କନକ ବ୍ୟୁରୋ: କିଏ କହେ ମେଲୋଡି କିଙ୍ଗ୍, କିଏ ଡାକେ ଦାଦା ଆଉ କିଏ କହେ ଅଭିଜିତ୍ ଭାଇନା । ଗାଁ ଗହଳି ହେଉ କି ଚା’ଖଟି, ପଶ୍ଚିମ ଓଡ଼ିଶା ହେଉ କି ଉତ୍ତର...ସବୁଠି ସସସ୍ତଙ୍କ ହୃଦୟରେ ରାଜ୍ କରନ୍ତି ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଯାଦୁଗର ଅଭିଜିତ ମଜୁମଦାର । ହେଲେ ଏବେ ଓଲିଉଡର ମେଲୋଡି କିଙ୍ଗ୍ ମେଡିକାଲରେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି । ହସ୍ପିଟାଲ୍ ବେଡରେ କୋମାକୁ ଚାଲିଯାଇଛନ୍ତି ଦାଦା, ଯାହା କି ଏବେ ଓଡ଼ିଆ ସଙ୍ଗୀତ ଜଗତଠୁ ଆରମ୍ଭ କରି ସଙ୍ଗୀତ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି । 

Advertisment

ଆଗକୁ ଦୁର୍ଗା ପୂଜା, ଆଉ ସଭିଏଁ ଜାଣନ୍ତି ପୂଜା ଆସିଲେ ଦାଦାଙ୍କ ଗୀତରେ ମଞ୍ଚ ଦୁଲୁକେ । ସମ୍ବଲପୁରୀ ହେଉ କି ଓଡ଼ିଆ ମେଲୋଡି, ପୂଜା ବଜାରରେ ତାଙ୍କ ଗୀତ ହିଁ ମଜା ବଢ଼ାଇଥାଏ । ସମ୍ବଲପୁରୀ ସଂଗୀତ ଇଣ୍ଡଷ୍ଟ୍ରିରୁ କାମ ଆରମ୍ଭ କରି ଧୀରେଧୀରେ ସେ ଓଲିଉଡ୍‌ମୁହାଁ ହୋଇ ଘରେ ଘରେ ବେଶ୍ ପରିଚିତ ଅଭିଜିତ ମଜୁମଦାର୍ । ମେଲୋଡିୟସ୍‌ ଭଙ୍ଗୀ ତାଙ୍କୁ ଓଡ଼ିଶାର ମେଲୋଡି କିଙ୍ଗ୍‌ ବୋଲି ପରିଚୟ ମଧ୍ୟ ଦେଇଛି । ବର୍ତ୍ତମାନ ସୁଦ୍ଧା ସେ ସମ୍ବଲପୁରୀ, ଆଲ୍‌ବମ୍‌ ଓ ଓଡ଼ିଆ ଚଳଚ୍ଚିତ୍ରରେ ୭୦୦ରୁ ଅଧିକ ସଙ୍ଗୀତ ସଂଯୋଜନା କରିସାରିଛନ୍ତି । ୨୨ବର୍ଷ ଧରି ଓଡ଼ିଆ ଶ୍ରୋତାଙ୍କୁ ମେଲୋଡି ରସରେ ରସସିକ୍ତ କରିଥିବା  ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ଦାଦା ।

ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାଦେଲାନି ଫଳରେ ଗୁରୁବାର ସକାଳୁ ସକାଳୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଚିନ୍ତାର ବିଷୟ ହେଲା, ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଜୀବନ ସହ ସଂଗ୍ରାମ ଜାରି ରଖିଛନ୍ତି ଦାଦା । ଆସନ୍ତୁ ସଭିଏଁ ଅଭିଜିତଙ୍କ ଆଶୁ ଆରୋଗ୍ୟ ପାଇଁ କାମନା କରିବା, ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା, ଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରେ ଫେରିଆସନ୍ତୁ ମେଲୋଡି କିଙ୍ଗ୍...