କନକ ବ୍ୟୁରୋ: ମୁଁ ନାରୀ... ମୁଁ ମାଆ, ମୁଁ ଭଉଣୀ, ମୁଁ ପୁରୁଷର ସହଧର୍ମିଣୀ, ସହକର୍ମଣୀ, ସହଚାରିଣୀ । ସମାଜର ସମସ୍ୟା ହେଉ କି ପୁରୁଷର ସୁଖଦୁଃଖ, ସବୁଥିରେ ମୁଁ ସହଭାଗିନୀ । ମୋ ସହଯୋଗ ବିନା ପୁରୁଷର ଉନ୍ନତି କଷ୍ଟକର । ଜାତିର ପିତା ମହାତ୍ମା ଗାନ୍ଧୀ ନାରୀ ପୁରୁଷଙ୍କୁ ଗୋଟିଏ ପକ୍ଷୀର ଦୁଇଟି ଡେଣା ବୋଲି ଅନୁଭବ କରି ସେମାନଙ୍କର ସ୍ଵାଧୀନ ଜୀବନ ଚାହିଥିଲେ । ଓଡ଼ିଶାରେ ଉତ୍କଳଗୌରବ ମଧୁସୂଦନ ଦାସ ନାରୀ ଶିକ୍ଷାର ଜାଗରଣ ଆରମ୍ଭ କରିଥିଲେ । ତାଙ୍କରି ଆଶୀର୍ବାଦର ଫଳସ୍ୱରୂପ ଅନେକ ମହିଳା ବିଶ୍ବବିଦ୍ୟାଳୟରେ ଯୋଗ୍ୟ ଛାତ୍ରୀ ପ୍ରତିବର୍ଷ ପଢ଼ି ଚାଲିଛନ୍ତି ଓ ଏକାଧିକ ମହିଳା ବିଶ୍ବବିଦ୍ୟାଳୟ ମଧ୍ୟ ହୋଇ ସାରିଛି । ହେଲେ ଆଜି ମୁଁ ଉତ୍କଳ ମାତାର କୋଳରେ ଜଳି ଜଳି ମରୁଛି । ଧୀରେ ଧୀରେ ଏ ଓଡ଼ିଶା ମାଟିର ପିଣ୍ଡ ଏବେ ପୋଡ଼ା ପୋଡ଼ା ଗନ୍ଧାଉଛି ।

Advertisment

କେଉଁଠି ଶିକ୍ଷାନୁଷ୍ଠାନରେ ନିର୍ଯାତିତ ନିଆଁ ମୋ ଦେହକୁ ଦାହ କରିଦେଉଛି, କେଉଁଠି ମୁଁ ଘରୁ ପାଦ କାଢ଼ିବା ପରେ କିରୋସିନ କବଳକୁ ଆସିଯାଉଛି ତ କେଉଁଠି ପ୍ରେମ, ପ୍ରତାରଣା ପାଇଁ ପାଉଁଶ ହୋଇଯାଇଛି । ହଁ ମୁଁ ପୋଡ଼ିଯାଉଛି, ହେଲେ ମୋ ପୋଡ଼ା ଦେହକୁ ନେଇ ତୁମେ କରୁଥିବା ପଲିଟିକ୍ସ ମୋ ପାଇଁ ନ୍ୟାୟ କମ୍ ରାଜନୀତିର ରୋଡ୍ ସୋ’ ଭଳି ଅଧିକ ଅନୁଭବ ହେଉଛି । ମୁଁ ତ ଜଳି ଜଳି ମରୁଛି, କେବେ ଚାପରେ କେବେ ଲୋକ ଲଜ୍ଜାରେ ତ କେବେ ସମାଜର ଅଦୃଶ୍ୟ ଶାଗୁଣାଙ୍କ କାମନାର କିରୋସିନରେ…

ହଁ ସାମାଜିକ ରୀତିନୀତି ଏପରି ହୋଇ ଆସିଛି ଯେ ମୁଁ ପୁରୁଷ ଭଳି ସମାନ ଅଧିକାର ପାଏ ନାହିଁ । କେବଳ ସେବା, ସହିଷ୍ଣୁତା ସତେ ଯେମିତି ମୋ ଧର୍ମ । ଅଧିକାଂଶ ସମୟରେ ଘରର କୌଣସି କଥାରେ ଖୋଲା ମତାମତ ଦେବାର ଅଧିକାର ମଧ୍ୟ ମୋତେ ମିଳେ ନାହିଁ । ପୁରାତନ କାଳରେ ତ ଅବସ୍ଥା ଅତି ଶୋଚନୀୟ ଥିଲା । ମୋତେ ଯଦି ପଚରା ଯାଏ ମନକଥା ମୁଁ କହିବି ଈଶ୍ୱରଙ୍କ ସୃଷ୍ଟିରେ ଜୀବମାତ୍ରେ ସ୍ବାଧୀନତା ଚାହେ । କେହି ପରାଧୀନ ଜୀବନ ଇଚ୍ଛା କରେ ନାହିଁ । ପଶୁଟିଏ ହେଲେ ମଧ୍ୟ ତାକୁ ବନ୍ଧା ହୋଇ ରହିବାକୁ କଷ୍ଟ ହୋଇଥାଏ । ପକ୍ଷୀଟିଏ ହେଲେ ମଧ୍ୟ ତାକୁ ପିଞ୍ଜରା ଭିତରେ ରହିବାକୁ ଭଲ ଲାଗେ ନାହିଁ । ନିଜ ଅଧୀନରେ ରହି ଜୀବନଯାପନ କରିବାକୁ ସମସ୍ତଙ୍କର ଇଚ୍ଛା । ମଣିଷ ତ ଶ୍ରେଷ୍ଠ ଜୀବ । ତା’ର ବୁଦ୍ଧି, ବିବେକ ଅଛି । ବିଚାରଶକ୍ତି ଅଛି । ମଣିଷର ଦୁଇଟି ରୂପ- ନାରୀ ଓ ପୁରୁଷ । ଶରୀରର ଗଠନ ପ୍ରଣାଳୀ ସିନା ଭିନ୍ନ, କିନ୍ତୁ ମନ, ବୁଦ୍ଧି ବିବେକ ସବୁ ଏକ ପ୍ରକାର । ଉଭୟଙ୍କ ମଧ୍ୟରେ ଆତ୍ମା ଏକ ପ୍ରକାର । ଲିଙ୍ଗଭେଦରେ ଆତ୍ମା ଭିନ୍ନ ପ୍ରକାର ନୁହେଁ । ହେଲେ, ନାରୀର ପୁରୁଷ ପରି ସ୍ଵାଧୀନତା ନାହିଁ ।

ଏ ସବୁ ତ ମୋ ମନର କଥା ଥିଲା, ଯଦି ଆମେ ଉତ୍କଳ ଜନନୀର ଗାନ କରି ବନ୍ଦେ କହୁଛେ ତା’ହେଲେ ସେହି ମାଟିରେ ଜନ୍ମ ନେଉଥିବା ନାରୀ ପ୍ରତି ଏତେ ବ୍ୟଭିଚାର କାହିଁକି? ଯିଏ ଅଗ୍ନିଠୁ ବି ଅଧିକ ତାତିକୁ ଖାତିର ନକରି ତା’ କୋଳରେ କଅଁଳ ଜୀବନକୁ ଜାବୁଡ଼ି ଧରିନିଏ ସେ ଆଜି ଜଳୁଛି କାହିଁକି? ଯାହାର ଦୁଇ ଆଖି ନମ୍ରତାର ଭାବ କହେ, ଯାହା ପାଦ ସ୍ପର୍ଶେ ଗୃହେ ବିରାଜନ୍ତି ସ୍ୱୟଂ ମା’ ଲକ୍ଷ୍ମୀ ସେ ନାରୀ ଆଜି ନିଆଁ ଆଁରେ ପୋଡ଼ି ଯାଉଛି ।

ଏପଟେ ଆଜି ରାଖୀ ପୂର୍ଣ୍ଣମୀରେ ଜଣେ ଭଉଣୀ ତା’ ଭାଇ ହାତରେ ରାଖୀ ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେବ । ହେଲେ ଯେଉଁ ଭଉଣୀଟି ରାଖୀ ବାନ୍ଧିବ ସେ ଭଉଣୀ ଆଉ ଏ ଶିକ୍ଷିତ ସମାଜରେ ସୁରକ୍ଷିତ ନାହିଁ । ଭଉଣୀର ମାନ ମହତ ଏବେ ନିଆଁରେ ପୋଡ଼ି ପାଉଁଶ ହୋଇଯାଉଛି । କେଉଁଠି ଭଉଣୀଟିଏ ଘରେ ଜଳି ଯାଉଛି ତ କେଉଁଠି କଲେଜ ପରିସରରେ । ନିର୍ଯାତନା ନିଆଁ ତାକୁ ଜଳି ପୋଡ଼ି ପାଉଁଶ କରିଦେଉଛି । ମାନସିକ ଚାପରେ ଥାଇ ବି ଭଉଣୀଟିଏ ଭାଇକୁ ମନକଥା କହିପାରୁନି । ଆସନ୍ତୁ ଆଜିପରି ପବିତ୍ର ଦିନରେ ରାଖୀ ବାନ୍ଧୁଥିବା ଭଉଣୀକୁ ମିଠା ଖୁଆଇବା ବେଳେ ମନ କଥା ପଚାରିବା... ଚକ୍‌ଲେଟ୍‌ ଦେବା ବେଳେ ଚାପରେ ଅଛି କି ନାହିଁ ଚର୍ଚ୍ଚା କରିବା... ଦାମୀ ଉପହାର ବଦଳରେ ଦୁଃଖ ସୁଖ ପଚାରି ବୁଝିବା । ନିଶ୍ଚିତ ଏସବୁ ତା’ ପାଇଁ ସବୁଠାରୁ ବଡ଼ ଉପହାର ହେବ ।