ମ୍ୟାଚ୍ ପୂର୍ବରୁ କାହିଁକି ‘କବରସ୍ତାନ’ ଯାଆନ୍ତି ମହମ୍ମଦ ସିରାଜ?

ସବୁଠାରୁ ବଡ଼ କଥା ହେଲା ମହମ୍ମଦ ସାମିଙ୍କ ଆହତ ସମସ୍ୟା ଏବଂ ଯଶପ୍ରୀତ୍ ବୁମ୍‌ରା ସମ୍ପୂର୍ଣ୍ଣ ଶୃଙ୍ଖଳା ଖେଳି ନ ପାରିବା ଖବର ସହ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ବୋଲିଂ ବାହିନୀ ଦନ୍ତହୀନ ଥିଲା ବୋଲି କୁହାଯାଉଥିଲା ।

Siraj-PKG-t

କନକ ବ୍ୟୁରୋ: ସିରାଜଙ୍କ ସଫଳତା ଏବେ ବିଶ୍ୱବ୍ୟାପୀ କ୍ରିକେଟ୍ ଦୁନିଆରେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ପରିବାରରେ ଖୁସି କହିଲେ ନସରେ । ଆଉ ଏଭଳି ଖୁସିର ସମୟରେ ସିରାଜଙ୍କ ସଂଘର୍ଷ ଓ ସଫଳତାର କିଛି କାହାଣୀ ବି ପୁଣି ଥରେ ଚର୍ଚ୍ଚାକୁ ଆସିଛି । ୨୦୨୧ରେ ସିରାଜ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ତାଙ୍କ ପିତା ମହମ୍ମଦ ଘାଉସ୍ ଆଖି ବୁଜିଦେଇଥିଲେ । ତାଙ୍କ ପିତା ଜଣେ ଅଟୋରିକ୍ସା ଚାଳକ ଥିଲେ । ସିରାଜଙ୍କ କ୍ରିକେଟ୍ ସ୍ବପ୍ନକୁ ସାକାର କରିବାରେ ବାପାଙ୍କ ବଡ଼ ଭୂମିକା ରହିଥିଲା । ସେଥିପାଇଁ କୌଣସି ପ୍ରତିଯୋଗିତା ହେଉ କି ବିଦେଶ ଗସ୍ତ ହେଉ ପ୍ରତିଥର ସିରାଜ ଯିବା ପୂର୍ବରୁ ଓ ଆସିବା ପରେ ସିଧାସଳଖ ତାଙ୍କ ବାପାଙ୍କ କବରସ୍ତାନ ନିକଟକୁ ଯାଆନ୍ତି । ଆଜି ଯାଏଁ ସିରାଜ କେବେ ହେଲେ ବି ବାପାଙ୍କ କବର ପାଖରେ ପ୍ରାର୍ଥନା କରିବାକୁ ଭୁଲନ୍ତି ନାହିଁ । ଏପରିକି ବିମାନବନ୍ଦରରୁ ସିଧାସଳଖ ସେ ସେ ପିତାଙ୍କ ‘କବର’ ନିକଟକୁ ଯାଇ କୃତଜ୍ଞତା ଜଣାଇଥାନ୍ତି ଓ ଆଶୀର୍ବାଦ ନିଅନ୍ତି ।

ଜୁନ୍ ମାସରେ ଇଂଲଣ୍ଡ ଗସ୍ତ ପୂର୍ବରୁ ବ୍ୟାଗ୍ ପ୍ୟାକ୍ କରିବା ପରେ ଏଥର ବି ସେଭଳି କରିଥିଲେ ସିରାଜ । ପ୍ରଥମେ ବାପାଙ୍କ କବର ନିକଟକୁ ଯାଇ ସେଠାରୁ ବିମାନବନ୍ଦରକୁ ଯିବା ପୂର୍ବରୁ ମା’କୁ କହିଥିଲେ, ‘‘ଅମ୍ମି ଏଥର ପ୍ରାର୍ଥନା କରିବୁ, ମୁଁ ଯେମିତି ଭଲ ଖେଳି ଭାରତକୁ ଜିତାଇକି ଆସେ ।’’ ବିଜୟ ପରେ ମା’ ଶବାନା କହିଛନ୍ତି, ‘ସିରାଜ ତା’ ଅବୁକୁ ବହୁତ ଭଲ ପାଏ । ସେ ମଧ୍ୟ ତାକୁ ଭଲ ପାଉଥିଲେ । ସିରାଜ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ, ମୋ ଆଶୀର୍ବାଦ ସବୁବେଳେ ତା’ ସହ ଅଛି’’। ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ପ୍ରତିଟି ମ୍ୟାଚ୍‌କୁ ଶବାନା ଦେଖୁଥିଲେ ଏବଂ ପୁଅ ପାଇଁ ଦୈନିକ ୫ ଥର ପ୍ରାର୍ଥନା କରୁଥିଲେ । ହଁ ମାଆର ପ୍ରାର୍ଥନାରେ ବହୁତ ଶକ୍ତିଥାଏ, ଆଶୀର୍ବାଦ ପାଇଁ ଦୈନିକ ଭିଡିଓ କଲ୍ କରେ ବୋଲି କହିଛନ୍ତି ସିରାଜଙ୍କ ସାନ ଭାଇ ମହମ୍ମଦ ଇସ୍‌ମାଇଲ୍ । ଅବୁ କହିଯାଇଥିଲେ ‘ବେଟା ବହୁତ ନାଁ କରିବୁ, ଦେଶ ପାଇଁ ଭଲ ଖେଳିବୁ ’। ଏହାକୁ ସିରାଜ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ।

ସବୁଠାରୁ ବଡ଼ କଥା ହେଲା ମହମ୍ମଦ ସାମିଙ୍କ ଆହତ ସମସ୍ୟା ଏବଂ ଯଶପ୍ରୀତ୍ ବୁମ୍‌ରା ସମ୍ପୂର୍ଣ୍ଣ ଶୃଙ୍ଖଳା ଖେଳି ନ ପାରିବା ଖବର ସହ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ବୋଲିଂ ବାହିନୀ ଦନ୍ତହୀନ ଥିଲା ବୋଲି କୁହାଯାଉଥିଲା । ମହମ୍ମଦ ସିରାଜ କିନ୍ତୁ ଭିତରେ ଭିତରେ ଏତେ ସଙ୍କଳ୍ପବଦ୍ଧ ଥିଲେ ଯେ ନିଜର ବୋଲିଂ ବଳରେ ଭାରତ ବିଜୟର କର୍ଣ୍ଣଧାର ସାଜିଗଲେ । ଏକମାତ୍ର ଭାରତୀୟ ପେସ୍ ବୋଲର ଭାବେ ସେ ଏହି କଠୋର ଶୃଙ୍ଖଳାର ସମସ୍ତ ୫ ମ୍ୟାଚ୍ ବି ଖେଳିଛନ୍ତି । ୧୮୫.୩ ଓଭର ବୋଲିଂ କରି ଉଭୟ ଦଳ ଭିତରେ ସର୍ବାଧିକ ୨୩ ୱିକେଟ୍ ନେଇଥିଲେ। ନିଜ ଅଭ୍ୟୁଦୟର ସାରଥି ନିଜେ ହୋଇଥିଲେ । ୩୧ ବର୍ଷୀୟ ସିରାଜଙ୍କ ସିଂହ ଚରିତ୍ର ବି ତାଙ୍କୁ ଅଖ୍ୟାତରୁ ବିଖ୍ୟାତ କରିଦେଇଛି ।

ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍ ବି ସିରାଜଙ୍କ ବୋଲିଂର ପ୍ରଶଂସା କରିଛନ୍ତି । ବିରାଟ କୋହଲି ବି ଅଭିନନ୍ଦନ ଜଣାଇ ପ୍ରଶଂସା କରିବାକୁ ଭୁଲି ନାହାନ୍ତି । ବୁମ୍‌ରାଙ୍କ ଭଳି ତାଙ୍କ ଉପରେ ବି ଚାପ ନଥିବା ମଧ୍ୟ ସେ ପୂରା ସିରିଜରେ ଉତ୍ତମ ବୋଲିଂ କରି ପ୍ରମାଣିତ କରିଥିବା ଅନେକଙ୍କୁ ପ୍ରଭାବିତ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe