Kanwar Yatra : ଶ୍ରାବଣ ମାସରେ KFC ବିକିବନି ଚିକେନ୍‌ ?

ପବିତ୍ର ଶ୍ରାବଣ ମାସ ଏବଂ କାଉଡ଼ିଆ ଯାତ୍ରା ସମୟରେ ଆମିଷ ଖାଦ୍ୟ ବିକ୍ରି ବନ୍ଦ କରାଯାଉ । ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତ ପାଣି ନେଇ ଯାଉଛନ୍ତି । ତେଣୁ ଏହି ସମୟରେ ଆମିଷ ଖାଦ୍ୟ ଓ ଆମିଷ ଖାଦ୍ୟର ଗନ୍ଧ ସେମାନଙ୍କୁ କଷ୍ଟ ଦେଉଛି

KFC

KFC Photograph: (Kanak News)

କନକ ବ୍ୟୁରୋ: କେଏଫ୍‌ସି…ପ୍ରତିଦିନ କୋଟି କୋଟି ଲୋକ ଏହିଠାରୁ ଅର୍ଡର କରି ନିଜ ମନପସନ୍ଦର ଖାଦ୍ୟ ଖାଇଥାଆନ୍ତି । ଖାସ୍ କରି ଚିକେନ୍‌ ଉପରେ ବିଭିନ୍ନ ପ୍ରକାର ଡିସ୍‌ ଏହିଠାରୁ ଅନଲାଇନ୍‌ରେ ଅର୍ଡର କରନ୍ତି । ଟେଷ୍ଟ ଯେମିତି…ଟଙ୍କା ବି ସେମିତି । କିନ୍ତୁ କେଏଫ୍‌ସିର ଚିକେନ୍‌କୁ ନେଇ ଯୁବପିଢିଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚା ଚାଲେ । ହେଲେ ଏବେ କେଏଫ୍‌ସି ଆଉ ଚିକେନ୍‌ ବିକ୍ରି କରିପାରିବ ନାହିଁ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ କାହିଁକି ଚିକେନ୍‌ ବିକିବ ନାହିଁ ସେନେଇ ବି ସ୍ପଷ୍ଟ କରାଯାଇଛି ।

ପୂରା ଦେଶରେ ଏବେ ଚାଲିଛି ଶ୍ରାବଣ ମାସ । ପ୍ରତି ସୋମବାର ଦେଶର ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଲାଗୁଛି । ମାସକ ସାରା ଭକ୍ତମାନେ ବୋଲବମ୍‌ ଯାଉଛନ୍ତି । ଖାସ୍‌ ଏଇଥି ପାଇଁ  ଶ୍ରାବଣ ଯାତ୍ରା ସମୟରେ ଆମିଷ ଖାଦ୍ୟ ପରିବେଷଣକୁ ବିରୋଧ କରି ହିନ୍ଦୁ ରକ୍ଷା ଦଳ ପକ୍ଷରୁ ଉତ୍ତରପ୍ରଦେଶର ଗାଜିଆବାଦରେ ଏକ KFC ଆଉଟଲେଟ୍ ସମ୍ମୁଖରେ ଜୋରଦାର ପ୍ରତିବାଦ କରାଯାଇଛି । ଯଦି ବ୍ୟବସାୟ କରିବାକୁ ଚାହୁଛ, ତେବେ କେବଳ ଶାକାହାରୀ ଅର୍ଥାତ୍‌ ନିରାମିଷ ଖାଦ୍ୟ ବିକ୍ରି କର ବୋଲି ସଂଗଠନ ଦାବି କରିଛି । ଏହି ସମୟରେ ପ୍ରତିବାଦକାରୀମାନେ "ଜୟ ଶ୍ରୀରାମ" ଏବଂ "ହରହର ମହାଦେବ" ଭଳି ସ୍ଲୋଗାନ ଦେଇ ଆଉଟଲେଟର ସଟର୍ ବନ୍ଦ କରିଦେଇଥିଲେ।

ସୂଚନା ଅନୁସାରେ,ହିନ୍ଦୁ ରକ୍ଷା ଦଳର ଶତାଧିକ କର୍ମୀ ଗାଜିଆବାଦର ଇନ୍ଦିରାପୁରମ୍ ଅଞ୍ଚଳରେ ଥିବା KFC ରେସ୍ତୋରାଁରେ ପହଞ୍ଚିଥିଲେ । ପରେ ପରେ ସେମାନେ ଦାବି କରିଥିଲେ , ପବିତ୍ର ଶ୍ରାବଣ ମାସ ଏବଂ କାଉଡ଼ିଆ ଯାତ୍ରା ସମୟରେ ଆମିଷ ଖାଦ୍ୟ ବିକ୍ରି ବନ୍ଦ କରାଯାଉ । ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତ ପାଣି ନେଇ ଯାଉଛନ୍ତି । ତେଣୁ ଏହି ସମୟରେ ଆମିଷ ଖାଦ୍ୟ ଓ ଆମିଷ ଖାଦ୍ୟର ଗନ୍ଧ ସେମାନଙ୍କୁ କଷ୍ଟ ଦେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଆନ୍ଦୋଳନକାରୀମାନେ କେବଳ ଆଉଟଲେଟ୍ ବନ୍ଦ କରିନାହାନ୍ତି ବରଂ କର୍ମଚାରୀମାନଙ୍କୁ କେବଳ ଶାକାହାରୀ ଖାଦ୍ୟ ପରିବେଷଣ କରିବାକୁ ଅନୁରୋଧ ବି କରିଛନ୍ତି । 

ହିନ୍ଦୁ ରକ୍ଷା ଦଳର ମୁଖ୍ୟ ପିଙ୍କି ଚୌଧୁରୀ କହିଛନ୍ତି, ଆମର ବାର୍ତ୍ତା ସ୍ପଷ୍ଟ  ରହିଛି । ଆମେ ସମସ୍ତ ଆମିଷ ଖାଦ୍ୟ ବିକ୍ରୟ କରୁଥିବା ଦୋକାନକୁ କାଉଡିଆ ଯାତ୍ରା ସମୟରେ ଆମିଷ ବେପାର ବନ୍ଦ ରଖିବାକୁ ଅନୁରୋଧ କରୁଛୁ । ଯଦି ସେମାନେ ଖୋଲା ରଖିବାକୁ ଚାହାନ୍ତି, ତେବେ କେବଳ ଶାକାହାରୀ ଖାଦ୍ୟ ବିକ୍ରି କରନ୍ତୁ। ସଂଗଠନ ପକ୍ଷରୁ ଏନେଇ ସ୍ଥାନୀୟ ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ କାଉଡ଼ିଆ ଯାତ୍ରା ହେଉଥିବା ରାସ୍ତାର ୧୦୦ରୁ ୨୦୦ ମିଟର ପରିଧି ମଧ୍ୟରେ ଥିବା ସମସ୍ତ ଆମିଷ ରେସ୍ତୋରାଁକୁ ବନ୍ଦ କରିବାକୁ ଦାବି କରାଯାଇଛି।

ସେପଟେ, ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଟ୍ରାନ୍ସ-ହିଣ୍ଡନର ଡିସିପି ନିମିଶ ପାଟିଲ କହିଛନ୍ତି, ଯେଉଁମାନେ ଜିଲ୍ଲାରେ ଅଶାନ୍ତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ ଶ୍ରାବଣ ସୋମବାର ଯାତ୍ରା ସମୟରେ ଆମିଷ ବିକ୍ରି ହେବ କି ନାହିଁ ସେନେଇ କିନ୍ତୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe