କନକ ବ୍ୟୁରୋ: ମା’ଙ୍କ ଆଗମନରେ ହସିଉଠେ ଧରା, ଆତ୍ମବିଭୋର ହୁଏ ଆକାଶ ଆଉ ତନ-ମନ ସର୍ବତ୍ର ହୋଇଯାଏ ପାର୍ବଣମୟ । ମା’ ସିନା ମଣ୍ଡପେ ବିରାଜି ଦର୍ଶନ ଦିଅନ୍ତି ହେଲେ ମଣ୍ଡପ ବାହାରେ ଲାଗିଥିବା ଗହଳି ଚହଳି ଭିତରେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳେ ଯାହାକୁ ନେଇ ଆପଣଙ୍କ ମନରେ କେବେ ନା କେବେ ପ୍ରଶ୍ନଟିଏ ଉଙ୍କି ମାରିଥିବ ନିଶ୍ଚିତ ।

Advertisment

ଆପଣ ଭୋକର ଭସ୍ମାସୁରକୁ କେବେ ଦେଖିନଥିବେ କିନ୍ତୁ ସେ ଅଦୃଶ୍ୟ ଅସୁର ତା’ କବଳରୁ କାହାକୁ ତ୍ରାହି ଦିଏନି । ଯେଉଁଥି ପାଇଁ ଏ ଭକ୍ତିର ଭିଡ଼ ଭିତରେ ଭୋକକୁ ମାରିବା ପାଇଁ  କୁନି ପୁଅଟିଏ ସଂଘର୍ଷ କରୁଛି । ହାତରେ ବେଲୁନ, ତଳେ ଛିଣ୍ଡା ପଲିଥିନରେ ଖେଳାଇ ହୋଇଥିବା ପ୍ଲାଷ୍ଟିକ୍ ଖେଳଣା । ଏସବୁରୁ ଗୋଟିଏ ବି ବିକ୍ରି ହେଲେ ତା’ ପେଟରେ ଓଳିଏ ପାଇଁ ଦାନା ମୁଠାଏ ଯୋଗାଡ଼ ହୋଇଯିବ ।

ମା’ଙ୍କ ପର୍ବ ପରା, ସେଥିପାଇଁ ତ ଏଠି ଭେଦଭାବ ଦେଖିବାକୁ ମିଳେନି । ମୁସଲିମ୍ ଟାଟୁ ବାଲା ବି ପେଟ ପାଟଣା ପାଇଁ ମୀନା ବଜାରର ଏକ କୋଣରେ ବସି ଗରାଖଙ୍କ ଅପେକ୍ଷାରେ ।

ବୁଢ଼ା ମଉସା ଜଣକ ବି ନିଜର ହସକୁ ମା’ଙ୍କ ମଣ୍ଡପ ସାମ୍ନାରେ ମାରିଦେଇଛନ୍ତି । ଆଖିରେ ଆଖିଏ ସ୍ବପ୍ନ ଥିଲେ ବି ପେଟ ପାଇଁ ପଲକ ପକାଉନାହାନ୍ତି । କ’ଣ କରିବେ ୧୦/୨୦ କି ୫୦ ଯାହା ବି ମିଳୁ ସେଥିରେ ନିଜ ପେଟ ସହ ପରିବାର ଭୋକ ମାରିବାକୁ ଆବେଗର ଆଖିରେ ଚାହିଁ ରହିଛନ୍ତି ।

ଭୋକର ମାନେ କ’ଣ ? ସେ ମଣ୍ଡପ ଅଗଣାରେ ମଥା ପାତି ଶୋଇଥିବା ସେ ମା’କୁ ପଚାର । ଭୋକକୁ କେମିତି ମାରି ହୁଏ !! ଛିଣ୍ଡା ଚାଦରରେ ତା’ ଦୁଇ ଛୁଆକୁ ଘୋଡ଼ାଇ ଥିବା ସେ ଚଳନ୍ତି ଦୁର୍ଗାକୁ ପଚାର ! 

ସୁନ୍ଦର ତୋରଣରେ ଶୋଭା ପାଉଛନ୍ତି ମୃଣ୍ମୟୀ ମା’, ଶସ୍ତା କାନ ଫୁଲ, ଗରିବୀର ଗହଣା ବିକୁଛି ଜୀବନ୍ତ ମା’ । ରାତି ଅଧରେ ସିନା ପେଣ୍ଡାଲ ପାଖରେ ଏତେ ଭିଡ଼ ନାହିଁ ହେଲେ ଭୋକରର ଭିଡ଼କୁ କେମିତି ରୋକିବ ଯେ ? ରାତି ପାହିଲେ ଘରେ ଶୁଭୁଥିବା ଲୁହର ସେ ସୁ ସୁ ଲହଡ଼ିକୁ ରୋକିବାକୁ ରାତି ଉଜାଗର ରହୁଛି ଏ ମା’ । ଦେବୀ ଦେଖିବାକୁ ତ ଏମିତି...

ଏମିତି ଅନେକ ଫଟୋ ଦଶହରା ଭିଡ଼ ଭିତରେ ଆପଣଙ୍କ ଆଖିର ଆଇନାରେ ଝଲସିଉଠୁଥିବ । ହେଲେ ଏ ଭକ୍ତିର ଭିଡ଼ କେବେ କାହା ପାଇଁ ମଉଜ ତ କେବେ କାହା ପାଇଁ ରୋଜଗାରର ସୁଯୋଗ ସାଜେ...