କନକ ବ୍ୟୁରୋ: ବ୍ୟବସ୍ଥା, ଶାସନ, ଆଇନ-କାନୁନ ଓ ସମାଜ ମିଳିମିଶି ସତେ ଯେମିତି ଆଖିରେ ଅନ୍ଧପୁଟୁଳି ବାନ୍ଧି ଶୋଇପଡ଼ିଛନ୍ତି । ଆଉ ସମୟ ଆସିଛି ଏଠି ନ୍ୟାୟ ପାଇଁ ଶବକୁ ଶ୍ମଶାନରୁ ଉଠିବାକୁ ପଡ଼ିବ, ସତ ଖବର ଜାଣିବାକୁ ହେଲେ କବରକୁ ବି ଖୋଳିବାକୁ ପଡ଼ିବ । ବଳଙ୍ଗା ପୀଡ଼ିତାଙ୍କ ପୋଡ଼ି ଘଟଣା ଏବେ ସରକାର ଓ ପୁଲିସ ପ୍ରଶାସନର ପାରିବାପଣିଆକୁ ପୋଡ଼ି ପାଉଁଶ କରିଦେଲାଣି । ଏ ବିଚିତ୍ର ବ୍ୟବସ୍ଥା ପାଇଁ ଆଜି କବର ତଳେ କଇଁ କଇଁ ହୋଇ କାନ୍ଦୁଛି ବଳଙ୍ଗା ପୀଡ଼ିତାର ମୃତଦେହ ।

Advertisment

କିଏ କହୁଛି ବଳଙ୍ଗା ଘଟଣା ଏକ ଦୁର୍ଘଟଣା ତ କିଏ କହୁଛି ସେ ନିଜକୁ ନିଜେ ଜାଳି କରୁଥିଲା ପୋଡ଼ି ହେବାର ବାହାନା । ତା’ଠୁ ଆଶ୍ଚର୍ଯ୍ୟ କରିଛି ଜଳିଯାଇ ଜୀବନ ହାରିଥିବା ଝିଅର ବାପାଙ୍କ କଥା । ମାନସିକ ଅବସାଦ ଯୋଗୁଁ ଝିଅ ଆତ୍ମଦାହ କରିଛି କହିବା ପରେ ବାପାଙ୍କ ବୟାନ ବି ଉଠାଇଛି ମାଳ ମାଳ ପ୍ରଶ୍ନର ପାହାଡ଼ । ଆଜକୁ ୧୫ ଦିନ ତଳେ ବାୟାବର ବାଟରେ ଜଳିଥିବା ସେ କୁନି କଢ଼ି କବର ନେଇଗଲା ସତ, ହେଲେ ତା’ ଦେହରେ ଥିବା ସେ ପୁଳା ପୁଳା ପୋଡ଼ା ଦାଗ ସମସ୍ତଙ୍କୁ ପ୍ରଶ୍ନ କରୁଛି ।

ପରିବାର ଚୁପ, ପଡୋଶୀଙ୍କ ମନରେ ଡର, ଆଉ ଆମ ଦୁର୍ବଳ ସିଷ୍ଟମ କହେ-:ଚାଲିଛି ତଦନ୍ତ । କିନ୍ତୁ ଏ ତଦନ୍ତର ଦିଗ କେଉଁବାଟେ ଯିବ? କାହା ପାଖକୁ ଯିବ? ସେ କଥା କାହାକୁ ବି ଜଣାନାହିଁ । ଆଜି ସେ ସ୍ବପ୍ନ ଦେଖିଥିବା ସୁକ୍ଷ୍ମ ଫୁଲଟିଏ ନାହିଁ, କିନ୍ତୁ ତା'ର କବର ତଳୁ ଚିତ୍କାର ଶୁଭୁଛି । ସେ ପଚାରୁଛି ସତରେ ମୁଁ ପୋଡ଼ି ହୋଇ ମରିଗଲି ବୋଲି ମୋ ପାଇଁ କ’ଣ ନ୍ୟାୟ ନାହିଁ?

ସତରେ ଏ ଘଟଣା କେବଳ ଗୋଟିଏ ବଳଙ୍ଗା ପୀଡ଼ିତାଙ୍କ ଜୀବନ ନେଇନି ବରଂ ଏହା ଆମ ଆଇନ ବ୍ୟବସ୍ଥ ଓ ଶିକ୍ଷିତ ସମାଜର ସାହୁକାରଙ୍କୁ ଶହ ଶହ ପ୍ରଶ୍ନର ପଡ଼ିଆରେ ଛିଡ଼ା କରିଦେଇଛି । ପ୍ରଥମେ ବାଲେଶ୍ବର ଏବେ ବଳଙ୍ଗା ଭଳି ସମ୍ବେଦନଶୀଳ ଘଟଣାରେ ଯଦି ଆମେ ଆଉ ମୌନ ରହିବା, ତେବେ ଏମିତି ଅନେକ କଅଁଳ କଢ଼ି ନିଆଁ ଆଁରେ ଜଳିଯିବେ । ଆଉ ମଣିଷପଣିଆ ବି ମରିଯିବ ଆତ୍ମାରେ, ଦେହରେ, ସ୍ବପ୍ନରେ ।

ରାଜନୀତି କରିବାକୁ ଅନେକ ପ୍ରସଙ୍ଗ ଥାଏ । ବିରୋଧୀ ଶାସକ ଦଳକୁ ଶାଣିତ ଢଙ୍ଗରେ ପ୍ରଶ୍ନବାଣ ମାରନ୍ତି । ହେଲେ ଏବେ ନାରୀଟିଏ ନ୍ୟାୟ ପାଇଁ ନିଆଁର ସାହାରା ନେଉଛି, ଅଗ୍ନି ପରୀକ୍ଷା ଦେଉଛି । ସତ କ’ଣ ଜଣାପଡ଼ୁନାହିଁ, ତଦନ୍ତକାରୀ ସଂସ୍ଥାକୁ ସୁରାକ ମିଳୁନାହିଁ । ବିରୋଧୀ ସରକାରଙ୍କୁ ବ୍ୟାକଫୁଟକୁ ନେବା ପାଇଁ ପୂରାପୁରି ବଳ କଷୁଛନ୍ତି । ହଁ ନ୍ୟାୟର ଦେବୀଙ୍କ ଆଖି ସିନା ଖୋଲିଦିଆଯାଇଛି କିନ୍ତୁ ଆଇନ ଆଖିରେ ଏବେ ବନ୍ଧା ହୋଇଛି ଅଦୃଶ୍ୟ କଳାପଟି । ସମୟ ଆସିଛି ସ୍ବର ଉଠାଇବାର କିନ୍ତୁ ଆମ ସ୍ବର ଯଦି ସରକାରଙ୍କ ପାଖରେ ନପହଞ୍ଚିବ ତେବେ ଏମିତି ଉଠୁଥିବ ଶବ, ଜଳୁଥିବ ଜୁଇ ଆଉ କବର ପରେ ବି ହେଉଥିବ ଖବର ।