କନକ ବ୍ୟୁରୋ: ମାନ୍ୟତା ମିଳିଲା, ଆୟ ବଢ଼ିଲା । ପର୍ଯ୍ୟଟକଙ୍କ ଆଗମନ ହେଲା, ରାଜ୍ୟ ରାଜକୋଷକୁ ଅଧିକ ଟଙ୍କା ଆସିଲା । ବିଗତବର୍ଷ ତୁଳନାରେ ଚଳିତ ବର୍ଷ ଶିମିଳିପାଳ ରାଷ୍ଟ୍ରୀୟ ଉଦ୍ୟାନକୁ ଅଧିକ ପର୍ଯ୍ୟଟକ ଆସିଛନ୍ତି । ରାତିରେ ରହିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ଭରପୂର ମଜା ଉଠାଇଛନ୍ତି । ତଥାପି କିଛି ତ୍ରୁଟି ପର୍ଯ୍ୟଟକଙ୍କୁ ଆଘାତ ଦେଇଛି ।
ଶିମିଳିପାଳ ପାଇଁ ଶୁଭ ସଙ୍କେତ । ପ୍ରକୃତି କୋଳରେ ଘଞ୍ଚ ଜଙ୍ଗଲ, ଝରଣା, ପାହାଡ଼ ଓ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଚଳପ୍ରଚଳ ପର୍ଯ୍ୟଟକଙ୍କୁ ଏକ ଅବିଶ୍ୱସନୀୟ ଅନୁଭବ ଦେଇଥାଏ । କଳାବାଘ ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଆକର୍ଷଣ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଆଉ ଏଥିପାଇଁ ବିଭାଗୀୟ ଆୟ ମଧ୍ୟ ବୃଦ୍ଧି ପାଇଛି । ଓଡ଼ିଶାର ଅନ୍ୟତମ ପ୍ରମୁଖ ଜୈବବିବିଧତା କ୍ଷେତ୍ର ଶିମିଳିପାଳ ।
ମୟୂରଭଞ୍ଜ ଜିଲ୍ଲାର ୨୭୫୦ ବର୍ଗ କିମି ବ୍ୟାପ୍ତ ଏହି ସ୍ଥାନଟି ବିଷୟରେ କିଏ ବା ନଜାଣେ । ରାଷ୍ଟ୍ରୀୟ ଉଦ୍ୟାନ ମାନ୍ୟତା ମିଳିବା ପରେ ଏହା ଲୋକଙ୍କ ପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଉଭା ହୋଇଛି । ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ନେଚର କ୍ୟାମ୍ପରେ ରାତ୍ରି ରହଣି ଏବଂ ଜଙ୍ଗଲ ସଫାରୀର ମଜା ନେବା ପାଇଁ ଛୁଟିଆସୁଛନ୍ତି ପର୍ଯ୍ୟଟକ । ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ପର୍ଯ୍ୟଟକଙ୍କ ଆଗମନ ୧୫% ବୃଦ୍ଧି ପାଇଛି ଏବଂ ବିଭାଗକୁ ସର୍ବାଧିକ ଆୟ ମିଳିଛି ବୋଲି କୁହାଯାଉଛି ।
ଶିମିଳିପାଳରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ବର୍ଷ ମୋଟ ୩୮ହଜାର ୪୮୩ ପର୍ଯ୍ୟଟକ ଆସିଛନ୍ତି । ରାଜ୍ୟ ବାହାରୁ ଆସିଛନ୍ତି ୧୨ ହଜାର ୩୮୩ ପର୍ଯ୍ୟଟକ ଏବଂ ହେଲେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଅତି ନଗଣ୍ୟ । ଜୁନ୍ ମାସ ସୁଦ୍ଧା ମାତ୍ର ୧୨ ଜଣ ବିଦେଶୀ ପର୍ଯ୍ୟଟକ ଶିମିଳିପାଳ ବୁଲି ଦେଖିଛନ୍ତି । ଯାହା ଚିନ୍ତାର କାରଣ ପାଲଟିଛି । ରାଷ୍ଟ୍ରୀୟ ଉଦ୍ୟାନକୁ ଗମନାଗମନରେ କିଛିଟା ସମସ୍ୟା, ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା କମିବାର କାରଣ ବୋଲି କୁହାଯାଉଛି । ତେଣୁ ରେଲୱେ ଏବଂ ଅମରଦା ଏୟାରଷ୍ଟ୍ରିପ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ମତ ପ୍ରକାଶ କରିଛନ୍ତି ପରିବେଶବିତ୍ ।
ଆଗକୁ ବି ଏହି ଧାରା ବଜାୟ ରଖିବାକୁ ହେଲେ ପର୍ଯ୍ୟଟନ ଶିଳ୍ପର ବିକାଶ ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ସୁବିଧା ସୁଯୋଗ ଯୋଗାଇ ଦେବାକୁ ପଡ଼ିବ । ଆଉ ଏଥିପ୍ରତି ସରକାର ଯତ୍ନବାନ୍ ହେବା ଉଚିତ୍ ।
(ବାରିପଦାରୁ ଦୋଳଗୋବିନ୍ଦ ବାରିକଙ୍କ ରିପୋର୍ଟ)