଲ କଲେ ତାଙ୍କୁ ସ୍କୁଲ ଲିଭିଂ ସାର୍ଟିଫିକେଟ ବା ଏସଏଲସି ନକଲ ମିଳିପାରିବ । ଏନେଇ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବି ନିଆଯାଇଥିଲା  ।