କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଛି ସାମୁଦ୍ରିକ ଝଡ଼ । ଏବଂ ଏହାର ନାମ ରଖାଯାଇଛି ‘ଶକ୍ତି’ । ଆପଣ ଜାଣିଛନ୍ତି କି ଏଭଳି ନାମକରଣ କାହିଁକି କରାଯାଏ ଏବଂ କିଏ କରେ ? ବାତ୍ୟାର ନାଁ ଜାଣିବା ପରେ ପାଣିପାଗ ବିଭାଗ, ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ । ଅର୍ଥାତ ଯେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ଥାଏ । ଠିକ ଆରବସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡର ନାମ ଶ୍ରୀଲଙ୍କାରୁ ଆସିଛି । ‘ଶକ୍ତି’ ଶବ୍ଦଟି ସଂସ୍କୃତରୁ ଆସିଛି ଏବଂ ହିନ୍ଦୁ ଧର୍ମ ଅନୁସାରେ ଶ୍ରୀଲଙ୍କାରେ ମଧ୍ୟ ଏହାର ଅର୍ଥ ହେଉଛି ଦିବ୍ୟ ନାରୀ ଶକ୍ତି, ଉର୍ଜା, ବଳଶାଳୀ । ଅର୍ଥାତ ସାମୁଦ୍ରିକ ଝଡ଼ ଶକ୍ତି ମଧ୍ୟ ଅଧିକ ଶକ୍ତିଶାଳୀ ହୋଇପାରେ । ସମୁଦ୍ର ଭିତରେ ବଳ ଗୋଟାଇ ଉପକୂଳ ଆଡକୁ ଅଗ୍ରସର ହୋଇ ପ୍ରଳୟ ଆଣିପାରେ ।
ବଡ଼କଥା ହେଲା ବାତ୍ୟାର ଏଭଳି ନାମକରଣ କେବେ ଠାରୁ ଆରମ୍ଭ କରାଗଲା ? ଏକ ରିପୋର୍ଟ ମୁତାବକ, ୧୯୫୩ ମସିହାରେ ଆଣ୍ଟଲାଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା । ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ । ତାହାର ମଧ୍ୟ ଅନେକ କାରଣ ରହିଛି । କିନ୍ତୁ ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଲଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମାନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।
ବଡ଼ କଥା ହେଉଛି କୌଣସି ସାମୁଦ୍ରିକ ଝଡ଼ର ନାମକରଣ କମିଟି ବା ସଂଗଠନ କରେନାହିଁ । ବରଂ ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ । ଯେମିତିକି ପ୍ରଥମେ ବାଲାଂଦେଶ, ଭାରତ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ପୂର୍ବ ବର୍ଷ ବାତ୍ୟା ଦାନା ନାଁ ଯେମିତି କାତାର ଦେଇଥିଲା । ଚଳିତ ଥର ବାତ୍ୟା ‘ଶକ୍ତି’ର ନାଁ ଶ୍ରୀଲଙ୍କା ଦେଇଛି ।
ଏପଟେ ପାଣିପାଗ ବିଭାଗ ବାତ୍ୟା ‘ଶକ୍ତି’ ନେଇ ସତର୍କ ସୂଚନା ଜାରି କରିଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରର କିଛି ଜିଲ୍ଲାରେ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ମୁମ୍ବାଇ, ରାୟଗଡ଼, ରତ୍ନଗିରି, ପାଲଘର ଏବଂ ସିନ୍ଧୁଦୁର୍ଗ ଭଳି ଉପକୂଳ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ବାରଣ କରାଯାଇଛି ।
ଆଇଏମଡି ଅନୁଯାୟୀ, ପବନର ବେଗ ଆହୁରି ବଢ଼ିପାରେ । ଏହା ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପୂର୍ବ ବିଦର୍ଭ ଏବଂ ମରଠୱାଡା ଅଞ୍ଚଳ ସମେତ ମହାରାଷ୍ଟ୍ରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ।