କନକ ବ୍ୟୁରୋ: ରାଜ୍ୟରେ ଏବେ ‘ହାତ’ ମୁଠା ଟାଣ କରିବାକୁ ବଳ କଷୁଥିବାବେଳେ କାଣି ଆଙ୍ଗୁଠି ଭଳି ଲୁଚି ଯାଇଛନ୍ତି ଦଳର ଦୁଇ ହେଭିୱେଟ୍ ନେତା । ଯେବେଠାରୁ ଭକ୍ତ ଦାସ ରାଜ୍ୟ କଂଗ୍ରେସର ଭାର ସମ୍ଭାଳିଛନ୍ତି ସେବେଠାରୁ ହିଁ ନଜର ଆସୁନାହାନ୍ତି କଂଗ୍ରେସର ସବୁଠାରୁ ଅଭିଜ୍ଞ ତଥା ଓଡ଼ିଶା ରାଜନୀତିର ଚର୍ଚ୍ଚିତ ନେତା ନରସିଂହ ମିଶ୍ର ଓ ପୂର୍ବତନ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି । ଆଉ କଂଗ୍ରେସକୁ ନେଇ ରାଜନୀତି ସମୀକ୍ଷକମାନେ ନୂଆ ନୂଆ ଅଙ୍କ କଷିବାରେ ଲାଗିଲେଣି ।
ରାଜ୍ୟ ରାଜନୀତିରେ ଏବେ କଂଗ୍ରେସ କମିଙ୍ଗ୍ ବୋଲି ସୋସିଆଲ ମିଡିଆରେ ଭାରି ଚର୍ଚ୍ଚା ଚାଲିଛି । ହେଲେ ବରିଷ୍ଠ ତଥା ହେଭିୱେଟ୍ ନରସିଂହ ମିଶ୍ରଙ୍କୁ ଅଣଦେଖା କରାଯାଉଛି ବୋଲି ଦଳେ କହୁଥିବାବେଳେ ଆଉ ଦଳେ କହୁଛନ୍ତି ସେ କୁଆଡ଼େ କଂଗ୍ରେସ ସହ ଭଲ ସମ୍ପର୍କ ରଖିନାହାନ୍ତି । ଏପରିକି ତାଙ୍କ ପୁଅ ସମରେନ୍ଦ୍ର ମଧ୍ୟ ବାପାଙ୍କ ଭଳି ଦଳଠୁ ଦୂରେଇ ରହିଥିବା ଚର୍ଚ୍ଚା ହେଉଛି । ଖାଲି ଏତିକି ନୁହେଁ ବଲାଙ୍ଗୀର ରାଜନୀତିରେ ମିଶ୍ର ପରିବାରର କାଟତି କମୁଥିବା ରାଜନୈତିକ ପଣ୍ଡିତମାନେ କହୁଛନ୍ତି ।
ସେହିପରି ଭକ୍ତଙ୍କଠୁ ଦୂରତା ବଜାୟ ରଖୁଥିବା ନେଇ ମହମ୍ମଦ ମୋକିମଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ରାଜ୍ୟ କଂଗ୍ରେସକୁ ଆଗକୁ ନେବା ପାଇଁ ଝିଅ ସୋଫିଆ ସିନା ଭକ୍ତଙ୍କୁ ଭରସା ଦେଉଛନ୍ତି କିନ୍ତୁ ତାଙ୍କ ବାପା ମୋକିମ୍ ଭକ୍ତଙ୍କୁ ମୁହଁମୋଡ଼ି ଦେଇଥିବା କଂଗ୍ରେସର ଚାରି କାନ୍ଥରୁ ବାହାରି ଖଟିରେ ଚର୍ଚ୍ଚା ହେଉଛି । କାରଣ ଭକ୍ତ ଦାସଙ୍କ ପୂର୍ବରୁ ପିସିସି ସଭାପତି ରେସରେ ଯାହାଙ୍କ ନାଁ ସବୁଠୁ ଅଧିକ ଚର୍ଚ୍ଚା ହେଉଥିଲା ସେ ହେଉଛନ୍ତି ସୋଫିଆ ଫିର୍ଦ୍ଦୋସଙ୍କ ବାପା ମହମ୍ମଦ ମୋକିମ୍ । ହେଲେ ଯେବେଠାରୁ ଭକ୍ତ କଂଗ୍ରେସର କମାଣ ଧରିଛନ୍ତି ସେବେଠୁ ମୋକିମ୍ ଦଳଠୁ ଦୂରତା ବଜାୟ ରଖୁଥିବା ଦେଖିବାକୁ ମିଳୁଛି । ଏତେ ବଡ଼ ବଡ଼ ରାଲି, ଧାରଣାରେ ମୋକିମ୍ କେବଳ ଗୋଟେ ଦୁଇଟି ଟ୍ବିଟ୍ କରି ସାଇଡ୍ ହୋଇଯାଇଥିବା ଚର୍ଚ୍ଚା ହେଉଛି ।
ବିଜେଡିଠୁ ଏବେ ରାଜ୍ୟ ରାଜନୀତିରେ ଅଧିକ ଆକ୍ରମଣାତ୍ମକ ହେଉଛି କଂଗ୍ରେସ । ଏପରି ସମୟରେ ନରସିଂହ-ମୋକିମଙ୍କ ଭଳି ବରିଷ୍ଠମାନଙ୍କ ଅନୁପସ୍ଥିତି ଦଳ ଉପରେ କେତେ ପ୍ରଭାବ ପକାଇବ, ତାହା ଦେଖିବା କଥା ।