ଜନ୍ମଦିନ ପାଇଁ ସଜବାଜ । କାଲି କନକ ନ୍ୟୁଜକୁ ପୂରିବ ୧୦ ବର୍ଷ, ଦଶନ୍ଧିର ଯାତ୍ରାରେ ଆମେ ଜିତିଛୁ ଜନତାଙ୍କ ବିଶ୍ୱାସ ।

214

କନକ ବ୍ୟୁରୋ : ୧୦ ବର୍ଷ ପୂରଣ କଲା କନକ ନ୍ୟୁଜ୍ । ଓଡିଶା ସାମ୍ବାଦିକତା କ୍ଷେତ୍ରରେ ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ୍ । ସଠିକ ଓ ସତ୍ୟ ଖବର ପରିବେଶଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ନିଜ ଦାୟିତ୍ୱ ପୂରଣ କରିଛି । ଅନ୍ୟାୟ, ଅତ୍ୟାଚାର ଓ ଅନ୍ଧବିଶ୍ୱାସ ବିରୋଧରେ ଲଢେଇ କରି ସତକୁ ସାମ୍ନାକୁ ଆଣିବା ସହ ସାଢେ ୪ କୋଟି ଓଡିଶାବାସୀଙ୍କ ପ୍ରଥମ ପସନ୍ଦ ପାଲଟିଛି କନକ ନ୍ୟୁଜ୍ ।

୨୦୦୯ ରୁ ୨୦୧୯, ଦୀର୍ଘ ୧୦ ବର୍ଷର ଯାତ୍ରା । ଖବର କାଗଜ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପ୍ରତି ଘରର ସଦସ୍ୟ ପାଲଟିଥିବା ସମ୍ବାଦ ପରିବାର ପ୍ରବେଶ କରିଥିଲା ଟିଭି ଦୁନିଆରେ । ସଂକଳ୍ପ ଥିଲା ସାଧାରଣ ଲୋକର ସ୍ୱର ହେବା, ପ୍ରତିବଦ୍ଧତା ଥିଲା ସତ ଦେଖାଇବା । ଦଶନ୍ଧିଟିଏ ଯାତ୍ରାରେ ଆମେ ଜିତିଛୁ ଜନତାଙ୍କ ବିଶ୍ୱାସ । ପ୍ରସଙ୍ଗ ତିଆରି କରିଛୁ, ନେତାଙ୍କୁ ଜବାବଦେହୀ କରିବା ସହ ସେମାନଙ୍କ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ କରିବାରେ ସମର୍ଥ ହୋଇଛୁ ।

ଖଣି ଦୁର୍ନୀତିର ଗଭୀର ଚେରକୁ ଖୋଳି ଉପାଡିବା, ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳଙ୍କ ଅପହରଣ ଠାରୁ ଆରମ୍ଭ କରି ମୁକ୍ତିର ଟିକିନିଖି ଖବର ଦେଖାଇବା, ମିଥ୍ୟା ଅଭିଯୋଗରେ ଜେଲରେ ଥିବା ପଶ୍ଚିମବଙ୍ଗର ରଂଜିତ ସାନାଙ୍କ ମୁକ୍ତି ପାଇଁ ଉଦ୍ୟମ କରିବା ଭଳି ଅନେକ ଖବର ଆମକୁ ଦେଇଛି ସ୍ୱତନ୍ତ୍ର ପରିଚୟ । ଆମେ କେବେ ଖବରରେ ବାଛ ବିଚାର କରିନାହୁଁ, ଆମେ କେବେ ଖବରକୁ ରାଜନୈତିକ ଦୃଶ୍ୟପଟ୍ଟରେ ତଉଲି ନାହୁଁ । ଖାସ ସେଥିପାଇଁ ତ ନିର୍ବାଚନ ବେଳେ ଆମେ ସୃଷ୍ଟି କରିଥିଲୁ ନୂଆ ଧାରା । ଯାହାକୁ ଅନୁସରଣ କରିଥିଲେ ଅନ୍ୟମାନେ । ନିର୍ବାଚନ ଖବର କଭରେଜରେ ଆମେ ସାଜିଥିଲୁ ମାର୍ଗଦର୍ଶକ ।

ପଂଚାୟତ ନିର୍ବାଚନ ଖବରକୁ ଯେ ନନଷ୍ଟପ୍ ଲାଇଭ କଭରେଜ କରାଯାଇପାରିବ, ଏହାକୁ ହୁଏତ କେହି କେବେ ଭାବିନଥିବେ । ହେଲେ କନକ ନ୍ୟୁଜ କେଉଁ ଏକ ବୁଲେଟିନରେ ଏହି ଖବରକୁ ସ୍ଥାନ ଦେଇ ନିଜ କର୍ତ୍ତବ୍ୟ ସାରିଦେବାକୁ ଚାହିଁନଥିଲା ବରଂ ଏହାକୁ ଘଂଟା ଘଂଟା ଧରି ବିଶ୍ଳେଷଣ କରି ଭୋଟରଙ୍କ ମନକୁ ପରଖିଥିଲା ଆଉ ରାଜନୀତିର ଅଧ୍ୟାୟରେ ଆଣିଥିଲା ବଡ ପରିବର୍ତ୍ତନ ।

ରାଜ୍ୟ ବାହାରେ ନିର୍ବାଚନ କଭରେଜରେ ଆମକୁ ଅନୁକରଣ କରିଥିଲେ ଅନ୍ୟମାନେ । ପ୍ରଥମ ଥର ପାଇଁ ସମ୍ବାଦ-କନକ ନ୍ୟୁଜ ଆସନ ଅନୁଯାୟୀ କରିଥିଲା ବୁଥ ବାହୁଡା ମତ । ଯାହାର ପୂର୍ବାନୁମାନ ୯୦ ପ୍ରତିଶତରୁ ଅଧିକ ସଫଳ ହୋଇଥିଲା । ନିର୍ବାଚନ ସମୟରେ କର୍ମଭୂମି, ରଣଭୂମି, ଟିକେଟ ମିଳିବ କାହାକୁ, ମୁକାବିଲାର ମୈଦାନ ଭଳି କାର୍ଯ୍ୟକ୍ରମ ଜରିଆରେ ନିର୍ବାଚନର ୩୬୦ ଡିଗ୍ରୀ ସମୀକ୍ଷା କରିଥିଲା କନକ ନ୍ୟୁଜ ।

ନିର୍ବାଚନର ତାତି ଭିତରେ ଯେ ବାତ୍ୟା ଭଳି ସଂଗୀନ ସ୍ଥିତି ମାଡି ଆସୁଛି, ତାକୁ ମଧ୍ୟ ସଠିକ୍ ଭାବେ ଆମେ ପରିବେଷଣ କରିଥିଲୁ ଜନତାଙ୍କ ସାମ୍ନାରେ । ଲୋକଙ୍କ ଭିତରେ ଭୟ ପାଇଁ ନୁହେଁ ବରଂ ସଚେତନତା ପାଇଁ ଆମେ ଥିଲୁ ସେମାନଙ୍କ ପାଖରେ । ଗ୍ରାଉଣ୍ଡ ଜିରୋରେ ନିର୍ଭୀକ ଭାବେ ଆମ ପ୍ରତିନିଧି ସାମ୍ନା କରିଥିଲେ ଝଡକୁ । ଆଉ ରାଜ୍ୟବାସୀ ଦେଖିଥିଲେ ବାତ୍ୟାର ଭୟାବହତା ।

ଖାଲି ବଡ ଖବର ପଛରେ ଆମେ ଧାଇଁନାହୁଁ, ବରଂ ପ୍ରସଙ୍ଗ ତିଆରି କରିଛୁ । ଯାହା କାହା ପାଇଁ ଗୌରବ ନେଇ ଆସିଛି ତ କାହା ପାଇଁ ବିବାଦ । ରାଜନଗରର ମମତା ଦଳାଇ ଯେତେବେଳେ ସାହାସିକତା ପୁରଷ୍କାର ପାଉଥିଲେ ସେତେବେଳେ ଆମେ ଗର୍ବ କରିଥିଲୁ ଆମ ରିପୋର୍ଟକୁ ନେଇ । ଆଉ ଯେତେବେଳେ ଦାମ ବାବୁ ବ୍ରାହ୍ମଣଙ୍କ ସଂକ୍ରାନ୍ତରେ ଅତ୍ୟନ୍ତ ଅରୁଚିକର ମନ୍ତବ୍ୟ ଦେଇଥିଲେ, ସେତେବେଳେ ଆମେ ଏହି ରିପୋର୍ଟ ଦେଖାଇଥିଲୁ ନେତାଙ୍କୁ ଉତ୍ତରଦାୟୀ କରିବା ପାଇଁ ।

ସୁର ବାବାଙ୍କ କୁହୁକ ପୋଥିଖବର ଦେଖାଇ ଆମେ ଲୋକଙ୍କ ଅନ୍ଧବିଶ୍ୱାସର ଧାରାରୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲୁ । ବାଣ ନୁହେଁ ହସ ଫୁଟାଇବା ଭଳି ରିପୋର୍ଟ ପ୍ରସାରଣ କରି ଆମ ସାମାଜିକ ପ୍ରତିବଦ୍ଧତା ପାଇଁ ସଚେତନ ମଧ୍ୟ ଥିଲୁ । ଆମ ଖବର କେବଳ ରାଜନୀତି ଆଉ ରାଜନେତାଙ୍କ ଚାରିକଡେ ଘୁରି ବୁଲୁନଥିଲା । ବରଂ ସାଧାରଣ ଲୋକ ଯେଉଁଠି ଅତ୍ୟାଚାରିତ ହେଉଥିଲା ତା ପଛରେ ଆମେ ଦମ୍ଭର ସହ ଠିଆ ହେଉଥିଲୁ ।

ଗୁମୁଡୁମୁହା ଗୁଳିକାଣ୍ଡ ଘଟଣାରେ ଯଦି ପ୍ରଥମେ ସେଠାରେ ଆମେ ପହଁଚି ନଥାନ୍ତୁ, ହୁଏତ ଏହି ଖବର ସକାଳ ପାଇଲା ବେଳକୁ ଭିନ୍ନ ମୋଡ ନେଇଯାଇଥାନ୍ତା । ବ୍ରହ୍ମ ପରିବର୍ତନ ନେଇ ପବନରେ ବୁଲୁଥିବା ସନ୍ଦେହକୁ ଆମେ ଦେଇଥିଲୁ ଖବରର ରୂପ । ପ୍ରଶ୍ନ କରିଥିଲୁ, ସିଂହଦ୍ୱାର ବନ୍ଦ କରି ଭିତରେ ଚାଲିଛି କଣ ?

ଗତ ଦଶ ବର୍ଷରେ ଏମିତି ରାଶି ରାଶି ଖବର ଦେଖାଇ କନକ ନ୍ୟୁଜ ଦର୍ଶକଙ୍କ ଆସ୍ଥା ଭାଜନ ହୋଇଛି । ସାଲିସ ବିହୀନ ଖବର ପ୍ରସାରଣ କରି ନିଜକୁ ପ୍ରତିଷ୍ଠା କରିପାରିଛି । ଆଉ ସର୍ବୋପରି ଦର୍ଶକ ରୁଚି ରଖୁଥିବା ଭିନ୍ନ ସ୍ୱାଦର ଖବର ମଧ୍ୟ ଆମେ ଲଗାତର ଭାବେ ପ୍ରସାରଣ କରି ସେମାନଙ୍କ ମୁହଁରେ ହସ ଫୁଟାଇଛୁ । ଲୋକ ନକଲି, କଥା ଅସଲି, ଓଲଟା ପାଲଟା ଭଳି ସୋ ଦର୍ଶକଙ୍କ ମନୋରଂଜନ କରିପାରିଛି । ଏହି ୧୦ ବର୍ଷରେ ଯେଉଁ ଭରସା ଆଉ ବିଶ୍ୱାସ ଆମେ ଆପଣଙ୍କ ଠାରୁ ପାଇଛୁ, ତାକୁ ଆଗାମୀ ଦିନରେ ମଧ୍ୟ ବଜାୟ ରଖିବାର ସଂକଳ୍ପ ନେଉଛୁ ।