କନକ ବ୍ୟୁରୋ: ବିଜେଡି କ୍ଷମତାରୁ ଯିବା ପରେ ଦଳ ଯେମିତି ଦୁର୍ବଳ ହେବାରେ ଲାଗିଛି । କେବେ ଦଳର ଭିତିରି କନ୍ଦଳ ପଦାରେ ପଡ଼ୁଛି ତ କେବେ ଶଙ୍ଖ ସହ ଦୀର୍ଘ ବର୍ଷ ଧରି ସମ୍ପର୍କ ରଖିଥିବା ନେତା ମୁହଁ ମୋଡ଼ି ଚାଲି ଯାଉଛନ୍ତି । ଏପରିକି ନବୀନଙ୍କ ଗୁଡ୍ ବୁକରେ ଥିବା ନେତାମାନେ ଏବେ ନବୀନଙ୍କ ପାଇଁ ହୋଇଯାଉଛନ୍ତି ବ୍ୟାଡ୍ ନେତା । ଯାହାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନୂଆ ନୂଆ ଚର୍ଚ୍ଚା ଓ ଆଲୋଚନା ।
ନବୀନ ସରକାର ସମୟରେ ଏକଦା ଗୋଟିଏ ବିଭାଗର ମନ୍ତ୍ରୀ ଭାବେ ୧୦ ବର୍ଷ ଦାୟିତ୍ବ ତୁଲାଇଥିଲେ ଢେଙ୍କାନାଳର ଟାଣୁଆ ନେତା ପ୍ରଫୁଲ୍ଲ ମଲ୍ଲିକ । ସେତେବେଳେ ଅନ୍ୟ ସବୁ ବିଭାଗରେ ମନ୍ତ୍ରୀ ବଦଳିଥିବାର ରାଜ୍ୟବାସୀ ଦେଖିଛନ୍ତି ହେଲେ ପ୍ରଫୁଲ୍ଲଙ୍କ ଉପରେ ରହିଥିଲା ନବୀନଙ୍କ ହାତ । କାମାକ୍ଷାନଗରରୁ ଚାରି ଚାରି ଥର ନର୍ବାଚିତ ହୋଇ ନବୀନଙ୍କ ବିଶ୍ବାସଭାଜନ ହୋଇପାରିଥିଲେ ପ୍ରଫୁଲ୍ଲ । ରାଜ୍ୟର ଖଣି ଓ ଇସ୍ପାତ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଭାରକୁ ନବୀନ ତାଙ୍କ କାନ୍ଧରେ ଦୁଇ ଦୁଇ ଥର ଦେଇଥିଲେ । ହେଲେ ସେହି ବିଶ୍ବାସୀ ନେତା ଆଜି ନବୀନଙ୍କ ପାଇଁ ହୋଇଗଲେ ବେଇମାନ୍ ଆଉ ଦଳ ବିରୋଧୀ ନେତା । ଯେଉଁଥି ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିବାକୁ ବି ପଛାଇଲେନି ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହା ନବୀନଙ୍କ ନେତୃତ୍ବକୁ ନେଇ ଛିଡ଼ା କରିଛି ହଜାରେ ପ୍ରଶ୍ନ ।
ପୂର୍ବରୁ ଦକ୍ଷିଣ ଓଡ଼ିଶାର ଦୁଇ ହେଭିୱେଟ୍ ନେତା ଏନ୍.ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡିକୁ ବାଏ ବାଏ କରିଥିଲେ । ବିଜେଡିର ଆଭିମୁଖ୍ୟ, ନୀତି ଆଦର୍ଶକୁ ନେଇ ପ୍ରଶ୍ନବାଣରେ ଘାଇଲା କରିଥିଲେ ଉଭୟ ନେତା । ଯାହା କି ଦଳର କନ୍ଦଳକୁ ଖୋଲା ଖୋଲି ପଦାରେ ପକାଇଥିଲା । ଦଳ ଭିତରେ ବରିଷ୍ଠଙ୍କ ଅସନ୍ତୋଷ ଏବେ ତେଜିବାରେ ଲାଗିଛି, କିଏ ଜିଲ୍ଲା ସଭାପତି ଚୟନ ନେଇ ପ୍ରଶ୍ନ ଉଠାଉଛି ତ କିଏ ବିଜୁଙ୍କ ଆଦର୍ଶର ଦ୍ବାହି ଦେଇ ଦଳରୁ ଦୂରେଇ ଯାଉଛନ୍ତି ।
ଏଠି ପ୍ରଶ୍ନ ଉଠୁଛି, ପ୍ରଫୁଲ୍ଲଙ୍କ ଭଳି ଅନେକ ବରିଷ୍ଠ ନେତା ଦଳର ପରିଚାଳନା ନେଇ ବୁଲେଇ ବଙ୍କେଇ ତୀର ମାରୁଛନ୍ତି । ହେଲେ ପ୍ରଫୁଲ୍ଲଙ୍କୁ ନିଲମ୍ବନ କରିଥିବା ନବୀନ ଅନ୍ୟ ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ତ? ନୀତି ନୈତିକତାର ଆଦର୍ଶରେ ୨୪ ବର୍ଷ ଶାସନ କରିଥିବା ବିଜେଡି, ଏବେ ନିଜ ଘରକୁ ସୁଶାସନର ଡୋରୀରେ ବାନ୍ଧି ରଖି ପାରିବ ତ?