କନକ ବ୍ୟୁରୋ: ସ୍ବାମୀ ମୋର ସିଆରପିଏଫ୍ ଯବାନ, ସାରା ଦେଶ ଆଉ ଜନ୍ମମାଟି ପାଇଁ ସେ ବୀରପୁଅ ହେଲେ ମୋ ପାଇଁ ଯନ୍ତ୍ରଣା ଦେଉଥିବା ଯମ, ଜୀବନ ସହ ଖେଳିଥିବା ଯବାନ , ଅଧାବାଟରେ ହାତ ଛାଡ଼ିଦେଇଥିବା ଜଣେ କାପୁରୁଷ । ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ନ୍ୟାୟ ଅପେକ୍ଷାରେ ବସିଲେ ଜଣେ ଯବାନଙ୍କ ସ୍ତ୍ରୀ, ଯିଏ କି ତାଙ୍କୁ ଦୁର୍ଘଟଣା ପରେ ପର କରିଦେଇଛନ୍ତି, ଆଉ ଏ ଖବର ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । 

Advertisment

ମୟୂରଭଞ୍ଜ ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଭୋଳାଗଡ଼ିଆ ଗାଁର ସୀତାମଣି ମାର୍ଣ୍ଡି । ୨୦୧୮ରେ ଖୁଣ୍ଟା ବ୍ଲକ୍ ବଡ଼ଡାଳିଆ ଗ୍ରାମର ଗୁମୁଦାଙ୍କୁ ହାଁସଦା ପ୍ରେମବିବାହ କରିଥିଲେ । ଗୁମୁଦା ହାଁସଦା ଜଣେ ସିଆରପିଏଫ ଯବାନ ହୋଇଥିବା ବେଳେ ଏବେ ସେ ବିହାର-୨୦୫ ବାଟାଲିୟନରେ କାର୍ଯ୍ୟରତ ରହିଛନ୍ତି । ବିବାହର କିଛିବର୍ଷ ହସଖୁସିରେ କଟିବା ପରେ ୨୦୨୪ରେ ସ୍ୱାମୀ-ସ୍ତ୍ରୀ ଦୁର୍ଘଟଣା ହୋଇଥିଲା । ଚିକିତ୍ସାର କିଛିଦିନ ପରେ ସ୍ବାମୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଚାକିରିରେ ଯୋଗଦେଇଥିବା ବେଳେ ସ୍ତ୍ରୀ ସୀତାମଣି ଦୀର୍ଘ ଦୁଇ ମାସ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ହେଲେ ଦୁଃଖର କଥା ସୀତାମଣି ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇବା ପରେ ତାଙ୍କ ହାତ ଛାଡ଼ିଦେଇଛନ୍ତି ଯବାନ ସ୍ବାମୀ । 

ଦୁଃଖର ବିଷୟ ସୀତାମଣିଙ୍କ ଦୁଇଟି ଯାକ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏବେ ସେ ଜଣେ ଦୃଷ୍ଟିବାଧିତ ମହିଳା । ନା ସେ ଦେଖିପାରୁଛନ୍ତି ନା ଭଲ ଭାବରେ ଶୁଣି ପାରୁଛନ୍ତି ନା ଶାନ୍ତିରେ ଗଣ୍ଡେ ଖାଇ ପାରୁଛନ୍ତି । ସ୍ପଷ୍ଟ ଭାବେ କଥା ମଧ୍ୟ ହୋଇପାରୁନାହାନ୍ତି । ଏବେ ଗରିବ ବାପ ଘରେ ରହି ତାଙ୍କ ଉପରେ ବୋଝ ସାଜିଥିବା ବେଳେ ଯବାନ ସ୍ୱାମୀ ତାଙ୍କୁ ଆଖି ଉଠାଇ ଦେଖୁନାହିଁ । ତେଣୁ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅସହାୟ ସୀତାମଣି ଏବଂ ତାଙ୍କ ପରିବାର ।

ସତରେ ଦୁନିଆରେ ଏମତି ଅନେକ ପ୍ରେମ ବିବାହ ସଫଳ ହୋଇଥିବା ଆପଣ ଦେଖିଥିବେ । ହେଲେ ଏ ପ୍ରେମ ବିବାହ କାହା ପାଇଁ ଅଭିଶାପ ପାଲଟିଯିବ ତାହା କେହି କେବେ କଳ୍ପନା କରିନଥିଲେ । ବାହାବେଦୀରେ ଯେତେବେଳେ ସାତ ଜନମର ସାଥୀ ପାଇଁ କଥା ଦେଇ ଭୁଲି ଗଲା ସ୍ବାମୀ ସେତେବେଳେ ସେ କହିବେ କାହାକୁ? ସୀତାମଣି ଲୁହକୁ ସିନା କଳା ଚଷମା ତଳେ ଚାପିଦେବେ, ହେଲେ ଦୁର୍ଘଟଣାରୁ ବଳିଯାଇଥିବା ଦୁଃଖକୁ କେମିତି ଚାପିବେ?