ଅସୁରକ୍ଷିତ ଶିକ୍ଷାନୁଷ୍ଠାନ, ଲମ୍ବିଛି ଅଧ୍ୟାପକଙ୍କ ନାଁରେ ନିର୍ଯାତନାର ଲମ୍ବା ତାଲିକା...

ଏକାଡେମିକ ଚାପ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା, ଘରୋଇ ବିବାଦ, ପ୍ରେମ ବ୍ୟାପାରଜନିତ ସମସ୍ୟା, ପରୀକ୍ଷା ଏବଂ ପ୍ରେମ ସମ୍ପର୍କିତ ଚାପ ଭଳି ବିଭିନ୍ନ କାରଣ ରହିଛି । 

762

ODISHA

କନକ ବ୍ୟୁରୋ: ବାଲେଶ୍ବର ଘଟଣା ପରେ ଏବେ ସାମ୍ନାକୁ ଆସୁଛି ଅଧ୍ୟାପକଙ୍କ କେଳେଙ୍କାରୀର ଗୋଟିଏ ପରେ ଗୋଟିଏ ଖବର । କେବଳ ବାଲେଶ୍ବର ଫକୀର ମୋହନ କଲେଜ ନୁହେଁ ପୂର୍ବରୁ ରାଜଧାନୀରୁ ଆରମ୍ଭ କରି ବୁର୍ଲା ପର୍ଯ୍ୟନ୍ତ ଛାତ୍ରୀ ନିର୍ଯାତନା ନେଇ ଅଭିଯୋଗ ଆସିଛି । ବଡ଼କଥା ହେଉଛି ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୭୩ଟି ଆତ୍ମହତ୍ୟା ଜନିତ ଘଟଣା ଘଟିଲାଣି । ତଥାପି ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ନିଦରେ ଥିବା ବାରି ହୋଇପଡ଼ୁଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ ଯେ, ୨୦୨୦ରୁ ୨୦୨୫ ଫେବୃଆରୀ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ସରକାରୀ ଏବଂ ଘରୋଇ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମୋଟ ୭୨ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ମାମଲା ରିପୋର୍ଟ ହୋଇଛି । ଏହା ପଛରେ ମାନସିକ ଚାପ, ଅଭିଯୁକ୍ତଙ୍କ ଦ୍ବାରା ନିର୍ଯାତନା, ମାନସିକ ଅସନ୍ତୁଳନ, ବିଦ୍ୟାଳୟ ଛାତ୍ରାବାସରେ ଫୋନ୍ ବ୍ୟବହାର ମନା କରିବା, ଏକାଡେମିକ ଚାପ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା, ଘରୋଇ ବିବାଦ, ପ୍ରେମ ବ୍ୟାପାରଜନିତ ସମସ୍ୟା, ପରୀକ୍ଷା ଏବଂ ପ୍ରେମ ସମ୍ପର୍କିତ ଚାପ ଭଳି ବିଭିନ୍ନ କାରଣ ରହିଛି । 

କିଏ ଛାତ୍ରୀଙ୍କୁ ପ୍ରେମ ନିବେଦନ କରୁଛି ତ ଆଉ କିଏ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଛି । ଏଭଳି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିବାରେ ଲାଗିଛି । ପ୍ରଫେସର ଓ ଅଧ୍ୟାପକଙ୍କ ବିରୋଧରେ କିଛି ଛାତ୍ରୀ ସାମ୍ନାକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କରୁଥିବାବେଳେ ଆଉକିଛି ଘଟଣାକୁ ଚପାଇଦିଆଯାଉଛି । ଏଇ ଯେମିତି ବୁର୍ଲାସ୍ଥିତ ଭିସୁଟ୍‌ର ଜଣେ ଆସୋସିଏଟ୍‌ ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ଜଣେ ପିଏଚ୍‌ଡି ଛାତ୍ରୀ ଏହି ଅଭିଯୋଗ ଆଣିଥିଲେ । ଏହାପୂର୍ବରୁ ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା । ଜଣେ ବରିଷ୍ଠ ଅଧ୍ୟାପକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଲଗାଇଥିଲେ ପୀଡ଼ିତା । ଏପରିକି ସମ୍ପୃକ୍ତ ଅଧ୍ୟାପକଙ୍କୁ ବିଭାଗୀୟ ମୁଖ୍ୟ ପଦରୁ ବାହାର କରିବା ସହ ତାଙ୍କୁ ଦୀର୍ଘ ଛୁଟିରେ ପଠାଯାଇଥିଲା ।

ଖାଲି ଏତିକି ନୁହେଁ ଶିକ୍ଷାନୁଷ୍ଠାନର ଏନ୍ତୁଡ଼ିଶାଲ କୁହାଯାଉଥିବା ଉତ୍କଳ ବିଶ୍ବବିଦ୍ୟାଳୟରୁ ବି ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା । ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ସମ୍ପୃକ୍ତ ସହକାରୀ ପ୍ରଫେସରଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା । ଏହା ବ୍ୟତୀତ ବରଗଡ଼ ପଦମପୁର ଅଞ୍ଚଳ ମହାବିଦ୍ୟାଳୟର ଜଣେ ପ୍ରାଧ୍ୟାପକ ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ କରି ବିବାଦୀୟ ହୋଇଥିଲେ । ନିଜ ବିଭାଗର ଛାତ୍ରୀଙ୍କ ସହ ସମ୍ପୃକ୍ତ ପ୍ରାଧ୍ୟାପକଙ୍କ ଚାଟିଂର ସ୍କ୍ରିନସଟ୍‌ ପ୍ରଘଟ ହୋଇଥିଲା । ଏକାଧିକ ଛାତ୍ରୀଙ୍କ ସହ ସେ ଏଭଳି ଚାଟିଂ କରିଥିବା ଅଭିଯୋଗ ହୋଇଥିଲା । ଏହା ବିରୋଧ‌ରେର ଛାତ୍ରୀମାନେ ଲିଖିତ ଅଭିଯୋଗ କରିଥିଲେ ।

ଛାତ୍ରୀଙ୍କୁ ନିର୍ଯାତନାର ତାଲିକା ଏମିତି ଆହୁରି ଲମ୍ବା । ଓୟୁଏଟି ଅଧୀନ ବେସିକ୍ ସାଇନ୍ସ କଲେଜର ଛାତ୍ରୀଙ୍କୁ ରାତିଅଧିଆ ମେସେଜ୍ ଦେଇ ଜଣେ ପ୍ରଫେସର ଅଡ଼ୁଆରେ ପଡ଼ିଥିଲେ । ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀଙ୍କୁ ସମ୍ପୃକ୍ତ ସହକାରୀ ପ୍ରଫେସର କିଛି ଖରାପ ମେ‌ସେଜ୍ ପଠାଇଥିଲେ । ଏହାର ତଦନ୍ତ ପରେ ଅଭିଯୋଗରେ ସତ୍ୟତା ଥିବା ଜଣାପଡ଼ିଥିଲା । ନହରକଣ୍ଟାସ୍ଥିତ ଜୟଦେବ କଲେଜର ଜଣେ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । କଲେଜର ଯୁକ୍ତ ୩ ବିଜ୍ଞାନ ଛାତ୍ରୀ ମାସ ମାସ ଧରି ଅଧ୍ୟାପକଙ୍କ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଥିଲେ । କର୍ତ୍ତୃପକ୍ଷ ଘଟଣା ଚାପିବାକୁ ଉଦ୍ୟମ କରିବା ପରେ ଛାତ୍ରୀ ଜଣକ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ ।

ଅନ୍ୟପଟେ ୨୦୨୪ ସେପ୍ଟେମ୍ବର ୨୩ ତାରିଖରେ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ କରିବାକୁ ନିର୍ଦେଶ ଦେଇଥିଲା ଉଚ୍ଚଶିକ୍ଷା ବିଭାଗ । କ୍ୟାମ୍ପସରେ ଛାତ୍ରୀ, ମହିଳା ଯେଭଳି ମହିଳା ଯୌନଶୋଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଏହି କମିଟି ଗଠନ କରାଯିବ । ଏହି ନିର୍ଦ୍ଦେଶନାମାକୁ ବର୍ଷେ ପୂରିନଥିବାବେଳେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଇସିସି କୋମାରେ । ୟୁଜିସି ମାର୍ଗଦର୍ଶିକା ଅନୁସାରେ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳା ସହାୟତା ସେଲ୍ ଗଠନ କରିବା ନିୟମ ଅଛି । ଯୌନ ନିର୍ଯାତନା ଅଭିଯୋଗ ବାବଦରେ ବାର୍ଷିକ ରିପୋର୍ଟ ଦାଖଲ ବାଧ୍ୟତାମୂଳକ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦେଇଛି । କିନ୍ତୁ ଅଧିକାଂଶ କଲେଜ ଓ ବିଶ୍ବବିଦ୍ୟାଳୟରେ ନା ଆଇସିସି ଅଛି ନା ମହିଳା ସହାୟତା ସେଲ୍ । ରାଜ୍ୟର ଅଧିକାଂଶ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଉତ୍ତରଦାୟିତ୍ବର ଅଭାବ ରହୁଥିବା ଶିକ୍ଷାବିତ୍ ମତ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe