କନକ ବ୍ୟୁରୋ: ପୁଣି ଭାରତକୁ ଟାରିଫ୍ ନେଇ ଚେତାବନୀ ଦେଇଛି ଆମେରିକା । ଯଦି ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଆଲୋଚନା ବିଫଳ ହୁଏ ତେବେ ଭାରତ ଉପରେ ଆହୁରି କଡ଼ା କଟକଣା ଲଗାଇବା ସହ ଅତିରିକ୍ତ ଦ୍ବିତୀୟ ଶୁଳ୍କ ଦେବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି । ଆମେରିକାର ଅର୍ଥ ସଚିବ ସ୍କଟ୍ ବେସେଣ୍ଟ ଭାରତକୁ ନାଲିଆଖି ଦେଖାଇ କହିଛନ୍ତି, ଯଦି ଶୁକ୍ରବାର ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ମଧ୍ୟରେ ଆଲୋଚନା ସକାରାତ୍ମକ ନହୁଏ ତେବେ ଆମେରିକା ଆହୁରି ଦ୍ୱିତୀୟ ଥର ପାଇଁ ଅତିରିକ୍ତ ଶୁଳ୍କ କଟକଣା ଲାଗୁ କରିପାରେ ।
"ଆମେ ରୁଷୀୟ ତେଲ କିଣିବା ପାଇଁ ଭାରତ ଉପରେ ଦ୍ୱିତୀୟ ଶୁଳ୍କ ଲଗାଇଛୁ । ଏବଂ ଯଦି ଭାରତ ଆମେରିକା ବିରୁଦ୍ଧରେ ଯାଏ ତେବେ ପ୍ରତିବନ୍ଧକ କିମ୍ବା ଦ୍ୱିତୀୟ ଶୁଳ୍କ ବୃଦ୍ଧି କରିବାକୁ ପଛକୁ ହଟିବନି ଆମେରିକା । ବ୍ଲୁମବର୍ଗ ଟିଭିକୁ ଏକ ସାକ୍ଷାତକାରରେ ଏଭଳି କିଛି କହିଛନ୍ତି ବେସେଣ୍ଟ । ପୂର୍ବରୁ ଭାରତୀୟ ଆମଦାନୀ ଉପରେ ୨୫ ପ୍ରତିଶତ ଜରିମାନା ଲଗାଇଛନ୍ତି ଏବଂ ରୁଷରୁ ତେଲ ଏବଂ ଅସ୍ତ୍ରଶସ୍ତ୍ର କ୍ରୟ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇଛି ଆମେରିକା । ମୋଟ ଶୁଳ୍କ ବର୍ତ୍ତମାନ ୫୦ ପ୍ରତିଶତରେ ପହଞ୍ଚିବା ସହିତ, ଏହି ନିଷ୍ପତ୍ତିକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି, ସରକାର ଶୁଳ୍କକୁ ଅନୁଚିତ ଏବଂ ଅଯୁକ୍ତିକର ବୋଲି କହିଛନ୍ତି ।
ଖାଲି ଏତିକି ନୁହେଁ ବେସେଣ୍ଟ ଭାରତକୁ ବାଣିଜ୍ୟ ଆଲୋଚନାରେ "ଟିକେ ଅବିଶ୍ୱାସୀ" ବୋଲି ବର୍ଣ୍ଣନା କରିଛନ୍ତି । ଭାରତୀୟ ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ ହେବାର ମାତ୍ର ଦୁଇ ଦିନ ପୂର୍ବରୁ, ୨୫ ଅଗଷ୍ଟରେ ଆମେରିକୀୟ ଆଲୋଚନାକାରୀମାନେ ଭାରତ ଆସିବାକୁ ଆଶା କରାଯାଉଥିଲା ତଥାପି, ବିଶେଷଜ୍ଞମାନେ ମତ ରଖିଛନ୍ତି ଯେ ଭାରତର କୃଷି ଏବଂ ଦୁଗ୍ଧ ବଜାରକୁ ସୁରକ୍ଷିତ ରଖିବା ପାଇଁ ଆଲୋଚନାରେ ଏକ ପ୍ରମୁଖ ବିବାଦୀୟ ପ୍ରସଙ୍ଗ ରହିବ ।
ୟୁକ୍ରେନରେ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପ ଏବଂ ତାଙ୍କ ରୁଷୀୟ ପ୍ରତିପକ୍ଷ ପୁଟିନଙ୍କ ସହ ଶୁକ୍ରବାର ଆଲାସ୍କାର ସାକ୍ଷାତ କରିବାକୁ ଯାଉଛନ୍ତି । ଯୁଦ୍ଧରତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଯଦି ମସ୍କୋ ଏହି ଶାନ୍ତି ଚୁକ୍ତି ପାଇଁ ରାଜି ନ ହୁଏ, ତେବେ ଭାରତକୁ "ଗମ୍ଭୀର ପରିଣାମ" ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଆଲୋଚନାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ତିନି ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ଏକ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିବା । ସେପଟେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ସିଧା ସିଧା କହିଦେଇଛନ୍ତି ଯେ ଆଲୋଚନାରେ କିଭ୍ ସାମିଲ ନହେଲେ କୌଣସି ଶାନ୍ତି ଚୁକ୍ତି ହେବ ନାହିଁ ଏବଂ ରୁଷକୁ କୌଣସି ଅଞ୍ଚଳ ହସ୍ତାନ୍ତର କରିବ ନାହିଁ ।