ଆଉ ଅଇଁଠା ଖାଇବେନି ଅସହାୟ ବ୍ୟକ୍ତି । ଖବର ପ୍ରସାରଣ ପରେ ଆଗେଇ ଆସିଲା କଟକ ବଡ଼ ମେଡିକାଲ । ବୃଦ୍ଧଙ୍କୁ ମେଡିକାଲରେ ଭର୍ତ୍ତି କରି ଆରମ୍ଭ କଲେ ଚିକିତ୍ସା ।

451

କନକ ବ୍ୟୁରୋ: ଆଉ ଅଳିଆଗଦାରୁ ଅଣ୍ଡାଳି ଅଣ୍ଡାଳି ଅଇଁଠା ଖାଇବେନି ଅସହାୟ ବ୍ୟକ୍ତି । ଭୋକର ଭଉଁରୀରେ ପଡି ଡଷ୍ଟବିନରେ ବଳିପଡିଥିବା ଖାଦ୍ୟ ଖାଇବେନି ଏ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । କାରଣ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଭାଙ୍ଗିଛି ମେଡିକାଲ କର୍ତ୍ତୃପକ୍ଷଙ୍କ ନିଦ । ପ୍ରଶାସନ ଓ ଅଧିକାରୀଙ୍କ ଆଖି ତାଙ୍କ ଉପରେ ପଡିଛି । ଆଉ ଖବର ବାଜିବାର ୨୪ ଘଣ୍ଟା ଭିତରେ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଖବର ବାଜିବା ପରେ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ତତ୍ପରତା ଦେଖାଇଥିଲେ । ମେଡିକାଲରେ ବୁଲୁଥିବା ଅସହାୟ ବ୍ୟକ୍ତିଙ୍କୁ ରାସ୍ତାରୁ ଉଦ୍ଧାର କରି ତାଙ୍କୁ ସଫା ସୁତୁରା କରିଥିଲେ । ମୁଣ୍ଡରେ ବଢିଯାଇଥିବା ଚୁଟି, ଦେହରେ ବସିଯାଇଥିବା ପରସ୍ତ ପରସ୍ତ ମଇଳାକୁ ସଫା କରି ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରିଥିଲେ ପରେ ମାନସିକ ରୋଗ ବିଭାଗରେ ଭର୍ତ୍ତି କରି ତାଙ୍କୁ ସେବା, ଯତ୍ନ ଚାଲିଛି ।

ସେପଟେ ଗତ ଦୁଇ ଦିନ ତଳେ କଟକ ବଡ ମେଡିକାଲରେ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଅଳିଆଗଦାରୁ ଅଇଁଠା ଖାଉଥିବାର ଦେଖିବାକୁ ମିଳିଥିଲା । ପେଟର ଭୋକ ଯେତେବେଳେ ଡଷ୍ଟବିନ ଡେଇଁଥିଲା ସେତେବେଳେ ଅଳିଆଗଦାରୁ ଅଣ୍ଡାଳି ଅଣ୍ଡାଳି ଖାଇଥିଲେ ଏ ବୃଦ୍ଧ । ଆଉ ବଡ ମେଡିକାଲର ଏ ଭୋକର ଭିଡିଓ ଭାଇରାଲ ହୋଇଥିଲା । ଖାଲି ଏବେ ନୁହେଁ ଦୁଇ ମାସ ତଳେ ବି ତାଙ୍କ ଅନ୍ୟ ଏକ ଭିଡିଓ ସାରା ଓଡିଶା ଦେଖିଥିଲା । ଆଉ ବୃଦ୍ଧଙ୍କ ଏ ଭୋକର ଚିତ୍ର ଆମେ ବାରମ୍ବାର ଦେଖାଇବା ପରେ ମେଡିକାଲରେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ତାଙ୍କୁ କୌଣସି ସହାୟତା ମିଳୁନଥିବାର କଥା ସାମ୍ନାକୁ ଆଣିଥିଲୁ । ଆଉ ଅଭିଯୋଗର ଖବର ବାଜିବା ପରେ ଏବେ ତାଙ୍କୁ ସହାୟତା ମିଳିଛି । ଆଉ ସେ ଚିକିତ୍ସିତ ହେଉଛନ୍ତି । ତେବେ ମେଡିକାଲରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଉଦ୍ଧାର କରି ସେବା ଯୋଗାଇବାର ଆବଶ୍ୟକତା ରହିଛି ।